ଆଜିଠୁ ଶ୍ରୀକ୍ଷେତ୍ରରେ ପବିତ୍ର ଝୁଲଣ ଯାତ୍ରା : ଝୁଲିବେ ଦେବାଦେବୀ

ପୁରୀ ୦୭।୦୮: ଆଜିଠାରୁ ଶ୍ରୀକ୍ଷେତ୍ରରେ ପବିତ୍ର ଝୁଲଣ ଯାତ୍ରା । ୭ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ସହ ପୁରୀର ମଠବାଡ଼ି ଗୁଡ଼ିକ ବେଶ୍ ଚଳଚଞ୍ଚଳ ହୋଇଉଠିଛି । ବିଶେଷ କରି ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡ଼ିକରେ ପ୍ରାୟ ଶହ ଶହ ବର୍ଷ ଧରି ଏହି ଝୁଲଣ ଉତ୍ସବ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଏ। ମଠବାଡ଼ି ଗୁଡ଼ିକ ଜରି ଜମ୍ୱୁରା, ସୋଲ ଓ ବିଭିନ୍ନ ରଂଗୀନ କାଗଜରେ ଝୁଲଣ କୁଞ୍ଜ ନିର୍ମାଣ କରି ରାଧାକୃଷ୍ଣଙ୍କ ଦୋଳି ଖେଳର ଆୟୋଜନ କରିଥାନ୍ତି।

ଝୁଲଣ ଯାତ୍ରା ଅବସରରେ ପ୍ରତ୍ୟେକ ଦିନ ମଠବାଡ଼ି ଗୁଡ଼ିକରେ ଭଜନ, କିର୍ତ୍ତନ, ଓଡ଼ିଶୀ, ପାଲା, ନୃତ୍ୟ ସଂଗୀତ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ।  ଅନ୍ୟପଟେ ଶ୍ରୀମନ୍ଦିରର ମୁକ୍ତିମଣ୍ଡପ ନିକଟରେ ଝୁଲଣ କୁଞ୍ଜ ତିଆରି କରାଯାଇଥିବା ବେଳେ ସେଥିରେ ଲକ୍ଷ୍ମୀ, ସରସ୍ୱତୀ ଓ ମଦନମୋହନ ଚଳନ୍ତି ପ୍ରତିମାଙ୍କୁ ଅଣାଯାଇ ଝୁଲଣ ଉତ୍ସବ ପାଳନ କରାଯାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଅନେକ ଯାତ୍ରା ମାନଙ୍କ ମଧ୍ୟରୁ ଝୁଲଣ ଯାତ୍ରା ଅନ୍ୟତମ। ଏହି ଝୁଲଣ ଯାତ୍ରା ଆଜି ଅର୍ଥାତ୍ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରୁ ଆରମ୍ଭ ହୋଇ ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ଶେଷ ହେବ।

ତେବେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ଝୁଲଣ ଯାତ୍ରା ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ବେଶ୍ ଗହଳି ଲାଗିଛି। ସେହିପରି ମଠବାଡ଼ି ଗୁଡ଼ିକରେ ଆଜି ସଂନ୍ଧ୍ୟାରେ ଝୁଲଣ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

Spread the love