ସରି ସରି ଆସୁଛି ମାଓମୁକ୍ତ ଭାରତ ଡେଡ୍‌ଲାଇନ୍, ଲକ୍ଷ୍ୟ ହାସଲ ପାଇଁ ଜୋରଦାର ହେଲା ଅପରେସନ୍

ମାଓ ମୁକ୍ତ ଭାରତ ଡେଡଲାଇନ୍‌କୁ ଆଉ ମାତ୍ର ପାଞ୍ଚ ଦିନ ବାକି ରହିଛି । ହେଲେ ସରକାରଙ୍କ ଲକ୍ଷ୍ୟ ହାସଲ ଦିଗରେ କଣ୍ଟ ସାଜିଛନ୍ତି ହାତଗଣତି କେତେକ ଛୋଟ କ୍ୟାଡର ମାଓବାଦୀ। ଶୁକ୍ରୁଙ୍କ ପରେ ଏବେ ଡିସିଏମ ଶିଲା ଓଡିଶା ପୁଲିସକୁ ନାକେଦମ କରି ଥିବାବେଳେ ତାଙ୍କ ଟିମ୍ କୁ ଧରିବା ଲାଗି ଜୋରଦାର ହୋଇଛି ସର୍ଚ୍ଚ ଅପରେଶନ୍‌। ସେପଟେ ଛତିଶଗଡରେ ବଳକା ଛୋଟି ମାଓବାଦୀଙ୍କୁ ୪୮ ଘଣ୍ଟାର ଅଲ୍ଟିମେଟମ୍ ଦେଇଛି ପୁଲିସ ।କୁଖ୍ୟାତ ମାଓନେତା ଶୁକ୍ରୁର ଆତ୍ମସମର୍ପଣ ପରେ ଏବେ ମାଓ ମୁକ୍ତ ଓଡିଶା ଲକ୍ଷ୍ୟ ଦିଗରେ କଣ୍ଟା ସାଜିଛନ୍ତି କିଛି ଛୋଟ ଛୋଟ ମାଓବାଦୀ। ମାର୍ଚ୍ଚ ୩୧ ପୂର୍ବରୁ ମାଓ ମୁକ୍ତ ଓଡିଶା ଲକ୍ଷ୍ୟ ନେଇ ଓଡିଶା ପୁଲିସ ଫୋର୍ସ ଓ ପାରାମିଲିଟାରି ଫୋର୍ସ ଦିନ ରାତି ଏକ କରି ଦେଇଛନ୍ତି। ସେପଟେ ଏବେବି କନ୍ଧମାଳ ଜଙ୍ଗଲରେ ପୁଲିସକୁ ଚ୍ୟାଲେଂଜ ଦେଉଛନ୍ତି ୮ ରୁ ୧୦ଜଣ ଛୋଟ କ୍ୟାଡର। ଡିଭିସିଏମ୍‌ ଶିଲା ଓରଫ୍‌ ନାଗମଣି ଓରଫ୍‌ ଲତା। କେକେବିଏନ ଡିଭିଜନ ଅଷ୍ଟମ କମ୍ପାନୀର ଜଣେ ସାଧାରଣ ସଦସ୍ୟା। ଶିଲାଙ୍କ ସ୍ୱାମୀ ଭିକେଶ, ଜୁଲାଇ ୨୦୨୫ ରେ ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିସାରିଛି। କେକେବିଏନ ଡିଭିଜନର ମୁଖ୍ୟ ଶୁକ୍ରୁ ମଧ୍ୟ ଆତ୍ମସମର୍ପଣ କରିଛି। ହେଲେ, ମାଓ ନେତ୍ରୀ ଶିଲା ୮ ରୁ ୧୦ ଏସିଏମ ଓ ପାର୍ଟି ମେମ୍ବରକୁ ନେଇ କନ୍ଧମାଳ-ଗଂଜାମ ସୀମାବର୍ତ୍ତୀ ଜଂଗଲରେ ପୁଲିସ ସହ ଲୁଚକାଳି ଖେଳ ଜାରି ରଖିଛି ।

ବୁଧବାର ଛତିଶଗଡ଼ ବିଜାପୁରରେ ଟପ୍ କ୍ୟାଡର ମାଓବାଦୀ ପାପାରାଓଙ୍କ ଆତ୍ମସମର୍ପଣ ସହ ଛତିଶଗଡରେ ଶୀର୍ଷ ନେତୃତ୍ୱର ଅନ୍ତ ଘଟିଛି। ୨୦୨୪ ଠାରୁ ମାର୍ଚ୍ଚ ୨୦୨୬ ଯାଏଁ ୨୭୫୬ ମାଓବାଦୀଙ୍କ ଆତ୍ମସମର୍ପଣ କରିସାରିଲେଣି। ଏବେ ମଧ୍ୟ ହାତ ଗଣତି କିଛି ଏସିଏମ ଏବଂ ପାର୍ଟି ମେମ୍ବର ଘଂଚ ଜଙ୍ଗଲରେ ଆତ୍ମଗୋପନ କରିଛନ୍ତି । ସେମାନଙ୍କ ଆତ୍ମସମର୍ପଣ ଲାଗି ବସ୍ତର ପୁଲିସ ୪୮ ରୁ ୭୨ ଘଣ୍ଟାର ଅଲ୍ଟିମେଟମ୍ ଦେଇଛନ୍ତି। ତେବେ ମାର୍ଚ୍ଚ ୩୧ ପୂର୍ବରୁ ଛତିଶଗଡ଼ରେ ସଶସ୍ତ୍ର ମାଓବାଦର ଅନ୍ତଃ ଘଟିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ବିଜୟ ଶର୍ମା । ସେପଟେ ଝାଡ଼ଖଣ୍ଡରେ ସକ୍ରୀୟ ମିସିରି ବେସରା ଓ ମାଓବାଦୀଙ୍କ ଗଡ୍ ଫାଦର କୁହାଯାଉଥିବା ପୂର୍ବତନ ମାଓ ସଚିବ ଗଣପତିଙ୍କ ଏ ଯାଏଁ ଖୋଜ ଖବର ନାହିଁ ।

Spread the love