ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

Pravasi Odia : ଓଡ଼ିଶାରେ ଜନ୍ମିତ ଉଦ୍ୟୋଗୀ ତଥା ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ କ୍ୟାପ୍ଟେନ୍ ଅରୁଣ କରଙ୍କୁ ୨୦୨୬ ପାଇଁ ‘ଟପ୍ ୫୦ ମୋଷ୍ଟ ଆମ୍ବିସିଅସ୍ ବିଜନେସ୍ ଲିଡର୍ସ’ ତାଲିକାରେ ସ୍ଥାନ ମିଳିଛି। ବ୍ରିଟେନ୍‌ଭିତ୍ତିକ ଟେକ୍ନୋଲୋଜି କମ୍ପାନୀ ଏକ୍ସପର୍ଟନେଷ୍ଟର ପ୍ରତିଷ୍ଠାତା ଅରୁଣ କଟକରେ ଜନ୍ମଗ୍ରହଣ କରିଛନ୍ତି। ଓଡ଼ିଶାରୁ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରା ଭାରତୀୟ ସେନାରୁ ବ୍ରିଟେନ୍‌ର ଉଦ୍ୟୋଗ ଜଗତ ପର୍ଯ୍ୟନ୍ତ ପହଞ୍ଚିଛି। ଏବେ ତାଙ୍କ ଏହି ଯାତ୍ରା ବ୍ରିଟେନ୍‌ର ପ୍ରମୁଖ ବ୍ୟବସାୟିକ ମଞ୍ଚରେ ସ୍ୱୀକୃତି ହାସଲ କରିଛି।

ଲଏଡ୍ସ ବ୍ୟାଙ୍କିଙ୍ଗ ଗ୍ରୁପ୍‌ର ଅଂଶ ଏଲ୍‌ଡିସି ପକ୍ଷରୁ ‘ଦ ଟାଇମ୍ସ’ ସହଭାଗିତାରେ ଆୟୋଜିତ ହୋଇଥିଲା ‘ଦ ଏଲ୍‌ଡିସି ଟପ୍ ୫୦’ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଲଣ୍ଡନର ବାଫ୍ଟାରେ ଆୟୋଜିତ ସମାରୋହରେ ଅରୁଣଙ୍କୁ ବ୍ରିଟେନ୍‌ର ବିଭିନ୍ନ ଅଞ୍ଚଳର ପ୍ରମୁଖ ଉଦ୍ୟୋଗୀ ଓ ବ୍ୟବସାୟୀ ନେତାଙ୍କ ସହ ସମ୍ମାନିତ କରାଯାଇଥିଲା। ଲଏଡ୍ସ ବ୍ୟାଙ୍କିଂ ଗ୍ରୁପ୍‌ର ଅଂଶ ଥିବା ପ୍ରାଇଭେଟ୍ ଇକ୍ୱିଟି ନିବେଶକ ଏଲ୍‌ଡିସି, ‘ଦ ଟାଇମ୍ସ’ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି। ୨୦୧୮ରୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶହ ଶହ ଉଲ୍ଲେଖନୀୟ ଉଦ୍ୟୋଗୀଙ୍କ ଉଚ୍ଚାକାଂକ୍ଷା ଓ ସଫଳତାକୁ ସମ୍ମାନିତ କରାଯାଇଆସୁଛି।

ଏହି ତାଲିକାରେ ସ୍ଥାନ ପାଇଥିବା ବ୍ୟବସାୟୀମାନେ ବ୍ୟବସାୟର ବିକାଶ ଓ ବିସ୍ତାର ସହ ଦୀର୍ଘମିଆଦୀ ଭିତ୍ତିରେ ମଜବୁତ ବ୍ୟବସାୟ ଗଢ଼ିବାରେ ଗୁରୁତ୍ୱ ଦେଉଛନ୍ତି। ସେମାନେ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ ବଢ଼ାଇବା ସହ ନୂଆ ଉତ୍ପାଦ ଓ ସେବା ବିକଶିତ କରୁଛନ୍ତି। ପ୍ରଚଳିତ ବଜାରରେ ନୂଆ ସୁଯୋଗ ସୃଷ୍ଟି କରିବା ସହ କର୍ମଚାରୀଙ୍କ ବିକାଶରେ ମଧ୍ୟ ନିବେଶ କରୁଛନ୍ତି। ଏହି ପଦକ୍ଷେପ ବ୍ରିଟେନ୍‌ର ଅର୍ଥନୀତିକୁ ଅଧିକ ମଜବୁତ ଓ ପ୍ରତିସ୍ପର୍ଦ୍ଧୀ କରିବାରେ ସହାୟକ ହେଉଛି।

ଏହି ୫୦ ଜଣ ବ୍ୟବସାୟୀଙ୍କ କମ୍ପାନୀଗୁଡ଼ିକ ମିଶି ବର୍ଷକୁ ୧.୪ ବିଲିୟନ୍ ପାଉଣ୍ଡ ଆୟ କରୁଛନ୍ତି ଏବଂ ପ୍ରାୟ ୮,୫୦୦ ଲୋକଙ୍କୁ ରୋଜଗାର ଦେଉଛନ୍ତି। ଏହି କମ୍ପାନୀଗୁଡ଼ିକର ମୁଖ୍ୟାଳୟ ବ୍ରିଟେନ୍‌ର ୫୫ଟି ସହର ଓ ଅଞ୍ଚଳରେ ରହିଛି। ଏହା ବ୍ରିଟେନ୍‌ର ଅର୍ଥନୀତି ଓ ସ୍ଥାନୀୟ ଅଞ୍ଚଳର ବିକାଶରେ ମଧ୍ୟମ ଆକାରର ବ୍ୟବସାୟଗୁଡ଼ିକର ଅବଦାନକୁ ଦର୍ଶାଉଛି।

ଅରୁଣ କରଙ୍କ ଉଦ୍ୟୋଗୀ ହେବାର ଯାତ୍ରା ଅନ୍ୟମାନଙ୍କଠାରୁ ଟିକେ ଭିନ୍ନ। ସେ ପୂର୍ବରୁ ଭାରତୀୟ ସେନାରେ ଅଧିକାରୀ ଭାବେ କାମ କରୁଥିଲେ। କିନ୍ତୁ ଏକ ସ୍ୱାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ତାଙ୍କ ସେନା ଜୀବନ ଅଧାରୁ ଶେଷ ହୋଇଯାଇଥିଲା। ଏହା ପରେ ସେ ବ୍ୟବସାୟ କ୍ଷେତ୍ରରେ ପାଦ ରଖିଥିଲେ। ୨୦୧୬ରେ ବ୍ରିଟେନ୍‌ରେ ଏକ୍ସପର୍ଟନେଷ୍ଟ ଆରମ୍ଭ କରି ସେ ପ୍ରଯୁକ୍ତି ଓ ନୂଆ ଚିନ୍ତାଧାରା ମାଧ୍ୟମରେ ବାସ୍ତବ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ।

ଅରୁଣଙ୍କ ବାପା ଡ. ମନୋରଞ୍ଜନ କର ଓ ମାଆ ରଶ୍ମିରେଖା କର କହିଛନ୍ତି, “ସେନା ଜୀବନରୁ ଉଦ୍ୟୋଗୀ ହେବା ପର୍ଯ୍ୟନ୍ତ ଅରୁଣଙ୍କ ଯାତ୍ରାକୁ ଅତି ନିକଟରୁ ଦେଖିବା ଆମ ପାଇଁ ଏକ ଚମତ୍କାର ଅନୁଭୂତି। ସେ ଯେଉଁ ଦୃଢ଼ତା ଓ ସାହସ ଦେଖାଇଛନ୍ତି, ସେଥି ପାଇଁ ଆମେ ଗର୍ବିତ।

ଏକ୍ସପର୍ଟନେଷ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତଥା ଅରୁଣ କରଙ୍କ ପତ୍ନୀ ନିଧି କର କହିଛନ୍ତି, ଏହି ଯାତ୍ରାରେ ନେକ ଚ୍ୟାଲେଞ୍ଜ ଥିଲା । ତେବେ ତାଙ୍କର ଦୃଢ଼ତା ଓ ଆଗକୁ ବଢ଼ିବାର ବିଶ୍ୱାସକୁ ମୁଁ ନିଜ ଆଖିରେ ଦେଖିଛି। ଏହି ସ୍ୱୀକୃତି ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ।” ଏକ୍ସପର୍ଟନେଷ୍ଟର ପ୍ରତିଷ୍ଠାତା ତଥା ସିଟିଓ ଚିନ୍ତନ ପନାରା କହିଛନ୍ତି, “ବାସ୍ତବ ସମସ୍ୟାର ସମାଧାନ ଉପରେ ଧ୍ୟାନ ରଖି ଅରୁଣ ସବୁବେଳେ ଆମକୁ ବଡ଼ ଭାବିବାକୁ ପ୍ରେରଣା ଦେଇଛନ୍ତି। ଏହି ସ୍ୱୀକୃତି ତାଙ୍କର ସେହି ଆକାଂକ୍ଷାକୁ ପ୍ରତିଫଳିତ କରୁଛି।”

ଅରୁଣ କର କହିଛନ୍ତି, ଆଗକୁ ଏକ୍ସପର୍ଟନେଷ୍ଟର ବ୍ୟବସାୟ ବଢ଼ାଇବା ସହ ଏହାର ପ୍ରଭାବ ଲୋକଙ୍କ ଜୀବନରେ ମଧ୍ୟ ଦେଖାଯିବା ତାଙ୍କ ଲକ୍ଷ୍ୟ। ସେ କହିଛନ୍ତି, “ମୋ ପାଇଁ କେବଳ ବ୍ୟବସାୟ ବଢ଼ିବା ଯଥେଷ୍ଟ ନୁହେଁ। ଏହି ବିକାଶ ଯେପରି ଲୋକଙ୍କ ପାଇଁ ନୂଆ ସୁଯୋଗ ଆଣିବ, ଗ୍ରାହକଙ୍କ ବାସ୍ତବ ସମସ୍ୟାର ସମାଧାନ କରିବ ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିପାରୁଥିବା ପ୍ରଯୁକ୍ତି ବିକଶିତ କରିବ, ସେଥିପାଇଁ ଆମେ କାମ କରିବୁ।”

Spread the love

Leave a Reply

Your email address will not be published. Required fields are marked *