ଜୁନିଅର ଏନଟିଆରଙ୍କ ସହିତ AI ଭିଡିଓ ଭାଇରଲ ପରେ ପ୍ରତିକ୍ରିୟା ରଖିଲେ ଜାହ୍ନବୀ, ଇନଷ୍ଟାରେ ଦେଲେ ଷ୍ଟୋରୀ
ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ନେଇ ଏକ AI ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଜାହ୍ନବୀ କପୁର । ୨୦୨୪ର ଫିଲ୍ମ ଦେବରା: ପାର୍ଟ-୧ର ଲୋକପ୍ରିୟ ଗୀତ ଚୁଟ୍ଟାମଲ୍ଲେର ଫୁଟେଜ୍କୁ AI ମାଧ୍ୟମରେ ବିକୃତ କରି ଏହି ନକଲି ଭିଡିଓ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ଜାହ୍ନବୀ ଇନଷ୍ଟାଗ୍ରାମ ଷ୍ଟୋରୀରେ ମେସେଜ ଦେଇଛନ୍ତି । ବିନା ସମ୍ମତିରେ ମହିଳାଙ୍କ ଛବିକୁ ବ୍ୟବହାର କରି ଏଭଳି ଭିଡିଓ ପ୍ରସ୍ତୁତ କରି ଓ ପ୍ରସାର କରିବାକୁ ସେ ଟେକ୍ନୋଲୋଜିର ଅପରାଧିକ ଦୁରୁପଯୋଗ ବୋଲି କହିଛନ୍ତି ।
ଜାହ୍ନବୀ କହିଛନ୍ତି, ମହିଳାଙ୍କୁ କେବଳ ଗୋଟିଏ ଜିନିଷ କିମ୍ବା ବସ୍ତୁ ବୁଝିବା ଆଉ ବିନା ସମ୍ମତି, ପସନ୍ଦ ଏବଂ ତାଙ୍କ ଶରୀର ପ୍ରତି ଅସମ୍ମାନ କରିବା ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରୁଛି । ଜଣେ ମହିଳା କ’ଣ ପିନ୍ଧିବେ, କେଉଁଠି ସୀମା ଧାର୍ଯ୍ୟ କରିବେ ଏବଂ କ’ଣ ଚାହିଁବେ, ସେହି ନିଷ୍ପତ୍ତି କେବଳ ତାଙ୍କର ବୋଲି ସେ ସ୍ପଷ୍ଟ କରିଛନ୍ତି ।
AI ଭଳି ଟେକ୍ନୋଲୋଜିର ଭୁଲ ବ୍ୟବହାର ଏବେ ଡିଜିଟାଲି ଭାବେ ମହିଳାଙ୍କ ସୁରକ୍ଷା ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା କରୁଛି । ତେବେ ଏହି ଘଟଣାରେ ସମର୍ଥନ ଦେଇଥିବା ଜୁନିୟର ଏନଟିଆର୍, ଚିରଞ୍ଜୀବୀ, ବିଜୟ ଦେବରକୋଣ୍ଡା ଓ ଖୁସ୍ବୁ ସୁନ୍ଦରଙ୍କୁ ମଧ୍ୟ ଜାହ୍ନବୀ ଧନ୍ୟବାଦ ଜଣାଇଛନ୍ତି । ଜୁନିୟର ଏନ୍ଟିଆର୍ ଏହି AI ଭିଡିଓକୁ ତୀବ୍ର ନିନ୍ଦା କରିବା ସହ ଏହାର ନିର୍ମାତା ଓ ପ୍ରସାରକଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଚେତାବନୀ ଦେଇଥିଲେ ।
