ଗାଜର ଘାସ ସଚେତନତା ସପ୍ତାହ ପାଳନ

ଭୁବନେଶ୍ୱର, ଅଗଷ୍ଟ ୧୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ କୃଷି ବିଜ୍ଞାନ ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଗାଜର ଘାସ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଗତ ମଙ୍ଗଳବାର ଏହି ସଚେତନତା କାର୍ଯ୍ୟକ୍ରମ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପୁରଣପଧାନ ଗ୍ରାମର ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ସମ୍ମାନିତ ଅତିଥି ଭାବରେ ଭାରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ଶ୍ରୀ ସ୍ଥିତପ୍ରଜ୍ଞ ଖମାରି ଯୋଗଦାନ କରି ଗାଜର ଘାସର ସମସ୍ୟା ଓ ଭୟାବହତା ବିଷୟରେ ଚାଷୀମାନଙ୍କୁ ଅବଗତ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଓ କ୍ଷେତ୍ର ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡ଼କ୍ଟର ବାସୁଦେବ ବେହେରା ଗାଜର ଘାସର ନିରାକରଣ ଉପରେ ଆଲୋକପାତ କରିଥିଲେ । ଡ଼କ୍ଟର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ଼କ୍ଟର ଶୁଭପ୍ରଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶତାଧିକ ଚାଷୀଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ । ଡ଼କ୍ଟର ଅଂଶୁମାନ ଜେନାଙ୍କ ତତ୍ୱାବଧାନରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗାଜର ଘାସ ସଚେତନତା ପାଇଁ ଏକ ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକ ମଧ୍ୟ ଆୟୋଜିତ ହୋଇଥିଲା ଓ ଏହି ସଭାକୁ ସୋଆ କୃଷି ମହାବିଦ୍ୟାଳୟର କ୍ଷେତ୍ର ବିଜ୍ଞାନ ବିଭାଗ ଓ ଉଦ୍ଭିଦ ଶରୀରତତ୍ୱ ବିଭାଗ ମିଳିତ ଭାବରେ ପରିଚାଳନା କରିଥିଲେ । ଏହି ସଭାରେ ସୋଆ କୃଷି ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *