ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳର ବନ୍ୟାଚଂଳ ଗସ୍ତ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ସମଗ୍ର ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି। ବିଶେଷ କରି ଉପକୂଳ ଜିଲ୍ଲା ଗୁଡିକରେ ବନ୍ୟା ପରିସ୍ଥିତିର ପ୍ରଭାବ ଅଧିକ ରହିଛି । ବନ୍ୟାକୁ ୫ ଦିନ ବିତି ଯାଥିଲେ ସୁଦ୍ଧା ପ୍ରଶାସନ କିମ୍ବା ସରକାର ବନ୍ୟା ପ୍ରପିଡୀତଙ୍କ ପାଖରେ ପହଂଚି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବନ୍ୟାଜଳ ନିଷ୍କାଷନ ପାଇଁ ପ୍ରଶାସନର କୈାଣସି ବ୍ୟବସ୍ଥା ନାହିଁ।ବର୍ତମାନ ଜିଲ୍ଲାର ହଜାର ହଜାର ହେକ୍ଟର ଫସଲ ସଂପୂର୍ଣ୍ଣ ନଷ୍ଟ ହୋଯାଇଛି। ଜଳବନ୍ଦୀରେ ବହୁ ବହୁ ଲୋକ ଫସି ରହିଥିବାବେଳେ ପ୍ରଚୁର ପରିମାଣରେ ଚାଷ ଓ ପଶୁ ସଂପଦ ନଷ୍ଟ ହୋଇଛି ବୋଲି ବିରୋଧୀ ଦଳନେତା ପ୍ରଦୀପ୍ତ ନାଏକ ବନ୍ୟାଂଚଳ ବୁଲି ସାରିବା ପରେ କହିଛନ୍ତି ।ବିରୋଧୀ ଦଳନେତା ଶ୍ରୀ ନାଏକଙ୍କ ନେତୃତ୍ୱରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳପୁରୀ ଜିଲ୍ଲା କଣାସ ବ୍ଲକର ପାଣ୍ଡଆକେରା ପଂଚାୟତର ବିଭିନ୍ନ ଗ୍ରାମ ଯଥା ପାଣ୍ଡିଆକେରା, ଘରଚିଆଁ, ଗଡମାଟିଆପଡା (ନୂଆସାହି), ବଗିପଡା ଏବଂ ପିପିଲି ବ୍ଲକର କଂଟି ପଂଚାୟତର କଂଟି ଓ ଭାରତୀପୁର ଗ୍ରାମ ଆଦି ବନ୍ୟାଚଂଳକୁ ବୋଟ ଯୋଗେ ଗସ୍ତକରି ଲୋକଙ୍କ ସହ ଆଲୋଚନା କରିବା ସହ ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି।

ବନ୍ୟା ଯୋଗୁଁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକମାନଙ୍କ ପାଖରେ ପ୍ରଶାସନ ପହଂଚି ନଥିବାରୁ ଗୋପାଳପୁର ପଂଚାୟତର ହଜାର ହଜାର ଲୋକ ପାଣି ଘେରରେ ଅଛନ୍ତି। କିଛି ମାଟି ଘର ଭାଙ୍ଗି ଯାଇଛି। ଲୋକଙ୍କ ପାଖରେ ପିଇବା ପାଣି, ଶୁଖିଲା ଖାଦ୍ୟ, ଔଷଧ ମହଜୁଦ୍ ନାହିଁ । ବନ୍ୟା ପ୍ରପୀଡିତ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ଏବଂ ଗୃହପାଳିତ ପଶୁମାନଙ୍କ ପାଖରେ ଗୋ ଖାଦ୍ୟ ପହଂଚି ନାହିଁ । ବନ୍ୟା ଜଳ ନିଷ୍କାସନ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ । ବନ୍ୟାର ୪ ଦିନ ପରେ ବି ପ୍ରଶାସନର କୌଣସି ଅଧିକାରୀ ଏହି ଅଂଚଳକୁ ଆସିନାହାଁନ୍ତି। ପୂର୍ବରୁ ରାଜ୍ୟସରକାର ବନ୍ୟା ହେବା ନେଇ କୌଣସି ପ୍ରକାର ସୂଚନା ଦେଇନଥିଲେ । ବନ୍ୟା ପୂର୍ବରୁ ନଦୀ ବନ୍ଧ ସୁରକ୍ଷିତ ଅଛି ବୋଲି ସରକାର ଲୋକଙ୍କୁ ଆଶ୍ୱସ୍ତ କରିଥିଲେ। ରାଜ୍ୟସରକାର କିମ୍ବା ଜିଲ୍ଲାପ୍ରଶାସନ ବନ୍ୟା ନେଇ କୌଣସି ପ୍ରକାରର ପ୍ରସ୍ତୁତି ନଥିବାର ଏଥିରୁ ଏହା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ନାଏକ କହିଛନ୍ତି ।

ଶ୍ରୀ ନାଏକ କହିଛନ୍ତି ଯେ, ଏହିବନ୍ୟା ମନୁଷ୍ୟକୃତ ଅଟେ। ଜାଣିଶୁଣି ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି କରାଯାଇଛି । ଏହା ଦ୍ୱାରା ବ୍ୟାପକ ଅଂଚଳ ଜଳମଗ୍ନ ହୋଇ ବହୁ କ୍ଷୟକ୍ଷତି ହୋଇଛି । ରାଜ୍ୟ ସରକାର ଓ ପ୍ରଶାସନ ତୁରନ୍ତ ବନ୍ୟାଚଂଳରେ ରିଲିଫ ସାମଗ୍ରୀ, ଖାଦ୍ୟସାମଗ୍ରୀ ଆଦି ପହଂଚାବାର ବନ୍ଦୋବସ୍ତ କରିବାକୁ ଶ୍ରୀ ନାଏକ ଦାବୀ କରିଛନ୍ତି ।

ଏହି ପ୍ରତିନିଧୀ ଦଳରେ ବିରୋଧୀ ଦଳ ସଚେତକ ମୋହନ ମାଝୀ, ବିଦାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାର୍ର, ବିଜେପି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ସୁରଥ ବିଶ୍ୱାଳ, ରମାରଂଜନ ବଳିଆରସିଂହ ପ୍ରମୁଖ ସାମିଲ ଥିଲେ।

Spread the love