ଚାଲିଛି କେୟାରଟେକର ବଳଭଦ୍ର ମହାରଣାକୁ ମାରାଥନ ଜେରା, ସୁନା ପରି ଦିଶୁଥିବା ତାସ ପତା ପାଇଁ ଜୀବନ ନେଇଥିଲା ମାଲିକାଣୀଙ୍କର
ଭୁବନେଶ୍ୱର: ଭୁବନେଶ୍ୱର ବୁଦ୍ଧନଗରରେ ବୃଦ୍ଧା କୁଞ୍ଜଲତା ନନ୍ଦ ମର୍ଡର ମାମଲାରେ କେୟାରଟେକର ବଳଭଦ୍ର ମହାରଣାକୁ ମାରାଥନ ଜେରା । ସୁନା ପରି ଦିଶୁଥିବା ତାସ ପତା ପାଇଁ ହୋଇଥିଲା କେମିତି ମର୍ଡର ? ସୁନାର ଲୋଭ ଆଉ ପୁରୁଣା ରାଗ ପାଇଁ କେମିତି ନେଇଥିଲା ଜୀବନ । ଏହି ଘଟଣାର ଏମିତି ଚାଞ୍ଚଲ୍ୟକର ଖୁଲାସା କରିଛି କମିଶନରେଟ ପୋଲିସ । କେୟାରଟେକର ବଳଭଦ୍ର ମହାରଣା ଘଟଣା ଘଟାଇବା ପରେ ଲୁଟ କରିଥିବା ଗହଣା ସବୁ ଜବତ ହୋଇଛି ।
ବ୍ରହ୍ମଗିରିର ସବିତା ସେଠୀଙ୍କ ପାଖରେ ଗହଣା ଲୁଚାଇଥିଲା ବେଳେ ସେ ମଧ୍ୟ ଗିରଫ ହୋଇଛନ୍ତି । ହେଲେ ଗହଣା ଭିତରେ ଥିବା ସୁନେଲି ରଙ୍ଗର ତାସ କିନ୍ତୁ ସବୁଠୁ ଚର୍ଚ୍ଚାରେ ରହିଛି । ଯେଉଁ ତାସ ମୁଠାର ଦାମ ମାତ୍ର ୫ଶହ ଟଙ୍କା । ଦେଖିବାକୁ ଅବିକଳ ସୁନା ପରି । ସେସବୁ ଥିଲା ସୁନେଲି ରଙ୍ଗର ତାସ ପତା । ଯାହାକୁ ଦେଖି ଲୋଭେଇ ଯାଇଥିଲା କେୟାର ଟେକର ବଳଭଦ୍ର । ଆଉ ତାସ ପତା ପରି ସୁନା ଓ ଗହଣା ଆଉ ଟଙ୍କାକୁ ଲୁଟ କରି ଖସିଯିବ ବୋଲି ପ୍ଲାନ୍ ରଚିଥିଲା । ହେଲେ ସେଦିନ ରାତିରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା ।
କୁଞ୍ଜଲତାକୁ ହତ୍ୟା ପରେ ତାସ ପତା ସହ ଅନ୍ୟ ଗହଣା ଟଙ୍କା ନେଇ ଛୁ ମାରିଥିଲା । ସୁନା ପରି ଦିଶୁଥିବ ତାସର ଦାମ ମାତ୍ର ୫୦୦ଟଙ୍କା ବୋଲି ପରିବାର ଲୋକ ସ୍ପଷ୍ଟ କରିଛନ୍ତି । ବ୍ରହ୍ମଗିରିର ସଂପୃକ୍ତ ମହିଳା ସବିତା ସେଠୀଙ୍କ ନିକଟରୁ ଲୁଟ ହୋଇଥିବା ୨ ହଳ ସୁନା ଚୁଡ଼ି, ଲକେଟ୍ ଥିବା ଗୋଟିଏ ସୁନା ଚେନ୍, ୨ଟି ସୁନା ମୁଦି, ଗୋଟିଏ ହଳ ସୁନା କାନଫୁଲ, ୪ଟି ଗୋଲଡ କୋଟେଡ ତାସ୍ ଜବତ ହୋଇଛି ।
ପ୍ରାୟ ୧ କିଲୋଗ୍ରାମ ଓଜନର ୧୫ଟି ରୁପା ଅଳଙ୍କାର ଜବତ କରିଛି ପୋଲିସ । ୮ଦିନର ଲୁଚକାଳି ଖେଳ ପରେ ବରୋଦରେ ଏକ ଚଳନ୍ତା ବସରୁ ବଳଭଦ୍ର ମହାରଣାକୁ ପୋଲିସ ଗିରଫ କରିଥିଲା । ବଳଭଦ୍ର ଏବେ ଟ୍ରାଞ୍ଜିଟ ରିମାଣ୍ଡରେ ଥିବା ବେଳେ ଗତକାଲି କ୍ରାଇମ ସିନ ରିକ୍ରିଏଟ କରିଛି ପୋଲିସ ।
