କୋଲକାତା ହାଇକୋର୍ଟରେ ଆଇନଜୀବୀ ଅବତାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା, ନିର୍ବାଚନ ପରବର୍ତ୍ତୀ ହିଂସା ବିରୋଧରେ ନିଜେ ପକ୍ଷ ରଖିଲେ
କଳା ଗାଉନ୍ ରେ ‘ଦିଦି’ଙ୍କ ଏଣ୍ଟ୍ରି । କୋଲକାତା ହାଇକୋର୍ଟରେ ଆଇନଜୀବୀ ଅବତାରରେ ପହଞ୍ଚିଲେ ମମତା ବାନାର୍ଜୀ । ନିଜ ଦଳର କର୍ମୀଙ୍କ ଉପରେ ହେଉଥିବା କଥିତ ନିର୍ବାଚନ ପରବର୍ତ୍ତୀ ହିଂସା ବିରୋଧରେ ନିଜେ କୋର୍ଟରେ ପକ୍ଷ ରଖିଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ । ମମତା ବାନାର୍ଜୀ ଜଣେ ଏଲଏଲବି (LLB) ଡିଗ୍ରୀ ଧାରୀ ହୋଇଥିଲେ ମଧ୍ୟ କେବେ ସେ ଓକିଲାତି କରନ୍ତି ନାହିଁ ।
କିନ୍ତୁ ଆଜି ମୁଖ୍ୟ ବିଚାରପତି ସୁଜୟ ପଲ୍ ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଗରେ ମମତା କଳା କୋର୍ଟ ଏବଂ ହ୍ୱାଇଟ୍ ବ୍ୟାଣ୍ଡ ପିନ୍ଧି ହାଜର ହୋଇଥିଲେ । ଦଳୀୟ ନେତାମାନେ ଏହାକୁ “କର୍ମୀଙ୍କ ପାଇଁ ନେତ୍ରୀଙ୍କ ସଂଗ୍ରାମ” ବୋଲି ଅଭିହିତ କରିଛନ୍ତି । ନିର୍ବାଚନରେ ବିଜେପି ୨୦୭ଟି ଆସନ ଜିତି ପଶ୍ଚିମବଙ୍ଗରେ ଏକ ନୂତନ ସରକାର ଗଢ଼ିଛି।
ଟିଏମସି ପକ୍ଷରୁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା (PIL) ରେ ଦର୍ଶାଯାଇଛି ନିର୍ବାଚନ ପରେ ରାଜ୍ୟରେ ପ୍ରାୟ ୨୦୦୦ରୁ ଅଧିକ ଟିଏମସି କର୍ମୀ ଆହତ ହୋଇଛନ୍ତି । ଏହା ସହ ଏବଂ ୩୬୫ରୁ ଅଧିକ ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି। ଆଇନଜୀବୀ ଶୀର୍ଷାନ୍ୟ ବାନାର୍ଜୀଙ୍କ ଦ୍ୱାରା ଦାୟର ଏହି ମାମଲାରେ ହିଂସା ରୋକିବା ପାଇଁ ଏବଂ ସମ୍ଭାବ୍ୟ ସିବିଆଇ (CBI) ତଦନ୍ତ ପାଇଁ ଦାବି କରାଯାଇଛି ।
ମମତା କୋର୍ଟରେ ଅଭିଯୋଗ କରିଛନ୍ତି ବିଜେପି କର୍ମୀମାନେ ଟିଏମସି ସମର୍ଥକଙ୍କୁ ଟାର୍ଗେଟ୍ କରୁଛନ୍ତି। ଅନ୍ୟପଟେ, ବିଜେପି ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି । କହିଛି ଯେ ଏହା ଟିଏମସିର ଆଭ୍ୟନ୍ତରୀଣ କନ୍ଦଳ କିମ୍ବା ପୁରୁଣା ଶତ୍ରୁତା । ହାଇକୋର୍ଟରେ ଏହି ମାମଲାର ଶୁଣାଣି ଜାରି ରହିଛି । ମାମଲା ରୁଜୁ କରିବା ଏବଂ କେନ୍ଦ୍ରୀୟ ବାହିନୀର ମୁତୟନ ନେଇ କୋର୍ଟ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇପାରନ୍ତି ।
