ଗଙ୍ଗା ନଦୀ ଉପରେ ନିର୍ମିତ ନୀତୀଶ ସେତୁକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ୧୦୦ ଇ-ବସ୍ ର କଲେ ଶୁଭାରମ୍ଭ

ପାଟନା : ବିହାରର ବୈଶାଳୀ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନୀତୀଶ ସେତୁ ସମେତ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଗଙ୍ଗା ନଦୀ ଉପରେ ନିର୍ମିତ ନୀତୀଶ ସେତୁକୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । ପ୍ରାୟ ୪,୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁର ଲମ୍ବ ୧୯.୭ କିଲୋମିଟର । ଏହା ଏକ ଏକ୍ସଟ୍ରାଡୋଜ୍ଡ କେବୁଲ୍-ଷ୍ଟେ ବ୍ରିଜ୍ । ଏହି ସେତୁ ପାଟନା ଜିଲ୍ଲାର କଚ୍ଚି ଦରଗାହକୁ ବୈଶାଳୀ ଜିଲ୍ଲାର ବିଦୁପୁର ସହ ସଂଯୋଗ କରୁଛି ।

ନୀତୀଶ କୁମାରଙ୍କ ପୁଅ ତଥା ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ନିଶାନ୍ତ କୁମାର ସେତୁର ନାମକରଣକୁ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ପ୍ରକଳ୍ପରେ ୯.୭ କିଲୋମିଟର ମୁଖ୍ୟ ସେତୁ ସହ ୧୦ କିଲୋମିଟର ସଂଯୋଗକାରୀ ରାସ୍ତା ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମ୍ମାନାର୍ଥେ ଏହି ସେତୁର ନାମକରଣ କରାଯାଇଛି । ବୈଶାଳୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏତେ ବିଶାଳ ଜନସମାଗମକୁ କ୍ୟାମେରାରେ କଏଦ କରିବା ସମ୍ଭବ ନୁହେଁ । ଏହା ବିକାଶ ପ୍ରତି ଲୋକଙ୍କ ଆଗ୍ରହର ପ୍ରମାଣ । ନିକଟରେ ଲୋକଆସ୍ଥାର ମହାପର୍ବ ଛଠ୍ ପୂଜା ସମାପ୍ତ ହୋଇଛି । ମା’ ଓ ଭଉଣୀମାନେ ପରିବାର, ସମାଜ ଓ ସମସ୍ତଙ୍କ ମଙ୍ଗଳ କାମନା କରି ନିର୍ଜଳା ବ୍ରତ ପାଳନ କରିଥିଲେ । ଏବେ ଛଠୀ ମା’ଙ୍କ ଆଶୀର୍ବାଦରେ ଆମେ ଏଠାରେ ବିକାଶର ପର୍ବ ପାଳନ କରୁଛୁ ।

ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରାୟ ତିନି ଦଶନ୍ଧି ପୂର୍ବେ ବିହାରରେ ବିକାଶର ଏକ ନୂଆ ରାସ୍ତା ବଛାଯାଇଥିଲା । ନୀତୀଶ କୁମାର ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ବିହାରର ସେବା କରିଛନ୍ତି । ନୀତୀଶ ସେତୁ ଦ୍ୱାରା ପାଟନା ଓ ବୈଶାଳୀ ମଧ୍ୟରେ ଦୂରତା ଏବଂ ଯାତାୟାତ ସମସ୍ୟା କମିବ । ଚାଷଜମିର ଫସଲ, ଫଳ, ପନିପରିବା, କ୍ଷୀର ଓ ଦହିକୁ ବଡ଼ ବଜାରରେ ପହଞ୍ଚାଇବା ସହଜ ହେବ । ଏହାଦ୍ୱାରା ଯୁବପିଢ଼ିଙ୍କ ପାଠପଢ଼ା ଏବଂ ବୟସ୍କ ଲୋକଙ୍କ ଚିକିତ୍ସା ସେବା ପାଇବା ମଧ୍ୟ ସୁବିଧାଜନକ ହେବ ।

ଏହାସହିତ ସହରାଞ୍ଚଳରେ ଯାତାୟାତକୁ ସୁବିଧାଜନକ କରିବା ପାଇଁ ୧୦୦ଟି ଆଧୁନିକ ପିଏମ୍-ଇ ବସ୍କୁ ମଧ୍ୟ ସବୁଜ ପତାକା ଦେଖାଇ ଚଳାଚଳ ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ୧୦୦ଟି ପିଏମ୍-ଇ ବସ୍କୁ ସବୁଜ ପତାକା ଦେଖାଇ ଚଳାଚଳ ଆରମ୍ଭ କରାଇଛନ୍ତି । ଏହାଦ୍ୱାରା ବିହାରରେ ସ୍ୱଚ୍ଛ ଓ ଆଧୁନିକ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *