ଭୋଟର ତାଲିକାରୁ ମନମୁଖୀ ଭାବେ ନାଁ କାଟିହେବନି: ଜଷ୍ଟିସ୍ ଭୂୟାଁ

ନୂଆଦିଲ୍ଲୀ: ଭୋଟ୍ ଦେବାର ଅଧିକାରକୁ ନେଇ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଜଣେ ଭାରତୀୟ ନାଗରିକଙ୍କ ଭୋଟ୍ ଦେବାର ଅଧିକାର ସମ୍ବିଧାନର ମୌଳିକ ଢାଞ୍ଚା  ସହ ଅତି ନିବିଡ଼ ଭାବେ ଜଡ଼ିତ ବୋଲି ସେ ସ୍ପଷ୍ଟ କରିଛନ୍ତି। ହାଇଦ୍ରାବାଦସ୍ଥିତ ନାଲସାର ୟୁନିଭରସିଟି ଅଫ୍ ଲ’ରେ ଆୟୋଜିତ ୧୯ତମ  ନାଲସାର ଜଷ୍ଟିସ ବି.ଆର  ସାହାଣୀ ମେମୋରିଆଲ  ମୁଟ୍ କୋର୍ଟ  ପ୍ରତିଯୋଗିତାର  ଉଦ୍ ଯାପନୀ ଅଭିଭାଷଣରେ ସେ ଏହି ବକ୍ତବ୍ୟ ରଖିଛନ୍ତି ।  ଜଷ୍ଟିସ୍ ଭୂୟାଁ କହିଛନ୍ତି ଯେ, ଯଦି କୌଣସି ପ୍ରକ୍ରିୟା ମାଧ୍ୟମରେ ଲକ୍ଷ ଲକ୍ଷ ଭାରତୀୟ ନାଗରିକ ନିଜର ଭୋଟ୍ ଅଧିକାରରୁ ବଞ୍ଚିତ ହୁଅନ୍ତି, ତେବେ ସେଭଳି ପ୍ରକ୍ରିୟା ସ୍ୱତଃ ମନମୁଖୀ ଏବଂ ଏହା ସମ୍ବିଧାନର ଅନୁଚ୍ଛେଦ ୧୪  ତଥା ଅନୁଚ୍ଛେଦ ୩୨୬ର ସିଧାସଳଖ ଉଲ୍ଲଂଘନ । ତାଙ୍କ ମତରେ, ଭାରତୀୟ ସମ୍ବିଧାନ କେବେହେଲେ ଦୁଇ ଶ୍ରେଣୀର ନାଗରିକ ଭୋଟ୍ ଅଧିକାର ଥିବା ନାଗରିକ ଏବଂ ଭୋଟ୍ ଅଧିକାର ନଥିବା ନାଗରିକ ସୃଷ୍ଟି କରିବାର ପରିକଳ୍ପନା କରିନାହିଁ ।

ବ୍ୟାପକ ସଂଖ୍ୟାରେ ଲୋକଙ୍କୁ ମତାଧିକାରରୁ ଦୂରେଇ ରଖିବା ସମ୍ବିଧାନର ମୂଳ ଆତ୍ମାକୁ କୁଠାରାଘାତ କରିବା ସଦୃଶ । ଭୋଟ୍ ଅଧିକାର କେବଳ ଏକ ସାଧାରଣ ଆଇନଗତ ବ୍ୟବସ୍ଥା  ନୁହେଁ, ବରଂ ଏହାର ମୂଳ ଉତ୍ସ ସମ୍ବିଧାନର ଅନୁଚ୍ଛେଦ ୩୨୬ରେ ରହିଛି ବୋଲି ଜଷ୍ଟିସ୍ ଭୂୟାଁ ଉଲ୍ଲେଖ କରିଛନ୍ତି ।  ଏହି ଅନୁଚ୍ଛେଦ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ସାର୍ବଜନୀନ ପ୍ରାପ୍ତବୟସ୍କ ମତାଧିକାରର ସାମ୍ବିଧାନିକ ଗ୍ୟାରେଣ୍ଟି ପ୍ରଦାନ କରିଥାଏ । ସେ କହିଛନ୍ତି, ଗଣତନ୍ତ୍ରରେ ଜଣେ ସାଧାରଣ ନାଗରିକ ପାଇଁ ଦେଶର ଶାସନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ହେଉଛି ଭୋଟ୍ । ଜଣେ ଅତି ଧନୀ ବ୍ୟକ୍ତି ହୁଅନ୍ତୁ ଅବା ଜଣେ ସାଧାରଣ ରିକ୍ସା ଚାଳକ,  ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଭୟଙ୍କ ଭୋଟ୍  ର ମୂଲ୍ୟ ସମ୍ପୂର୍ଣ୍ଣ ସମାନ ।

ଭୋଟର ତାଲିକାରୁ ନାମ ବାଦ୍ ଦେବା ପ୍ରସଙ୍ଗରେ ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଦର୍ଶାଇ ସେ କହିଛନ୍ତି ଯେ, କେବଳ ମୃତ ଭୋଟରଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କ ନାମ ଥରେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ପରେ, ତାଙ୍କୁ ଉପଯୁକ୍ତ ନୋଟିସ୍ ଏବଂ ନିଜ ପକ୍ଷ ରଖିବାର ଯଥେଷ୍ଟ ଶୁଣାଣିର ସୁଯୋଗ ନଦେଇ ମନମୁଖୀ ଭାବେ ବାଦ୍ ଦିଆଯାଇପାରିବ ନାହିଁ । ଭାରତର ସ୍ୱାଧୀନତା ସଂଗ୍ରାମ ତଥା ଏହାର ମୌଳିକ ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ଭୋଟ୍ ଅଧିକାର ଗଭୀର ଭାବେ ଜଡ଼ିତ । କୌଣସି କର୍ତ୍ତୃପକ୍ଷ ବା ସଂସ୍ଥା ଅନୁଚ୍ଛେଦ ୩୨୬କୁ କ୍ଷୁଣ୍ଣ କରିପାରିବେ ନାହିଁ ଏବଂ ଦେଶରେ ସମ୍ବିଧାନର ଊର୍ଦ୍ଧ୍ୱରେ କେହି ନୁହନ୍ତି ।

Spread the love

Leave a Reply

Your email address will not be published. Required fields are marked *