SIR ବିବାଦ, CECଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟରେ ଆଜି ବଡ଼ ଶୁଣାଣି
ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କୁ ନେଇ ଆଜି ସୁପ୍ରିମକୋର୍ଟରେ ବଡ଼ ଶୁଣାଣି । SIRର ୧୪ ନିଷ୍ପତ୍ତି ଉପରେ ଉଠିଛି ପ୍ରଶ୍ନ । ମୁଖ୍ୟ ନିର୍ବାଚନ କମିଶନର ବା CEC ଜ୍ଞାନେଶ କୁମାରଙ୍କୁ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ ବା SIR ସମୟରେ ନିର୍ବାଚନ କମିଶନଙ୍କ ନାଁରେ ନିଆଯାଇଥିବା କେତେକ ବିବାଦୀୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ଦୁଇଟି ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । CJI ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କ ତିନିଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ । ମୁଖ୍ୟ ପ୍ରଶ୍ନ ହେଉଛି, ନିର୍ବାଚନ କମିଶନ ଏକ ବହୁସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ସଂସ୍ଥା ହୋଇଥିବା ବେଳେ, ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କ ସହମତି ବିନା CEC ଏକାକୀ କମିଶନଙ୍କ ନାଁରେ ନିଷ୍ପତ୍ତି ନେଇପାରିବେ କି? ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ SIR ସହ ଜଡ଼ିତ ଅନେକ ନିଷ୍ପତ୍ତି ଅନ୍ୟ ଦୁଇ କମିଶନରଙ୍କ ଆପତ୍ତି ସତ୍ତ୍ୱେ ନିଆଯାଇଥିଲା ।
ଆବେଦନରେ ଦାବି କରାଯାଇଛି ଯେ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ୨୦୨୫ ଅକ୍ଟୋବରରୁ ୨୦୨୬ ଅଗଷ୍ଟ ମଧ୍ୟରେ ଅତିକମରେ ୧୪ଟି ପ୍ରସଙ୍ଗରେ ଆପତ୍ତି ରେକର୍ଡ କରିଥିଲେ । ଏହି ଅଭିଯୋଗ ଏବେ ସୁପ୍ରିମକୋର୍ଟର ବିଚାରାଧୀନ ରହିଛି । ଆବେଦନକାରୀଙ୍କ ପ୍ରମୁଖ ଦାବି ହେଉଛି, ବିନା ସହମତିରେ ନିଆଯାଇଥିବା ଅଭିଯୋଗ ରହିଥିବା ୧୪ SIR ସମ୍ପର୍କିତ ନିଷ୍ପତ୍ତିକୁ ରଦ୍ଦ କରାଯାଉ । ଏହାସହ CEC ଜ୍ଞାନେଶ କୁମାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ SIR ସମୟରେ ଭୋଟର ତାଲିକାରୁ ନାଁ ବାଦ୍ ପଡ଼ିବା ପ୍ରସଙ୍ଗରେ ସ୍ୱତନ୍ତ୍ର SIT ତଦନ୍ତ ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ଗୋଟିଏ ଆବେଦନରେ CEC ଜ୍ଞାନେଶ କୁମାରଙ୍କୁ ପଦରେ କାର୍ଯ୍ୟ କରିବାରୁ ଅନ୍ତରୀଣ ଭାବେ ରୋକିବା ପାଇଁ ମଧ୍ୟ ଅନୁରୋଧ ରହିଛି । ଅନ୍ୟ ଆବେଦନରେ ଏକ ସ୍ୱାଧୀନ ନ୍ୟାୟିକ ତଦନ୍ତ କମିଶନ କିମ୍ବା ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ନେତୃତ୍ୱରେ SIT ଗଠନ କରିବାକୁ କୁହାଯାଇଛି ।
ଏଥିରେ ସାଇବର ସିକ୍ୟୁରିଟି ଓ IT ବିଶେଷଜ୍ଞଙ୍କୁ ସାମିଲ କରି ECINet ଏବଂ ERONet ଡାଟାବେସର ଫରେନସିକ୍ ଅଡିଟ୍ କରାଯାଉ ବୋଲି ଦାବି ରହିଛି। Form-6ରେ ପରିବର୍ତ୍ତନକୁ ନେଇ ମଧ୍ୟ ରହିଛି ବିବାଦ । ଆବେଦନକାରୀଙ୍କ ଅଭିଯୋଗ, Form-6ରେ ପୂର୍ବ SIR ସହ ଜଡ଼ିତ କେତେକ ତଥ୍ୟ ଦେବା ବ୍ୟବସ୍ଥା କରାଯାଇଥିଲା । ଏହି ପରିବର୍ତ୍ତନର ବୈଧତା ଉପରେ ମଧ୍ୟ ପ୍ରଶ୍ନ ଉଠାଇ ମୂଳ Form-6କୁ ପୁନଃସ୍ଥାପନ ପାଇଁ ଆବେଦନରେ ଦାବି କରାଯାଇଛି । ଏହାସହ ଭୋଟର ତାଲିକା ପରିଚାଳନାରେ ECINet ଓ ERONetର ବ୍ୟବହାର, ଯୋଗ୍ୟ ଭୋଟରଙ୍କ ନାଁ ପୁନଃସ୍ଥାପନ ଏବଂ ପଶ୍ଚିମବଙ୍ଗରେ ଭୋଟରଙ୍କ ସମ୍ପର୍କରେ ଦାଏର ହୋଇଥିବା ବହୁ ସଂଖ୍ୟକ ଅପିଲ୍ ଭଳି ପ୍ରସଙ୍ଗ ମଧ୍ୟ ଆବେଦନରେ ଉଠାଯାଇଛି । ତେବେ ଏସବୁ ଆବେଦନକାରୀଙ୍କ ଅଭିଯୋଗ ଓ ଦାବି । ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଏହି ଅଭିଯୋଗଗୁଡ଼ିକ ସତ୍ୟ ବୋଲି କୌଣସି ନିଷ୍କର୍ଷରେ ପହଞ୍ଚିନାହାନ୍ତି ।
ଅନ୍ୟପଟେ ନିର୍ବାଚନ କମିଶନ ପୂର୍ବରୁ କହିଛନ୍ତି ଯେ SIR ଓ Form-6 ସମ୍ପର୍କିତ ଅନ୍ତିମ ନିଷ୍ପତ୍ତି ସର୍ବସମ୍ମତିରେ ନିଆଯାଇଥିଲା । ଗତ ସେପ୍ଟେମ୍ବର ୨୯ରେ ମାମଲାର ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରାଯିବା ପରେ ସୁପ୍ରିମକୋର୍ଟ ଏହାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ସହମତ ହୋଇଥିଲେ । ଏବେ ଆଜିର ଶୁଣାଣିରେ ସର୍ବୋଚ୍ଚ ଅଦାଲତ କ’ଣ ଆଭିମୁଖ୍ୟ ନେଉଛନ୍ତି, CECଙ୍କ ବିରୋଧରେ ହୋଇଥିବା ଦାବି ଉପରେ କ’ଣ କହୁଛନ୍ତି ଏବଂ ୧୪ଟି ବିବାଦୀୟ SIR ନିଷ୍ପତ୍ତିକୁ ନେଇ କି ନିର୍ଦ୍ଦେଶ ଦେଉଛନ୍ତି, ତାହା ଉପରେ ନଜର ରହିବ ।
