ଜନ୍ମସ୍ଥାନ ବାରଣାସୀର କାଶୀରୁ ମୃତିକା ଆସନ୍ତା କାଲି ଭୁବନେଶ୍ୱରରେ ପହଁଚିବ: ବାଇଧର ମଲ୍ଲିକ

ସନ୍ଥ ଶିରୋମଣି ଗୁରୁ ରବି ଦାସଙ୍କ ୬୫୦ତମ ଜନ୍ମ ଜୟନ୍ତୀ ବର୍ଷ ଉପଲକ୍ଷେ ସମରସ ସଂକଳ୍ପ ଅଭିଯାନ

ଭୁବନେଶ୍ୱର, ତା.୩୦/୦୭: ଆଧ୍ୟାତ୍ମିକବାଦୀ କବି ସନ୍ଥ ଶିରୋମଣି ଗୁରୁ ରବି ଦାସ ଜଣେ ମହାନ ସନ୍ଥ ଓ କବି ହେବା ସହ ସମାଜ ସଂସ୍କାରକ ଏବଂ ଭଗବାନଙ୍କ ଅନୁଗାମୀ ଥିଲେ । ସମାଜରୁ ଅସ୍ପୁଶ୍ୟତା, ଉଚ୍ଚନୀଚ୍ଚ ଭେଦଭାବ, ଛୁଆଁ, ଅଛୁଆଁ ଆଦି ଦୂର କରିବା ପାଇଁ ସେ ନିରନ୍ତର ଉଦ୍ୟମ କରୁଥିଲେ । ସେ ୧୫ରୁ ୧୬ତମ ଶତାଦ୍ଦୀର ଜାତିଭେଦ ଭାବ ମୁକ୍ତ ସମାଜର ପ୍ରତୀକ ଥିଲେ । ଆଧ୍ୟାତ୍ମିକ ଏବଂ ଭକ୍ତି ମାର୍ଗରେ ଚାଲିବା ସମୟରେ ସନ୍ଥ ରବି ଦାସ କର୍ମ ଉପରେ ଗୁରୁତ୍ୱ ଦେଉଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବିଦାସ ମହାରାଜଙ୍କ ୬୫୦ତମ ଜନ୍ମ ଜୟନ୍ତୀ ବର୍ଷ ଉପଲକ୍ଷେ ୨୯ ଜୁଲାଇ ୨୦୨୬ (ଗୁରୁପୂର୍ଣ୍ଣିମା) ଠାରୁ ୨୦ ଫେବୃଆରୀ ୨୦୨୭ (ଶ୍ରୀ ଗୁରୁ ରବିଦାସ ମହାରାଜ ଜୟନ୍ତୀ) ପର୍ଯ୍ୟନ୍ତ “ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବିଦାସ ମହାରାଜ ସମରସ ସଂକଳ୍ପ ଅଭିଯାନ’ ଦେଶବ୍ୟାପୀ ପାଳନ କରାଯିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବାଇଧର ମଲ୍ଲିକ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ‘ସମରସ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ଅବସରରେ ଗତ କାଲି ଭୁବନେଶ୍ୱରସ୍ଥିତ ଶ୍ରୀରାମ ମନ୍ଦିରରେ ସାମୂହିକ ଦୀପ ଦାନ କରାଯିବା ସହ ଓଡିଶାର ପ୍ରତ୍ୟେକ କୋଣଅନୁକୋଣର ମନ୍ଦିର ମାନଙ୍କରେ ଦୀପ ଦାନ କରାଯାଇଅଛି । ଗୁରୁ ରବିଦାସଜୀଙ୍କ ଜନ୍ମସ୍ଥଳୀ ବାରଣାସୀ କାଶୀରୁ ଏହି ଅଭିଯାନର ଶୁଭାରମ୍ଭ ହୋଇଯାଇଅଛି । ତାଙ୍କ ଜନ୍ମସ୍ଥାନ ବାରଣାସୀ କାଶୀରୁ ପବିତ୍ର ମୃତିକାକୁ କଳସରେ ସଂଗ୍ରହ କରାଯାଇ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଓଡିଶାରୁ ଯାଇଥିବା ପ୍ରତିନିଧିଦଳ ଆସନ୍ତା କାଲି ପବିତ୍ର କଳସକୁ ଆଣି ଭୁବନେଶ୍ୱର ରେଳଷ୍ଟେସନରେ ପହଁଚିବା ପରେ ସେହି ପବିତ୍ର ମୃତିକା ଥିବା କଳସକୁ ଭବ୍ୟ ସ୍ୱାଗତ କରାଯାଇ ଶୋଭାଯାତ୍ରାରେ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଅଣାଯିବ । ସେହିପରି ଆସନ୍ତା ଅଗଷ୍ଟ ୯ ତାରିଖ ଦିନ ଏକ ଭବ୍ୟ ସମାରୋହରେ ଏହି ପବିତ୍ର ମୃତିକା ଥିବା କଳସକୁ କାର୍ଯ୍ୟକର୍ତାମାନଙ୍କ ଜରିଆରେ ବିଜେପିର ୩୭ଟି ସାଂଗଠନିକ ଜିଲ୍ଲାକୁ ୩୭ଟି ପୃଥକ ପୃଥକ ପବିତ୍ର କଳସ ବଂଟନ କରାଯିବ । ଏହାପରେ ପ୍ରତ୍ୟେକ ଜିଲ୍ଲାରେ ମହାସମାରୋହରେ ପ୍ରତ୍ୟେକ ମଣ୍ଡଳ, ପ୍ରତ୍ୟେକ ମଣ୍ଡଳରୁ ପ୍ରତ୍ୟେକ ଗ୍ରାମପଂଚାୟତକୁ ଓ ଗ୍ରାମ ପଂଚାୟତରୁ ପ୍ରତ୍ୟେକ ଗ୍ରାମକୁ ଏହି ପବିତ୍ର କଳସ ବଂଟନ କରାଯିବା ସହ ଯେଉଁଠାରେ ଏହି ପବିତ୍ର ମୃତିକା କଳସ ରଖାଯିବ ଓ ଯେଉଁଠାରେ ପହଁଚିବ ସେହି ସ୍ଥାନରେ ବୃକ୍ଷରୋପଣ କରାଯିବ । ଏହି କାର୍ଯ୍ୟକ୍ରମକୁ ଦଳ ମତ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସହଯୋଗ କରିବା ପାଇଁ ଶ୍ରୀ ମଲ୍ଲିକ ନିବେଦନ କରିଛନ୍ତି ।ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବି ଦାସଙ୍କ ଜନ୍ମସ୍ଥାନ ଭଦୋଇ ଜିଲ୍ଲାକୁ ସନ୍ଥ ଶିରୋମଣି ରବି ଦାସଙ୍କ ନାମରେ ଉତରପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ନାମିତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଆଦିତ୍ୟନାଥଙ୍କୁ ଓଡିଶା ତରଫରୁ ଧନ୍ୟବାଦ ଜଣାଇଛନ୍ତି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି  ବାଇଧର ମଲ୍ଲିକ ।

Spread the love

Leave a Reply

Your email address will not be published. Required fields are marked *