“୫-ଟି ଏବଂ ମୋ ସରକାର”କୁ ବ୍ୟବାହାର କରି ‘ଦୁଷ୍କର୍ମ ଏବଂ ହତ୍ୟା’ ଭଳି ନାରକୀୟ ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଉଛି: ବିଜେପି

ରାଜ୍ୟରେ ନାରୀ ନିର୍ଯ୍ୟାତନା, ମହିଳା ଓ ନାବାଳିକା ଦୁ୍ଷ୍କର୍ମ ଭଳି ଅତ୍ୟନ୍ତ ନିନ୍ଦନୀୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ବହୁ ଚର୍ଚ୍ଚିତ ସ୍ମିତାରାଣୀ, ବେବିନା, ଇତିଶ୍ରୀ ଆଦି ଅଧିକାଂଶ ଘଟଣାରେ ଶାସକ ବିଜେଡି ଦଳର ସଂପୃକ୍ତି ପ୍ରମାଣିତ ହୋଇଛି । ଅନ୍ୟ ପଟେ ରାଜ୍ୟ ସରକାର ୫-ଟି ଏବଂ ମୋ ସରକାର‛କୁ ବ୍ୟବାହାର କରି ‘ଦୁଷ୍କର୍ମ ଏବଂ ହତ୍ୟା’ ଭଳି ନାରକୀୟ
ଘଟଣାକୁ ଆତ୍ମହତ୍ୟାର ରୂପ ଦେଉଛନ୍ତି ବୋଲି ବରିଷ୍ଠ ନେତା ଶ୍ରୀ ବିଭୁ ପ୍ରସାଦ ତରାଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଶ୍ରୀ ତରାଇ ଅଭିଯୋଗ କରି କହିଛନ୍ତି ଯେ, ଗତ ମଭେମ୍ବର ୧୦ ତାରିଖ ଦିନ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ
ଚୁନବାଲାରୀ ଗ୍ରାମର ୧୮/୧୯ ବର୍ଷୀୟ ଯୁବତୀ ଶୁଭଲକ୍ଷ୍ମୀ ଓଝାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ପରେ ମୃତଦେହକୁ ତିର୍ତୋଲ ଅଂଚଳର ବନ୍ଧବାଟୀ ରେଲୱେ ଟ୍ରାକ ନିକଟରୁ ଉଦ୍ଧାର କରାଯାଇଥିଲା । ମୃତ ଶୁଭଲକ୍ଷ୍ମୀର ବାପା ସ୍ଥାନୀୟ ଥାନାରେ ହତ୍ୟା ହୋଇଥିବା ବିଷୟରେ ଏତଲା ଦେଇଥିଲେ । ମାତ୍ର ଏତଲାକୁ ଗ୍ରହଣ ନକରି ଥାନାଧିକାରୀ ଏହାକୁ ୟୁଡି କେସ୍ ଭାବେ ଗ୍ରହଣ କରିଥିଲେ । ପରବର୍ତୀ ସମୟରେ ପୀଡିତାଙ୍କ ବାପା ଏସପିଙ୍କୁ ଲିଖିତ ଏତଲା ଦେବା ପରେ ଗତ ନଭେମ୍ବର ୨୪ ତରିଖ ଦିନ ମୁଖ୍ୟ ଅଭିଯୁକ୍ତ ଶୁଭ୍ରାଂଶୁ ବିଶ୍ୱାଳ ଏବଂ
ଶାନ୍ତିଲତା ଭୋଇଙ୍କ ବିରୁଦ୍ଧରେ ହତ୍ୟା ମକଦ୍ଦମା ରୁଜୁ ହୋଇଥିଲା । ଏହି ହତ୍ୟାକାଣ୍ଡର ୧ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିବା ତ ଦୁର କଥା, ଏପରିକି ତଦନ୍ତ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଇ ନାହିଁ । ଘଟଣା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରସାରଣ ହେବା ସତ୍ୱେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅଭି୍ଯୁକ୍ତମାନେ ଆଜି ବି ନିର୍ଭୟରେ ବାହାରେ ବୁଲୁଛନ୍ତି । ଏଘଟଣା ସଂପର୍କରେ ପୀଡିତାର ପିତାମାତା ପୋଲିସ ମହାନିର୍ଦ୍ଦେଶକ ଏବଂ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଗୁହାରୀ ଜଣାଇବାକୁ ଯାଇଥିଲେ । ଉଭୟ ପୋଲିସ ମହାନିର୍ଦ୍ଦେଶକ ଏବଂ ରାଜ୍ୟ ମାନବାଧିକାରଙ୍କୁ ପୀଡିତାଙ୍କ ବାପାମା ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ମୁଖ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ଏଭଳି ନାରକୀୟ ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ତରାଇ ଦାବୀ କରିଛନ୍ତି । ଅପର ପକ୍ଷେ ଆତ୍ମରକ୍ଷା ପାଇଁ ମୁଖ୍ୟ ଅଭିଯୁକ୍ତ ଦ୍ୱୟ ବିଜୁ ଜନତା ଦଳର ଆଗ ଧାଡି କାର୍ଯ୍ୟକର୍ତା ଭାବେ ସ୍ଥାନୀୟ ଅଂଚଳରେ ପରିଚିତ ଏବଂ ସେମାନଙ୍କୁ ବର୍ତମାନ ବିଜେଡି ନେତୃବୃନ୍ଦ ସୁରକ୍ଷା ଯୋଗାଇ ଦେଉଛନ୍ତି । ସ୍ଥାନୀୟ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ଏବଂ ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପୋଲିସ ଉପରେ ଚାପ ସୃଷ୍ଟି କରି ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବା ସହ ଉକ୍ତ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ହୀନ ଷଡଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ତରାଇ ଅଭିଯୋଗ କରିଛନ୍ତି ।
ସଠିକ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ ଆସନ୍ତା ୧୮ ତାରିଖରେ ପାରାଦୀପ ନିକଟସ୍ଥ ବଗଦିଆଠାରେ ରେଳରୋକ କରାଯିବା ସହ ଆଗାମୀ ଦିନରେ ରାଜ୍ୟବୟାପୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ତରାଇ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love