ତିନି ବିଦେଶୀ ନାଗରିକଙ୍କୁ ବିନା ଯାଞ୍ଚରେ ଯାତ୍ରା ଅନୁମତି, ଏୟାର ଇଣ୍ଡିଆ ସିଇଓଙ୍କୁ କେନ୍ଦ୍ର ସରକାରଙ୍କ ସମନ୍
ଏୟାର ଇଣ୍ଡିଆ ସିଇଓଙ୍କୁ ସମନ୍ । ତିନି ବିଦେଶୀ ନାଗରିକଙ୍କୁ ବିନା ଯାଞ୍ଚରେ ଯାତ୍ରା ଅନୁମତି ମିଳିଥିବାରୁ ସମନ୍ କରିଛନ୍ତି କେନ୍ଦ୍ର ସରକାର । ଇମିଗ୍ରେସନ୍ କ୍ଲିଅରାନ୍ସ ବାଧ୍ୟତାମୂଳକ ଥିବା ସତ୍ତ୍ବେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଏହି ତ୍ରୁଟି ଯୋଗୁ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।
ତିନି ଇଟାଲୀ ନାଗରିକଙ୍କୁ ବାଧ୍ୟତାମୂଳକ ଇମିଗ୍ରେସନ କ୍ଲିଅରାନ୍ସ ବିନା ନୂଆଦିଲ୍ଲୀରୁ ଯାତ୍ରା ଅନୁମତି ଦିଆଯାଇଥିଲା । ଫଳରେ ବିନା ଯାଞ୍ଚରେ ଦେଶ ଛାଡ଼ି ପଳାଇବାରେ ସଫଳ ହୋଇଥିଲେ ସମ୍ପୃକ୍ତ ତିନି ବିଦେଶୀ ନାଗରିକ । ଏଥିଯୋଗୁ ବେସାମରିକ ମନ୍ତ୍ରାଳୟ ପକ୍ଷରୁ ୭ ଦିନିଆ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଏହି ବଡ଼ ସୁରକ୍ଷା ତ୍ରୁଟିର ସମୀକ୍ଷା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବୈଠକ ଡକାଯାଇଛି ।
ତେବେ ଗତ ୪ ତାରିଖ ରାତି ୧୨ଟା ୫୦ରେ ତିନି ଇଟାଲୀୟ ଯାତ୍ରୀ ଏୟାର ଇଣ୍ଡିଆର ବିମାନ AI-୧୧୧୫ରେ ଅମୃତସରରୁ ଆସି ଦିଲ୍ଲୀ ଆସିଥିଲେ । ସମସ୍ତ ସୁରକ୍ଷା ଯାଞ୍ଚକୁ ଏଡ଼ାଇ ସେମାନେ ମାତ୍ର ଏକ ଘଣ୍ଟା ପରେ, ଅର୍ଥାତ୍ ରାତି ୧ଟା ୪୫ ମିନିଟରେ ମ୍ୟୁନିକ୍ ଅଭିମୁଖେ ଯାଉଥିବା ଲୁଫଥାନସା ବିମାନ LH-763 ରେ ବୋର୍ଡିଂ କରିଥିଲେ । ବିମାନଟି ଭାରତ ଛାଡ଼ିବା ପରେ ସୁରକ୍ଷା ଅଧିକାରୀମାନେ ଜାଣିବାକୁ ପାଇଲେ ଯେ ଯାତ୍ରୀମାନଙ୍କର କୌଣସି ବାଧ୍ୟତାମୂଳକ ପ୍ରସ୍ଥାନ କ୍ଲିଅରାନ୍ସ ରେକର୍ଡ ନାହିଁ ।
ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ, ହବ୍-ଆଣ୍ଡ-ସ୍ପୋକ୍ କାର୍ଯ୍ୟକଳାପ ସମୟରେ ଗ୍ରାଉଣ୍ଡ-ହ୍ୟାଣ୍ଡଲିଙ୍ଗ ପ୍ରକ୍ରିୟାରେ ଏକ ବଡ଼ ଧରଣର ବିଫଳତା ଯୋଗୁଁ ଏହି ତ୍ରୁଟି ଘଟିଛି । ଯାତ୍ରୀମାନଙ୍କ ପାଖରେ ଥିବା ବୋର୍ଡିଂ ପାସରେ ଅମୃତସର-ଦିଲ୍ଲୀ ଯାତ୍ରା ପାଇଁ ‘D’ ମାର୍କ ବା ଡୋମେଷ୍ଟିକ୍ ମାର୍କ ରହିଥିଲା । ଯାହାଫଳରେ ନିୟମ ଅନୁଯାୟୀ ସେମାନେ ଡୋମେଷ୍ଟିକ୍ ଆରାଇଭାଲ୍ ଦେଇ ବାହାରକୁ ଆସିବା କଥା ।
ଏହାସହ ପୁଣିଥରେ ଅନ୍ତର୍ଜାତୀୟ ପ୍ରସ୍ଥାନ ଗେଟ୍ ଦେଇ ବ୍ୟୁରୋ ଅଫ୍ ଇମିଗ୍ରେସନ କାଉଣ୍ଟରରେ ସେମାନଙ୍କର କାଗଜପତ୍ର ଯାଞ୍ଚ କରାଯିବା କଥା । କିନ୍ତୁ ଗ୍ରାଉଣ୍ଡ ଷ୍ଟାଫ୍ ଭୁଲବଶତଃ ସେମାନଙ୍କୁ ୱାନ୍-ଟୁ-ୱାନ୍ ଟ୍ରାନ୍ସଫର ଚ୍ୟାନେଲ ଦେଇ ପଠାଇ ଦେଇଥିଲେ । ଫଳରେ ବିଦେଶୀ ଯାତ୍ରୀମାନେ ସିଧାସଳଖ ଲୁପଥାନ୍ସା ବିମାନ ଯୋଗେ ବିଦେଶ ଯିବାକୁ ସକ୍ଷମ ହୋଇଥିଲେ । ଏହି ତ୍ରୁଟି ପରିଲକ୍ଷିତ ହେବା ପରେ କେନ୍ଦ୍ର ସରକାର ଏହାକୁ ଅତି ସମ୍ବେଦନଶୀଳ ସୀମା ସୁରକ୍ଷା ବିଫଳତା ଭାବେ ଗ୍ରହଣ କରିଛନ୍ତି । ଏହାସହ ଏୟାର ଇଣ୍ଡିଆ ସିଇଓଙ୍କୁ ସମନ କରିଛନ୍ତି ।
