ଚତୁର୍ଥ ଟି୨୦ରେ ଭାରତର ଦମଦାର ବିଜୟ : ମ୍ୟାଚ୍ ସହ ସିରିଜ୍ ଆଗୁଆ ଦଖଲ କଲା ରୋହିତ ସେନା

ନୂଆଦିଲ୍ଲୀ ୦୭/୦୮: ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତ ୫୯ ରନ୍‌ରେ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍‌ ବିନିମୟରେ ୧୯୧ ରନ୍‌ ସଂଗ୍ରହ କରିଥିଲା । ଜବାବରେ ୱେଷ୍ଟ ଇଣ୍ଡିଜ୍‌ ୧୯.୧ ଓଭରରେ ୧୩୨ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଭେଶ ଖାନ ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ଏହି ବିଜୟ ସହ ଭାରତ ୩-୧ରେ ସିରିଜ ବିଜୟ ହାସଲ କରିଥିଲା । ରବିବାର ଅନ୍ତିମ ମ୍ୟାଚ୍‌ ଖେଳାଯିବ ।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ୱେଷ୍ଟ ଇଣ୍ଡିଜ୍‌ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ପାଳି ଆରମ୍ଭ କରିଥିଲେ । ଉଭୟ ପ୍ରାରମ୍ଭରୁ ଦର୍ଶନୀୟ ସଟ୍‌ମାନ ଖେଳି ୫୩ ରନ୍‌ର ଭାଗିଦାରୀ ଗଠନ କରିଥିଲେ । ପଞ୍ଚମ ଓଭରରେ ରୋହିତଙ୍କୁ ଆଉଟ୍‌ କରି ଅକିଲ ହୋସେନ ଦଳକୁ ଆସ୍ୱସ୍ତ କରିଥିଲେ । ରୋହିତ ୧୬ଟି ବଲ୍‌ରୁ ୨ଚୌକା ଓ ୩ଛକା ବଳରେ ୩୩ ରନ୍‌ କରି ଆଉଟ୍‌ ହୋଇଥିଲେ । ସୂର୍ଯ୍ୟକୁମାର ୧୪ଟି ବଲ୍‌ରୁ ୨୪(୧ଚୌକା, ୨ଛକା) ରନ୍‌ କରିଥିବାବେଳେ ଅଲ୍‌ଜାରୀ ଜୋଶେଫଙ୍କ ଶିକାର ସାଜିଥିଲେ ।

୬୧ ରନ୍‌ରେ ଭାରତ ୨ଟି ୱିକେଟ୍‌ ହରାଇଥିଲା । ଏହାପରେ ଦୀପକ ହୁଡ଼ା ଓ ରିଷଭ ପନ୍ତ ସତର୍କତାର ସହ ବ୍ୟାଟିଂ କରି ୪୭ ରନ୍‌ର ଭାଗିଦାରୀ ଗଢିଥିଲେ । ଦଳୀୟ ସ୍କୋର ୧୦୮ ବେଳେ ହୁଡ଼ା ବ୍ୟକ୍ତିଗତ ୨୧ ରନ୍‌ କରି ପାଭିଲିୟନ ଫେରିଥିଲେ । ପନ୍ତଙ୍କ ସହ ସଞ୍ଜୁ ସାମସନ କ୍ରିଜରେ ଯୋଗ ଦେଇ ଦଳୀୟ ସ୍କୋରକୁ ୧୪୬ରେ ପହଞ୍ଚାଇଥିଲେ । ପନ୍ତ ୪୪(୬ଚୌକା) ରନ୍‌ କରି ଆଉଟ୍‌ ହେବା ପରେ ପରେ ଦଳ ଦିନେଶ କାର୍ତ୍ତିକ(୬) ଙ୍କ ୱିକେଟ୍‌ ହରାଇଥିଲା । ସାମସନଙ୍କ ସହ ଅକ୍ଷର ପଟେଲ କ୍ରିଜ୍‌ରେ ଅପରାଜିତ ରହି ଦଳୀୟ ସ୍କୋରକୁ ୧୯୧ରେ ପହଞ୍ଚାଇଥିଲେ । ସାମସନ ୨୩ଟି ବଲ୍‌ରୁ ୩୦(୨ଚୌକା, ୧ଛକା) ଓ ପଟେଲ ୮ଟି ବଲ୍‌ରୁ ୨୦(୧ଚୌକା, ୨ଛକା) ରନ୍‌ କରିଥିଲେ । ୱେଷ୍ଟ ଇଣ୍ଡିଜ୍‌ ପକ୍ଷରୁ ଓବେଡ ମ୍ୟାକ୍‌କୟ ଓ ଅଲଜାରୀ ଜୋଶେଫ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

ଜବାବରେ ୱେଷ୍ଟ ଇଣ୍ଡିଜ୍‌ ୧୮ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା । ବ୍ୟକ୍ତିଗତ ୧୩ ରନ୍‌ କରି ବ୍ରାଣ୍ଡନ କିଙ୍ଗ ପ୍ରଥମେ ଆଉଟ୍‌ ହୋଇଥିଲେ । ଏହାପରେ ୱେଷ୍ଟ ଇଣ୍ଡିଜ୍‌ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ୧୯.୧ ଓଭରରେ ୧୩୨ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନିକୋଲାସ୍‌ ପୂରନ ୨୪, ରୋଭମାନ ପାୱେଲ୍‌ ୨୪, ସିମରନ ହେତମେୟର ୧୯, ଜାସନ ହୋଲ୍ଡର ୧୩, କେଲି ମେୟର୍ସ ୧୪ ରନ୍‌ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ଟି ୱିକେଟ୍‌ ନେଇଥିଲେ ।

Spread the love