କାନାଡାରେ ବନ୍ଦ ହେଲା ଭାରତୀୟ ଭିସା ସେବା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ କରି ପରବର୍ତ୍ତୀ ବିଜ୍ଞପ୍ତି ଜାରି ହେବା ପର୍ଯ୍ୟନ୍ତ କାନାଡାରେ ଭାରତୀୟ ଭିସା ସେବା ବାତିଲ କରାଯାଇଥିବା କଥା କାନାଡାସ୍ଥିତ ‘ଇଣ୍ଡିଆ ଭିସା ଆପ୍ଲିକେସନ୍‌ ସେଣ୍ଟର୍‌’ କହିଛି।ଭାରତ ଏବଂ ଅନ୍ୟ ରାଷ୍ଟ୍ରମାନଙ୍କରୁ ଆସୁଥିବା ଭିସା ଆବେଦନ କଥା ବୁଝୁଥିବା ଅନ୍‌ଲାଇନ୍‌ ଭିସା ଆବେଦନ କେନ୍ଦ୍ର ‘ବିଏଲ୍‌ଏସ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’ ତା’ର ୱେବ୍‌ସାଇଟ୍‌ରେ ଜାରି କରିଥିବା ନୋଟିସ୍‌ରେ ଉଲ୍ଲେଖ ଅଛି: ପରିଚାଳନାଗତ କାରଣରୁ ୨୦୨୩ ସେପ୍ଟେମ୍ବର ୨୧ରୁ ଆରମ୍ଭ କରି ପରବର୍ତ୍ତୀ ନୋଟିସ୍‌ ଜାରି ହେବା ପର୍ଯ୍ୟନ୍ତ ଭାରତୀୟ ଭିସା ସେବା ବାତିଲ କରାଗଲା। ସଦ୍ୟତମ ସୂଚନା ପାଇଁ ‘ବିଏଲ୍‌ଏସ୍‌’ ୱେବ୍‌ସାଇଟ୍‌ ଯାଞ୍ଚ ଜାରି ରଖିଥାଆନ୍ତୁ।

ଭିସା ସ୍ଥଗିତ କରାଯାଇଥିବା କଥା ଜଣେ ଭାରତୀୟ ଅଧିକାରୀ ସୁନିଶ୍ଚିତ କରିଥିଲେ ବି ଏ ସଂକ୍ରାନ୍ତରେ ଅଧିକ ବିବରଣୀ ଦେବାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର୍‌ଙ୍କ ହତ୍ୟା ଘଟଣାରେ ‘ଭାରତୀୟ ଏଜେଣ୍ଟ୍‌’ମାନଙ୍କର ସମ୍ପୃକ୍ତି ଅଛି ବୋଲି ତଦନ୍ତକାରୀ ଏଜେନ୍‌ସିମାନେ ଜାଣି ପାରିଥିବା କଥା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କହିବାରୁ ଭାରତ ଓ କାନାଡା ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଧ୍ୟ କାନାଡାରେ ଥିବା ଭାରତୀୟମାନଙ୍କ ପ୍ରତି ସୂଚନା ଜାରି କରି ‘ଖୁବ୍‌ ସାବଧାନ’ ରହିବାକୁ ପରାମର୍ଶ ଦେଇଥିଲା।

Spread the love