ମେମୁ ଟ୍ରେନରୁ କଲେଜ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

ଦଶପଲ୍ଲା : ଦଶପଲ୍ଲା-ଭୁବନେଶ୍ୱର ମେମୁ ଟ୍ରେନରୁ ଜଣେ କଲେଜ ପ୍ରିନ୍ସିପାଲଙ୍କ ମୃତଦେହ ଉଦ୍ଧାର ହୋଇଛି ।  ମୃତକ ଜଣକ ଶରଣକୁଳ କଲେଜର ପ୍ରିନ୍ସିପାଲ ମହେଶ୍ୱର ମହାପାତ୍ର ବୋଲି ଜଣାପଡ଼ିଛି ।  ସୂଚନା ଅନୁଯାୟୀ, ମହେଶ୍ୱର ଆଜି ସକାଳେ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଆସୁଥିଲେ ।  ବେଗୁନିଆ ଷ୍ଟେସନ ପର୍ଯ୍ୟନ୍ତ ସେ ପରିବାର ଲୋକଙ୍କ ସହ ଫୋନରେ ଯୋଗାଯୋଗରେ ଥିଲେ ।

କିନ୍ତୁ ବେଗୁନିଆ ପରେ ପରିବାର ଲୋକେ ବାରମ୍ବାର ଫୋନ କରିଥିଲେ ମଧ୍ୟ ଫୋନ ରିଂ ହେଉଥିଲା, ହେଲେ ସେ ରିସିଭ କରି ନଥିଲେ ।  ସନ୍ଦେହ ହେବାରୁ ପରିବାର ଲୋକେ ନୟାଗଡ଼ ଷ୍ଟେସନରେ ଆସି ଅପେକ୍ଷା କରିଥିଲେ ।  କିନ୍ତୁ ଟ୍ରେନ ନୟାଗଡ଼ ଅତିକ୍ରମ କରି ଦଶପଲ୍ଲା ଆଡ଼କୁ ଚାଲିଆସିଥିଲା ଏବଂ ମହେଶ୍ୱର ଓହ୍ଲାଇ ନଥିଲେ । ପରେ ଦଶପଲ୍ଲା ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଯାତ୍ରୀମାନେ ତାଙ୍କୁ ଟ୍ରେନ ଭିତରେ ମୁହଁ ମାଡ଼ି ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ ।

ଖବର ପାଇ ଜିଆରପି ପୋଲିସ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ପରିବାର ଲୋକେ ମେଡିକାଲରେ ପହଞ୍ଚି ଦେଖିବା ବେଳକୁ ମହେଶ୍ୱରଙ୍କ ହାତରେ ମୁଦି, ମୋବାଇଲ ଫୋନ ଏବଂ ବ୍ୟାଗ ନଥିଲା ।  ତେଣୁ କୌଣସି ଦୁର୍ବୃତ୍ତ ତାଙ୍କୁ ମାରି ସମସ୍ତ ଜିନିଷ ଲୁଟି ନେଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।  ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *