ଶ୍ରୀମନ୍ଦିରରେ ସାଢେ ୧୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ, ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ଯାଏ

ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି । ସାଢେ ୧୪ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ଯାଏ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।  ସ୍ନାନଯାତ୍ରା ପାଇଁ ପୁରୀରେ ଜାରି ହୋଇଛି ଟ୍ରାଫିକ କଟକଣା । ଏଥିସହ ସୁରକ୍ଷାବ୍ୟବସ୍ଥା ଓ ରୁଟ୍ ଲାଇନକୁ ସୁରକ୍ଷିତ କରାଯାଇଛି । ଜ୍ୟେଷ୍ଠ ଶୁଦ୍ଧ ଶୁକ୍ଲ ପୂର୍ଣ୍ଣିମା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି ।

ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଗମନାଗମନକୁ ସହଜ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହର ଭିତରେ ଯାନବାହନ ଜାମ୍ ରୋକିବା ପାଇଁ ନିର୍ଦ୍ଦିଷ୍ଟ ରୁଟ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ବାହାରୁ ଆସୁଥିବା ଗାଡ଼ି ଗୁଡ଼ିକ ପାଇଁ ସହର ଉପକଣ୍ଠରେ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ସ୍ନାନଯାତ୍ରା ସମୟରେ ପ୍ରବଳ ଗରମ ଓ ଗହଳିକୁ ଦୃଷ୍ଟିରେ ରଖି ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଆମ୍ବୁଲାନ୍ସ ଏବଂ ମେଡିକାଲ୍ ଟିମ୍ ସର୍ବଦା ପ୍ରସ୍ତୁତ ରହିବେ। ନିଖୋଜ ବ୍ୟକ୍ତି ବା ପିଲାମାନଙ୍କୁ ଖୋଜିବା ପାଇଁ ସୂଚନା କେନ୍ଦ୍ର ମଧ୍ୟ ସକ୍ରିୟ ରହିବ।

ଆଇନ ଶୃଙ୍ଖଳା ରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସହର ସାରା ପ୍ରାୟ ୭୯ ପ୍ଲାଟୁନ ପୋର୍ସ ମୁତୟନ କରାଯିବ ।  ଏସପି, ଅତିରିକ୍ତ ଏସପି, ଡିଏସପି ଏବଂ ଇନ୍ସପେକ୍ଟର ରାଙ୍କର ବହୁ ବରିଷ୍ଠ ଅଧିକାରୀ ଡ୍ୟୁଟିରେ ରହିବେ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି କୁଇକ୍ ଆକ୍ସନ ଟିମ୍ , ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ କୁକୁର ମୁତୟନ ରହିବେ। କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ପିକପକେଟ୍, ଚେନ୍ ଛିଣ୍ଡାଇବା ଭଳି ଅପରାଧକୁ ରୋକିବା ପାଇଁ ପୋଲିସ ପ୍ରଯୁକ୍ତିବିଦ୍ୟାର ସହଯୋଗ ନେଇଛି ।

ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟରରୁ ସମଗ୍ର ପୁରୀ ସହରର ଗତିବିଧି ଉପରେ ରିଆଲ୍-ଟାଇମ୍ ନଜର ରଖାଯିବ। ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ଚାରିପାଖରେ ଥିବା ଉଚ୍ଚ ଅଟ୍ଟାଳିକା ଉପରେ ପୋଲିସ କର୍ମଚାରୀମାନେ ବାଇନାକୁଲାର ସହ ମୁତୟନ ରହି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ । ଭିଡ଼ର ସୁଯୋଗ ନେଇ ଗହଣା କିମ୍ବା ପର୍ସ ଚୋରି ରୋକିବାକୁ ସାଧା ପୋଷାକଧାରୀ ସ୍ୱତନ୍ତ୍ର ପୋଲିସ ଦଳ ଭକ୍ତଙ୍କ ଗହଣରେ ରହିବେ।

Spread the love

Leave a Reply

Your email address will not be published. Required fields are marked *