ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ, ଦଶହରା ବେଳକୁ ଛେଚିବ ବର୍ଷା !
ଭୁବନେଶ୍ବର : ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ । ୧୩ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଥାଇଲ୍ୟାଣ୍ଡ ଉପସାଗର ଅଞ୍ଚଳରୁ ଉଠିଥିବା ଏକ ସକ୍ରିୟ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି ।
ଥାଇଲ୍ୟାଣ୍ଡ ଉପସାଗରରୁ ଆସୁଛି ଶକ୍ତିଶାଳୀ ଘୂର୍ଣ୍ଣିବଳୟ । ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଥାଇଲ୍ୟାଣ୍ଡ ଉପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି ।
ଆସନ୍ତା ୧୧ ତାରିଖରେ ଏହି ସକ୍ରିୟ ଘୂର୍ଣ୍ଣିବଳୟଟି ଆଣ୍ଡାମାନ ସାଗର ମଧ୍ୟକୁ ପ୍ରବେଶ କରିବ । ସାମୁଦ୍ରିକ ଅନୁକୂଳ ପରିବେଶ ପାଇ ଏହା ଅଧିକ ଘନୀଭୂତ ହେବା ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୧୩ ତାରିଖରେ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା କେତେ ଘନୀଭୂତ ହେବ ଏବଂ କେଉଁ ଉପକୂଳ ମୁହାଁ ହେବ, ସେନେଇ ପାଣିପାଗ ବିଜ୍ଞାନୀମାନେ ନଜର ରଖିଛନ୍ତି । ସମ୍ଭାବ୍ୟ ଲଘୁଚାପ କାରଣରୁ ଆଣ୍ଡାମାନ ସାଗର ଏବଂ ପରବର୍ତ୍ତୀ ସମୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ମଧ୍ୟରେ ପବନର ବେଗ ବୃଦ୍ଧି ପାଇବା ସହ ସମୁଦ୍ର ଅଶାନ୍ତ ରହିବ ।
