ଗ୍ୟାଙ୍ଗଷ୍ଟର ଅବୁ ସଲେମଙ୍କୁ ସୁପ୍ରିମ୍ ଝଟକା, ଆଗୁଆ ମୁକ୍ତି ଆବେଦନ ଖାରଜ
ନୂଆଦିଲ୍ଲୀ: ୧୯୯୩ ମସିହାର ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ମାମଲାର ଦୋଷୀ ତଥା ଗ୍ୟାଙ୍ଗଷ୍ଟର ଅବୁ ସଲେମଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । ସମୟ ପୂର୍ବରୁ ଜେଲରୁ ମୁକ୍ତି ପାଇଁ କରିଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି । ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ ବମ୍ବେ ହାଇକୋର୍ଟ ଏପ୍ରିଲରେ ଦେଇଥିବା ରାୟକୁ ବଜାୟ ରଖିଛନ୍ତି । ଗତ ଜୁଲାଇ ୨୭ରେ ସୁପ୍ରିମକୋର୍ଟ ଅବୁ ସଲେମଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ ।
ଅବୁ ସଲେମଙ୍କ ପକ୍ଷରୁ ଦାବି କରାଯାଇଥିଲା ଯେ, ଜେଲରେ କଟାଇଥିବା ସମୟ ସହିତ ରିମିଶନ୍ (ସଜାରେ ଛାଡ଼)କୁ ମିଶାଇଲେ ତାଙ୍କର ୨୫ ବର୍ଷର ସଜା ପୂରଣ ହୋଇସାରିଛି । ତେଣୁ ତାଙ୍କୁ ମୁକ୍ତ କରାଯିବା ଉଚିତ। ବମ୍ବେ ହାଇକୋର୍ଟ ତାଙ୍କ ଆବେଦନକୁ ସମୟ ପୂର୍ବରୁ ଦାଖଲ କରାଯାଇଥିବା କହିଥିଲେ । ଅଦାଲତଙ୍କ ଅନୁସାରେ ଅବୁ ସଲେମଙ୍କ ୨୫ ବର୍ଷର ସଜା ୨୦୩୦ରେ ପୂରଣ ହେବ । ଏହାପରେ ସେ ହାଇକୋର୍ଟର ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏବେ ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟର ରାୟକୁ ଠିକ୍ ବୋଲି କହିଛନ୍ତି ।
ଅବୁ ସଲେମଙ୍କୁ ୨୦୦୫ରେ ପର୍ତ୍ତୁଗାଲରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା । ଭାରତ-ପର୍ତ୍ତୁଗାଲ ପ୍ରତ୍ୟର୍ପଣ ଚୁକ୍ତିର ସର୍ତ୍ତ ଅନୁସାରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରିବ ନାହିଁ ଏବଂ ତାଙ୍କ ଜେଲ ସଜା ୨୫ ବର୍ଷରୁ ଅଧିକ ହୋଇପାରିବ ନାହିଁ ବୋଲି ସେ ଯୁକ୍ତି ଦେଇଥିଲେ ।
ସୂଚନାଯୋଗ୍ୟ, ୧୨ ମାର୍ଚ୍ଚ ୧୯୯୩ରେ ମୁମ୍ବାଇରେ ଏକାଧିକ ସ୍ଥାନରେ ୧୨ଟି ବୋମା ବିସ୍ଫୋରଣ ହୋଇଥିଲା । ଏହି ଭୟଙ୍କର ଆକ୍ରମଣରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ମାମଲାରେ ଅବୁ ସଲେମଙ୍କୁ ମୁମ୍ବାଇ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଭାବେ ଆଜୀବନ କାରାଦଣ୍ଡ ଦିଆଯାଇଛି ।
