୨ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଜୋରଜବରଦସ୍ତ ଗର୍ଭପାତ ଉଦ୍ୟମ ଅଭିଯୋଗ, ସ୍ୱାମୀ ଗିରଫ
ଭୁବନେଶ୍ୱର : ୨ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଜୋରଜବରଦସ୍ତ ଗର୍ଭପାତ ଓ ଫିନାଇଲ ପିଆଇ ହତ୍ୟା ଉଦ୍ୟମ ଅଭିଯୋଗରେ ସ୍ୱାମୀ ଗିରଫ । ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ସ୍ତ୍ରୀଙ୍କୁ ଦୀର୍ଘଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେବା, ଜୋରଜବରଦସ୍ତ ୨ ମାସର ଗର୍ଭପାତ କରାଇବା ଓ ଫିନାଇଲ ପିଆଇ ହତ୍ୟା ଉଦ୍ୟମ ଅଭିଯୋଗରେ ସ୍ୱାମୀ ସୌମ୍ୟ ରଞ୍ଜନ ରଣସିଂହ ଓରଫ ଲିପୁନାକୁ ଗିରଫ କରିଛି ପୋଲିସ ।
ଗତ ୩ ସେପ୍ଟେମ୍ବରରେ ଅଭିଯୁକ୍ତ ସ୍ତ୍ରୀଙ୍କୁ ଜୋରକରି ନେଇ ଫିନାଇଲ ଓ ସାବୁନ ପାଣି ପିଆଇ ହତ୍ୟା ଉଦ୍ୟମ କରିଥିଲା । ପରେ ୨୧ ସେପ୍ଟେମ୍ବରରେ ସ୍ତ୍ରୀ ୨ ମାସର ଗର୍ଭବତୀ ଥିବାବେଳେ ତାଙ୍କ ଇଚ୍ଛା ବିରୁଦ୍ଧରେ ଅଶୋକନଗରର ଏକ କ୍ଲିନିକକୁ ନେଇ ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି ।
ଏଥିସହ ଅଭିଯୋଗକାରିଣୀଙ୍କ ଝିଅର ସୁନା ରୂପା ଅଳଙ୍କାର ଓ ମୋବାଇଲ ବନ୍ଧକ ରଖି ୧୫ ହଜାର ଟଙ୍କା ହଡ଼ପ କରିଥିବା ମଧ୍ୟ ଅଭିଯୋଗ ରହିଛି । ତଦନ୍ତ ବେଳେ ପୋଲିସ କ୍ଲିନିକରୁ ବିଲ ଓ ଡାକ୍ତରୀ କାଗଜପତ୍ର ଜବତ କରିଛି । ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ତା’ ନାମରେ ପାରିବାରିକ ନିର୍ଯାତନା, ମାରପିଟ, ଆଇଟି ଆକ୍ଟ ଓ ହତ୍ୟା ଉଦ୍ୟମ ଭଳି ୯ଟି ସଙ୍ଗିନ ମାମଲା ରହିଛି । ଗିରଫ ପରେ ତାକୁ କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ ।
