ସୋଆ ପକ୍ଷରୁ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ଜୁଲାଇ ୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଏନ୍‌ଏସ୍‌ଏସ୍ ଶାଖା ଓ ରୋଟାରୀ କ୍ଲବ, ଭୁବନେଶ୍ୱର ପକ୍ଷରୁ ଶନିବାର ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ଉପକଣ୍ଠ ଛତାବର ସ୍ଥିତ ସୋଆର କୃଷି ଓ ପଶୁପାଳନ ଫାର୍ମ ପରିସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ପରିବେଶକୁ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହା ଦ୍ୱାରା ପରିବେଶ ସନ୍ତୁଳିତ ହୋଇପାରିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଯୋଗ ଦେଇ କହିଥିଲେ ଯେ ସୋଆର ସବୁ କ୍ୟାମ୍ପସ୍‌ରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି । ଶନିବାର ଛତାବର ଫାର୍ମରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଗୁଆ, ତାଳ, ନଡ଼ିଆ, କଦମ୍ବ, ଚମ୍ପା, ବଉଳ, କୃଷ୍ଣଚୁଡ଼ା, ପାତାଳି, ଫାସି, ରାଧାଚୁଡ଼ା, ରକ୍ତଚନ୍ଦନ ଓ ଅଶୋକ ଭଳି ବିଭିନ୍ନ ପ୍ରକାରର ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରାଯାଇଥିବା ପ୍ରଫେସର ରାଉତ ସୂଚନା ଦେଇଥିଲେ ।
ସୋଆ ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ ହଜବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ, ଏନ୍‌ଏସ୍‌ଏସ୍ ଶାଖାର ସଂଯୋଜକ ପ୍ରଫେସର କମଳ ଲୋଚନ ମହନ୍ତ, ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସୋଆ କୃଷି ଓ ପଶୁ ପାଳନ ଫାର୍ମର ନିର୍ଦ୍ଦେଶକ ପ୍ରଫେସର ସରୋଜ କୁମାର ମହାନ୍ତିଙ୍କ ସମେତ ସୋଆର ଛାତ୍ରଛାତ୍ରୀ, ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ, ରୋଟାରୀ କ୍ଲବ, ଭୁବନେଶ୍ୱରର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *