ଏଣିକି ଗୋଟିଏ ମିସଡ଼୍ କଲରେ ଘରେ ପହଞ୍ଚିବ ଗ୍ୟାସ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡ଼ିଜିଟାଲ ଇଣ୍ଡିଆର ସ୍ୱପ୍ନ ସାକାର କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରୁ ଇଣ୍ଡିଆନ ଅଏଲ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ଦେଶରେ ଇଣ୍ଡିଆନ ଅଏଲର ଉପଭୋକ୍ତାଙ୍କ ପାଇଁ ରନ୍ଧନ ଗ୍ୟାସ ରିଫିଲ ବୁକିଂ ଏବଂ କେବଳ ଭୁବନେଶ୍ୱରରେ ନୂତନ ଗ୍ୟାସ ସଂଯୋଗର ପଞ୍ଜୀକରଣ ନିମନ୍ତେ ମିସଡ୍ କଲ୍ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ସୁବିଧା ଉପଲବ୍ଧ ଫଳରେ ଇଣ୍ଡିଆନ ଅଏଲର ଉପଭୋକ୍ତାମାନେ ଏଣିକି ମୋବାଇଲ ଫୋନରୁ ୮୪୫୪୯୫୫୫୫୫ ନମ୍ବରରେ ଗୋଟିଏ ମିସକଲ୍ ଦେଲେ ଘରେ ଗ୍ୟାସ ପହଞ୍ଚିଯିବ ଓ ନୂଆ ଗ୍ୟାସ ସଂଯୋଗ ପାଇଁ ପଞ୍ଜିକରଣ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଅବସରେର ଶ୍ରୀ ପ୍ରଧାନ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ଦେଶର ୭ଟି ବଡ଼ ସହର ଯଥା ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଲକାତା, କୋଚି, ଇନ୍ଦୋର ସହରରେ ଇଣ୍ଡିଆନ ଅଏଲ ଦ୍ୱାରା ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ ତଥା ଏକ୍ସପି ୧୦୦ର ପ୍ରଚଳନର ଶୁଭାରମ୍ଭ କରିଛନ୍ତି। ସେହିପରି ଭିଡ଼ିଓ କନଫେରନ୍ସିଂ ମାଧ୍ୟମରେ ଆସାମର ଦିଗବୋଇ ବିଶୋଧନାଗାରରୁ ଏକ୍ସପ ୧୦୦ର ପ୍ରଥମ ବ୍ୟାଚକୁ ସବୁଜ ପତାକା ପ୍ରଦର୍ଶନ ଦ୍ୱାରା ଶୁଭାରମ୍ଭ ମଧ୍ୟ ହୋଇଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଭୁବନେଶ୍ୱରରୁ ରାଷ୍ଟ୍ରୀୟ ସୁବିଧାର ଉପଲବ୍ଧ ହେବା ଏହାର ବଡ଼ ଉଦାହରଣ । ଏହା ନୂଆବର୍ଷରେ ଭୁବନେଶ୍ୱର ଓ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଡ଼ିଜିଟାଲ ଉପହାର। ତେବେ ଖୁବଶୀଘ୍ର ଓଡ଼ିଶାରେ ସବୁ ଇଣ୍ଡେନର ଗ୍ରାହକ ମାନଙ୍କୁ ଏହି ମିସଡ୍ କଲରେ ଗ୍ୟାସ ପଞ୍ଜିକରଣ ସୁବିଧା ଉପଲବ୍ଧ କରାଯିବ ଏବଂ ଆଗାମୀ କିଛି ମାସରେ ଦେଶରେ ସୁବୁଠି ଏହି ଡିଜିଟାଲ ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି।

Spread the love