ସୁନାବେଡ଼ା HALରେ ରାଜନାଥ ସିଂହ, ଏରୋ-ଇଞ୍ଜିନ୍ ହସ୍ତାନ୍ତର କାର୍ଯ୍ୟକ୍ରମରେ ହେବେ ସାମିଲ
ଜୟପୁର : ସୁନାବେଡ଼ା HALରେ ରାଜନାଥ ସିଂହ । ୨,୦୦୦ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର କାର୍ଯ୍ୟକ୍ରମରେ ହେବେ ସାମିଲ । HALର ୨,୦୦୦ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର ସମାରୋହରେ ଯୋଗଦେବା ପାଇଁ ସେ ସୁନାବେଡ଼ା ଆସିଛନ୍ତି । ଦୀର୍ଘ ୬ ଦଶନ୍ଧି ଧରି HAL କୋରାପୁଟ ଡିଭିଜନ ଦେଶର ଏରୋସ୍ପେସ୍ ଓ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସୁଛି ।
୨ ହଜାରତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର ଏହି ପ୍ରତିଷ୍ଠାନ ପାଇଁ ଏକ ବଡ଼ ମାଇଲଖୁଣ୍ଟ ଭାବେ ଦେଖାଯାଉଛି । ଏହି ଅବସରରେ ୨୧୮ କୋଟି ଟଙ୍କାର ନିବେଶରେ ଶକ୍ତି ଇଞ୍ଜିନ୍ ର ଦ୍ୱିତୀୟ ନିର୍ମାଣ ଲାଇନ୍ ର ଶୁଭାରମ୍ଭ କରାଯିବ । ଏହାଦ୍ୱାରା ସୁନାବେଡ଼ା HALର ଇଞ୍ଜିନ୍ ଉତ୍ପାଦନ କ୍ଷମତା ଆହୁରି ବୃଦ୍ଧି ପାଇବ । ନୂଆ ନିର୍ମାଣ ଲାଇନ୍ ବିଶେଷ କରି ଧ୍ରୁବ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର ଏବଂ ପ୍ରଚଣ୍ଡ ଲାଇଟ୍ କମ୍ବାଟ୍ ହେଲିକପ୍ଟର ସମେତ ବିଭିନ୍ନ ସ୍ୱଦେଶୀ ହେଲିକପ୍ଟର ପାଇଁ ବଢ଼ୁଥିବା ଇଞ୍ଜିନ୍ ଆବଶ୍ୟକତା ପୂରଣରେ ସହାୟକ ହେବ ।
ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଅଧିକ ଆତ୍ମନିର୍ଭର କରିବା ଦିଗରେ ସ୍ୱଦେଶୀ ଏରୋ-ଇଞ୍ଜିନ୍ ନିର୍ମାଣ କ୍ଷମତା ବୃଦ୍ଧିକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହି ଦୃଷ୍ଟିରୁ ସୁନାବେଡ଼ା HALର ନୂଆ ଉତ୍ପାଦନ ଲାଇନ୍ କୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରତିରକ୍ଷା ଉତ୍ପାଦନ ବିଭାଗର ବରିଷ୍ଠ ଅଧିକାରୀ ଏବଂ HALର ବରିଷ୍ଠ କର୍ତ୍ତୃପକ୍ଷ ମଧ୍ୟ ଯୋଗଦେଉଛନ୍ତି ।
