ବଲାଙ୍ଗୀରରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବଡ଼ କାର୍ଯ୍ୟକ୍ରମ, ଆଜି ଓଡ଼ିଶା ପାଇଁ ଘୋଷଣା ହେବ ନୂଆ ଆବାସ ଟାର୍ଗେଟ୍
ଭୁବନେଶ୍ୱର: ଆଜି ଓଡ଼ିଶା ପାଇଁ ଘୋଷଣା ହେବ ନୂଆ ଆବାସ ଟାର୍ଗେଟ୍ । ବଲାଙ୍ଗୀରରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବଡ଼ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ଗ୍ରାମୀଣର ନୂଆ ଘର ନିର୍ମାଣ ଲକ୍ଷ୍ୟ । ଆବାସ ପ୍ଲସ୍ ୨୦୨୪ ସର୍ଭେ ତାଲିକା ଆଧାରରେ କେନ୍ଦ୍ର ସରକାର ରାଜ୍ୟକୁ ଅତିରିକ୍ତ ଘର ଆବଣ୍ଟନ କରିବେ । ଏଥିପାଇଁ ଆଜି ବଲାଙ୍ଗୀରରେ ଆୟୋଜିତ ହେବ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ।
ବଲାଙ୍ଗୀର ପାଟଣାଗଡ଼ ରୋଡ୍ ସ୍ଥିତ ପଥରଚେପା ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଯୋଜନାରେ ୪ ଲକ୍ଷ ଆବାସ ଘର ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ବିଧାନସଭାରେ ପୂର୍ବରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଆବାସ ପ୍ଲସ୍ ୨୦୨୪ ସର୍ଭେରେ ମୋଟ ୩୭ ଲକ୍ଷ ୮୯ ହଜାର ୨୩୪ଟି ପରିବାରକୁ ସାମିଲ କରାଯାଇଥିଲା । ସେଥିମଧ୍ୟରୁ ୨୮ ଲକ୍ଷ ୪୨ ହଜାର ୨୦ଟି ପରିବାରକୁ ପ୍ରାଥମିକ ଭାବେ ଯୋଗ୍ୟ ବିବେଚନା କରାଯାଇଥିଲା ।
ତେବେ ସର୍ଭେ ତାଲିକାରେ ଯୋଗ୍ୟ ବିବେଚିତ ହେବା ଅର୍ଥ ସମସ୍ତଙ୍କୁ ତୁରନ୍ତ ଘର ମିଳିବା ନୁହେଁ । କେନ୍ଦ୍ରରୁ ଆବଣ୍ଟିତ ଲକ୍ଷ୍ୟ, ଚୂଡ଼ାନ୍ତ ହିତାଧିକାରୀ ତାଲିକା ଓ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ପର୍ଯ୍ୟାୟକ୍ରମେ ଘର ମଞ୍ଜୁର କରାଯିବ । ଆଜିର ଘୋଷଣା ପରେ ହିତାଧିକାରୀ ଚୟନ, ଜିଲ୍ଲାୱାରୀ ଘର ବଣ୍ଟନ, ନିର୍ଦ୍ଧାରିତ ସମୟରେ ଅର୍ଥ ପ୍ରଦାନ ଏବଂ ଘର ନିର୍ମାଣ ସମ୍ପୂର୍ଣ୍ଣ କରିବା ରାଜ୍ୟ ସରକାରଙ୍କ ପାଇଁ ପ୍ରମୁଖ ପ୍ରଶାସନିକ ଦାୟିତ୍ୱ ହେବ । ବିଶେଷକରି ପୂର୍ବରୁ ହିତାଧିକାରୀ ତାଲିକାକୁ ନେଇ ବିବାଦ ହୋଇଥିବାରୁ ଏଥର ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଯୋଗ୍ୟ ପରିବାରଙ୍କୁ ପ୍ରାଥମିକତା ଦେବା ଉପରେ ନଜର ରହିବ ।
