୧୦୦ କୋଟିର ସେତୁ, ରାସ୍ତାକୁ ନେଇ ଅସନ୍ତୋଷ; ଜଙ୍ଗଲ ବଞ୍ଚାଇବାକୁ ଖଡ଼ଗପ୍ରସାଦବାସୀଙ୍କ ଦାବି

ଢେଙ୍କାନାଳ : ସ୍ୱପ୍ନର ସେତୁ ତିଆରି ହେଲା… ହେଲେ ସେତୁକୁ ନେଇ ଏବେ ନୂଆ ବିବାଦ । ଗୋଟିଏ ପଟେ ବ୍ରାହ୍ମଣୀ ନଦୀ ଉପରେ ପ୍ରାୟ ଶହେ କୋଟି ଟଙ୍କାରେ ନିର୍ମିତ ବଡ଼କମର–ଖଡ଼ଗପ୍ରସାଦ ସେତୁକୁ ନେଇ ଖୁସି। ଅନ୍ୟପଟେ ଗାଁ ରାସ୍ତା ଦେଇ ଭାରିଯାନ ଚଳାଚଳର ଆଶଙ୍କାକୁ ନେଇ ଗ୍ରାମବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ । ଗାଁ ଭିତରେ ଭାରିଯାନ ଚାଲିଲେ ବିପଦରେ ପଡ଼ିବେ ସ୍କୁଲ ପିଲା, ପ୍ରଭାବିତ ହେବ ଜନଜୀବନ। ଆଉ ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ଜମିରେ ଗଛ କଟାକୁ ମଧ୍ୟ ବିରୋଧ କରିଛନ୍ତି ଗ୍ରାମବାସୀ। ଦାବି ଗୋଟିଏ—ଜଙ୍ଗଲ ବଞ୍ଚୁ, ଗାଁ ସୁରକ୍ଷିତ ରହୁ ଏବଂ ନିର୍ମାଣ ହେଉ ବିକଳ୍ପ ରାସ୍ତା। ତେବେ ଗ୍ରାମବାସୀଙ୍କ ଜିଦ୍ ଆଗରେ ନଇଁବ କି ପ୍ରଶାସନ?

ବ୍ରାହ୍ମଣୀ ନଦୀ ଉପରେ ସେତୁ… ଆଉ ସେତୁକୁ ନେଇ ରାସ୍ତା ବିବାଦ । ପରଜଙ୍ଗ ବ୍ଲକର ବଡ଼କମର ଏବଂ ଓଡ଼ାପଡ଼ା ବ୍ଲକର ଖଡ଼ଗପ୍ରସାଦକୁ ସଂଯୋଗ କରୁଛି ନୂତନ ସେତୁ। କିନ୍ତୁ ସେତୁରୁ ବାହାରୁଥିବା ରାସ୍ତା ଖଡ଼ଗପ୍ରସାଦ ଗାଁ ଭିତର ଦେଇ ୫୫ ନମ୍ବର ଜାତୀୟ ରାଜପଥରେ ମିଶିବା ପ୍ରସ୍ତାବକୁ ନେଇ ଆପତ୍ତି ଉଠାଇଛନ୍ତି ଗ୍ରାମବାସୀ। ଗାଁ ରାସ୍ତାରେ ଯଦି ଭାରିଯାନ ଗଡ଼ିବ, ତେବେ ଦୁର୍ଘଟଣାର ଆଶଙ୍କା ବଢ଼ିବ। ରାସ୍ତା କଡ଼ରେ ଥିବା ସ୍କୁଲ ଓ କଲେଜକୁ ଯାଉଥିବା ପିଲାଙ୍କ ସୁରକ୍ଷା ମଧ୍ୟ ବିପନ୍ନ ହୋଇପାରେ। ଏହି ଆଶଙ୍କାକୁ ନେଇ ଗାଁରେ ଅସନ୍ତୋଷ ତେଜିଛି।
କେବଳ ଗାଁ ରାସ୍ତା ନୁହେଁ, ଜଙ୍ଗଲ ଜମିକୁ ନେଇ ମଧ୍ୟ ରହିଛି ବିବାଦ। ଗ୍ରାମବାସୀଙ୍କ ଅଭିଯୋଗ, ପ୍ରସ୍ତାବିତ ରାସ୍ତା ଜଙ୍ଗଲ ମଧ୍ୟ ଦେଇ ଗଲେ ପ୍ରାୟ ୭ରୁ ୮ ଏକର ଜଙ୍ଗଲ ଜମି କ୍ଷତିଗ୍ରସ୍ତ ହୋଇପାରେ।

