ବିଶ୍ୱବାସୀ ଶୁଣିବେ ଓଡିଆ ସଂଗୀତ ‘ଉତ୍କଳ ଜନନୀ ମମତା ମୟୀ’…

କଟକ: ବିଶ୍ୱବାସୀ ଶୁଣିବେ ‘ଉତ୍କଳ ଜନନୀ ମମତା ମୟୀ’  ସଂଗୀତ । ଅନନ୍ତ ବଳିଆ ଟ୍ରଷ୍ଟ ଦ୍ୱାରା ରେକର୍ଡ କରାଯାଉଥିବା ଏହି ଓଡ଼ିଆ ସାଂସ୍କୃତିକ ସଙ୍ଗୀତ ବିଶ୍ୱର ୩୦ଟି ଦେଶରେ ଏପ୍ରିଲ ୧ ଅର୍ଥାତ୍ ଉତ୍କଳ ଦିବସରେ ରିଲିଜ ହେବ ।  ଆଧ୍ୟାତ୍ମିକ ଗୁରୁ ପଦ୍ମଶ୍ରୀ ବାବା ବଳିଆ ଏହି ସଂଗୀତକୁ ରଚନା କରି ଥିବାବେଳେ କଟକ ସିଡିଏ ପ୍ରତିଭା ଷ୍ଟୁଡ଼ିଓରେ ଗୀତ ରେକଡିଂ କରାଯାଇଛି ।

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଆରିଲୋର ଅନନ୍ତ ବଳିଆ ଟ୍ରଷ୍ଟ ଦ୍ୱାରା ନିର୍ମିତ ଏହି ସଂଗୀତରେ ଓଡ଼ିଶାର ମାଟି, ପାଣି, ପବନ, ସଂସ୍କୃତି, ପରମ୍ପରା, ଚାଲିଚଳନ ଓ ସଭ୍ୟତାକୁ ବର୍ଣ୍ଣନା କରାଯାଇଛି । ସଂଗୀତର ଅଡିଓ ଓ ଭିଡିଓ ବିଶ୍ୱର ୩୦ଟି ଦେଶରେ ରିଲିଜ କରାଯିବ ।

ଏହାକୁ ସଙ୍ଗୀତରେ ସଜାଇଛନ୍ତି ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ । କେବଳ ଓଡ଼ିଆ ଭାଷାରେ ଏହି ସଙ୍ଗୀତ ରେକର୍ଡ କରାଯାଇଥିବା ସହ ଭିଡିଓ ମାଧ୍ୟମରେ କଣ୍ଠଶିଳ୍ପୀମାନେ ଅଭିନୟ ଓ ଓଡ଼ିଶାର ସମସ୍ତ ଚିତ୍ରକୁ ଭିଡିଓ ମାଧ୍ୟମରେ ଦେଖାଯିବ ବୋଲି କହିଛନ୍ତି ପବିତ୍ର ।

ଅନ୍ୟପଟେ ଏହି ସଙ୍ଗୀତକୁ ଗାଇଛନ୍ତି ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା କୋଣଅନୁକୋଣର ୧୦ ଜଣ ପ୍ରଖ୍ୟାତ କଣ୍ଠଶିଳ୍ପୀମାନେ। ସଂଗୀତଗାନ କରିଥିବା କଣ୍ଠଶିଳ୍ପୀମାନେ ହେଉଛନ୍ତି ସତ୍ୟଜିତ ପ୍ରଧାନ, ଶଶାଙ୍କ ଶେଖର, ବିଷ୍ଣୁ ମୋହନ କବି, ପ୍ରଶାନ୍ତ କୁମାର, କୁମାର ଦିଲ୍ଲୀପ, ଅନ୍ତରା ଚକ୍ରବର୍ତ୍ତୀ, ଜାଗୃତି ମିଶ୍ର, ସସ୍ମିତା ମହାନ୍ତି, ପ୍ରତିଭା ପ୍ରଧାନ ଓ ସ୍ନେହା ଦେବତା ପ୍ରମୁଖ।

Spread the love