କାଲିଠୁ ଭତ୍ତା ପାଇଁ ନୂଆ ବ୍ୟବସ୍ଥା: ବ୍ୟାଙ୍କରେ କେତେ ଆଉ ହାତରେ କେତେ?
ଭୁବନେଶ୍ୱର: କାଲିଠୁ ବଦଳିବ ଭତ୍ତା ବ୍ୟବସ୍ଥା । ଓଡ଼ିଶାରେ ସାମାଜିକ ସୁରକ୍ଷା ଭତ୍ତା ପାଇବାକୁ ଏଣିକି ଦୁଇଟି ମାଧ୍ୟମ ଉପରେ ନିର୍ଭର କରିବେ ହିତାଧିକାରୀ । ନୂଆ ବ୍ୟବସ୍ଥାରେ କେନ୍ଦ୍ରର ଅଂଶ ବ୍ୟାଙ୍କରେ ଓ ରାଜ୍ୟର ଅଂଶ ପଞ୍ଚାୟତ କିମ୍ବା ସହରାଞ୍ଚଳ ୱାର୍ଡରେ ନଗଦ ପ୍ରଦାନ କରାଯିବ । ଅର୍ଥାତ ୬୦ରୁ ୭୯ ବର୍ଷର ଯୋଗ୍ୟ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ମୋଟ ୧ ହଜାର ଟଙ୍କା ଭତ୍ତାରେ କେନ୍ଦ୍ରର ୨୦୦ ଟଙ୍କା ବ୍ୟାଙ୍କକୁ ଓ ରାଜ୍ୟର ୮୦୦ ଟଙ୍କା ନଗଦ ଆକାରରେ ମିଳିବ ।
୮୦ ବର୍ଷରୁ ଅଧିକ ବୟସର ଯୋଗ୍ୟ ହିତାଧିକାରୀଙ୍କ ସାଢେ ୩ ହଜାର ଟଙ୍କା ଭତ୍ତା ମଧ୍ୟରୁ କେନ୍ଦ୍ରର ୫୦୦ ଟଙ୍କା ବ୍ୟାଙ୍କରେ ଓ ରାଜ୍ୟର ୩ ହଜାର ଟଙ୍କା ନଗଦରେ ମିଳିବ । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ବା NSAP ଅଧୀନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶ ମିଶି ହିତାଧିକାରୀଙ୍କୁ ଭତ୍ତା ମିଳିଥାଏ ।
ନୂଆ ବ୍ୟବସ୍ଥାରେ ରାଜ୍ୟ ଅଂଶର ନଗଦ ବଣ୍ଟନ କେତେ ସୁରୁଖୁରୁରେ ହେଉଛି, ତାହା ଉପରେ ରହିବ ନଜର । ଯେଉଁ ହିତାଧିକାରୀଙ୍କ ଭତ୍ତା ମାସ ମାସ ଧରି ଅଟକିଛି, ସେମାନଙ୍କୁ ସମ୍ପୂର୍ଣ୍ଣ ବକେୟା ମିଳିବ କି ନାହିଁ, ତାହା ବଡ଼ ପ୍ରଶ୍ନ । ଦୁଇଟି ମାଧ୍ୟମରେ ଭତ୍ତା ପ୍ରଦାନ ହିତାଧିକାରୀଙ୍କୁ ଆଶ୍ୱସ୍ତି ଦେବ, ନା ସମସ୍ଯା ବଢାଇବ ତାକୁ ଅପେକ୍ଷା ।
