ବଦ୍ରି-କେଦାରରେ ଭିଆଇପି ଦର୍ଶନ ଶୁଳ୍କ ଉପରେ ରୋକ୍, ଦ୍ବିତୀୟ ପର୍ଯ୍ୟାୟରେ ମିଳିବ ଛାଡ଼
ଉତ୍ତରାଖଣ୍ଡ : ଚାରଧାମ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର । ଉତ୍ତରାଖଣ୍ଡ ଚାରଧାମ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ବଦ୍ରି-କେଦାର ଦର୍ଶନ କରୁଥିବା ଭିଆଇପି ଶ୍ରଦ୍ଧାଳୁଙ୍କ ପାଇଁ ଆଶ୍ବସ୍ତି ଆଣିଛନ୍ତି ସରକାର । ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ପ୍ରୋଟୋକଲରେ ଆସୁଥିବା ଭିଆଇପିଙ୍କ ଠାରୁ ନିଆଯାଉଥିବା ୧୧୦୦ ଟଙ୍କା ଯାତ୍ରୀ ଶୁଳ୍କରେ ରୋକ୍ ଲଗାଯାଇଛି ।
ଖବର ମୁତାବକ, ଚାରଧାମ ଯାତ୍ରାରେ ଭିଆଇପି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ସୁରକ୍ଷା, ପ୍ରୋଟୋକଲ ଏବଂ ଦର୍ଶନ ବ୍ୟବସ୍ଥାକୁ ନେଇ ଅତିରିକ୍ତ ଭାର ବଢିବାରେ ଲାଗିଛି । ପୂର୍ବରୁ ଏହି ଅତିରିକ୍ତ ଭାରକୁ କମ୍ କରିବା ସହ ଖର୍ଚ୍ଚ କମାଇବା ପାଇଁ ବିକେଟିସି ଏହି ଶୁଳ୍କ ପୂର୍ବରୁ ଧାର୍ଯ୍ୟ କରିଥିଲା । କିନ୍ତୁ ଏବେ ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ପାଇଁ ଶୁଳ୍କ ନ ନେବାକୁ ମନ୍ଦିର କମିଟି ଧାର୍ଯ୍ୟ କରିଛି ।
ତେବେ ଏହି ଶୁଳ୍କ ସ୍ଥାୟୀ କିମ୍ବା ଅସ୍ଥାୟୀ ଭାବେ ବନ୍ଦ ହୋଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସମିତି ଅନୁସାରେ ଏହି ଛାଡ୍ ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ଯାଏଁ ସୀମିତ ରହିଛି । ଶୁଳ୍କ ପୁଣି ଆରମ୍ଭ ହେବ କି ନାହିଁ ତାହାର ନିଷ୍ପତ୍ତି ଏବେ ସୁଦ୍ଧା ନିଆଯାଇନାହିଁ ।
ବିକେଟିସି ପକ୍ଷରୁ ଭିଆଇପି ଶ୍ରଦ୍ଧାଳୁଙ୍କ ପ୍ରାଥମିକ ଦର୍ଶନ ବ୍ୟବସ୍ଥା ଯୋଗୁଁ ବଦ୍ରିନାଥ ଧାମରେ ୧,୬୩,୧୧,୯୦୦ ଟଙ୍କା ଏବଂ କେଦାରନାଥ ଧାମରେ ୬୭,୩୭,୫୦୦ ଟଙ୍କା ଆଦାୟ ହୋଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କେଦାରନାଥ କପାଟ ଖୋଲିବା ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ଭଳି ମୁଖ୍ୟ ଦ୍ବାର ଦର୍ଶନ କରିଥିଲେ ଏବଂ କିଛି ମିନିଟରେ ଦର୍ଶନ କରି ଫେରିଆସିଥିଲେ । ତେଣୁ ଭିଆଇପି ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ନିଆଯାଉଥିବା ଶୁଳ୍କ ବ୍ୟବସ୍ଥା ଦ୍ବିତୀୟ ପର୍ଯ୍ୟାୟ ଯାତ୍ରାରେ ନ ନେବାକୁ କୁହାଯାଇଛି । ଏନେଇ ଗାଇଡଲାଇନ ପ୍ରସ୍ତୁତ କରାଯାଇ ବ୍ୟବସ୍ଥାକୁ ପୁଣିଥରେ ଲାଗୁ କରାଯିବ । ତେଣୁ ସାଧାରଣ ଶ୍ରଦ୍ଧାଳୁ ଶୀଘ୍ର ଦର୍ଶନ କରିବାକୁ ନେଇ ମନ୍ଦିର ସମିତି ପ୍ରଶାସନ ଏହାକୁ ପ୍ରାଥମିକତା ଦେଇଛି ।