ଗ୍ରାମବାସୀଙ୍କ ଦାବି ସ୍ପଷ୍ଟ—ଜଙ୍ଗଲ ଭିତରେ ନୁହେଁ, ଜଙ୍ଗଲ ଜମିର ପଶ୍ଚିମ ପାର୍ଶ୍ୱ ସୀମା ଦେଇ ନିର୍ମାଣ ହେଉ ବିକଳ୍ପ ରାସ୍ତା। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ଅଗଷ୍ଟ ୧୩ ତାରିଖରେ ଜିଲ୍ଲା ପ୍ରଶାସନ, ପୂର୍ତ୍ତ ବିଭାଗର ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ଉପସ୍ଥିତିରେ ରାସ୍ତାର ନକ୍ସା ନେଇ ଆଲୋଚନା ହୋଇଥିଲା। ଜଙ୍ଗଲ ଜମିର ପଶ୍ଚିମ ପାର୍ଶ୍ୱ ଦେଇ ରାସ୍ତା ନେବାକୁ ଆଲୋଚନା ହୋଇଥିବା ସତ୍ତ୍ୱେ ପରିବର୍ତ୍ତିତ ନକ୍ସାରେ ଜଙ୍ଗଲ ମଧ୍ୟ ଦେଇ ରାସ୍ତା ନେବାର ପ୍ରସ୍ତାବ ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ସେପଟେ ଗାଁ ରାସ୍ତାରେ ଭାରିଯାନ ଚଳାଚଳକୁ ରୋକିବା ପାଇଁ ମଧ୍ୟ ଦାବି ହୋଇଛି। ବିକଳ୍ପ ରାସ୍ତା ନିର୍ମାଣ ନହେବା ପର୍ଯ୍ୟନ୍ତ କେବଳ ହାଲୁକା ଯାନ ଚଳାଚଳ କରୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏହି ରାସ୍ତା ଉପରେ ଖଡ଼ଗପ୍ରସାଦ ସମେତ କୁରୁଣ୍ଟି, ମଙ୍ଗଳପୁର, ମାନପୁର ଓ କମଳାଙ୍ଗ ଅଞ୍ଚଳର ଲୋକେ ନିର୍ଭର କରନ୍ତି। ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଓ ସ୍କୁଲ ବସ୍‌ର ଯାତାୟାତ ମଧ୍ୟ ଏହି ରାସ୍ତା ଦେଇ ହୋଇଥାଏ ତା’ ସହ ରାସ୍ତାରେ ଥିବା ତିନୋଟି କଲଭର୍ଟ ଓ କିସିନ୍ଦା ନାଳ ଉପରେ ଥିବା ପୁରୁଣା ସେତୁ ଭାରିଯାନ ଚଳାଚଳ ପାଇଁ ଉପଯୁକ୍ତ କି ନୁହେଁ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ।

ଗ୍ରାମବାସୀଙ୍କ ଦାବି ପରେ ଘଟଣାରେ ଆଲୋଚନା ଆରମ୍ଭ ହୋଇଛି। ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ଜୟନ୍ତ କୁମାର ନାୟକ ଗାଁକୁ ଯାଇ ପ୍ରସ୍ତାବିତ ରାସ୍ତାର ନକ୍ସା ଦେଖାଇବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଗ୍ରାମବାସୀଙ୍କ ପ୍ରସ୍ତାବକୁ ବିଚାର କରି ରାସ୍ତା ନିର୍ମାଣ କରାଯିବ ଏବଂ ବର୍ତ୍ତମାନ ଭାରିଯାନ ଚଳାଚଳ ଉପରେ ରୋକ ଲଗାଯିବ ବୋଲି ଅଧିକାରୀ କହିଥିବା ଗ୍ରାମବାସୀଙ୍କ ପକ୍ଷରୁ ଜଣାଯାଇଛି। ତେବେ ଏହି ଆଶ୍ୱାସନାର ବାସ୍ତବ ରୂପ କେବେ ଦେଖିବାକୁ ମିଳିବ? ଜଙ୍ଗଲ ବଞ୍ଚିବ ତ, ଗାଁ ରାସ୍ତା ସୁରକ୍ଷିତ ରହିବ ତ? ଏବେ ଏହା ହିଁ ବଡ଼ ପ୍ରଶ୍ନ। ସେତୁ ନିର୍ମାଣକୁ ସ୍ୱାଗତ କରୁଛନ୍ତି ଖଡ଼ଗପ୍ରସାଦ ଗ୍ରାମବାସୀ। କିନ୍ତୁ ସେତୁର ସୁବିଧା ନାଁରେ ଗାଁର ସୁରକ୍ଷା ଏବଂ ଜଙ୍ଗଲର ଅସ୍ତିତ୍ୱ ଯେପରି ବିପଦରେ ନପଡ଼େ, ସେଥିପାଇଁ ସେମାନେ ଅଟଳ। ଏବେ ପ୍ରଶାସନ ନିଜ ପ୍ରତିଶ୍ରୁତି କେତେ ଶୀଘ୍ର ପୂରଣ କରୁଛି, ତାହା ଉପରେ ସମସ୍ତଙ୍କ ନଜର।

Spread the love

Leave a Reply

Your email address will not be published. Required fields are marked *