ଯୁଦ୍ଧବିରାମ ଲାଗି ପ୍ରଚାର ଅଭିଯାନ ହାତକୁ ନେଇଛନ୍ତି ଋଷିୟ ସେନା

କିଭ ୨୫।୩: ଯୁକ୍ରେନ ଉପରେ ଘମାଘୋଟ ଗୁଳି ଓ ଗୋଳା ମାଡ କରିଚାଲିଛି ଋଷିଆ। ହେଲେ କ୍ରମଶଃ ସୈନ୍ୟଙ୍କ ମନବଳ ଦୁର୍ବଳ ହେବାରେ ଲାଗିଛି। ୟୁକ୍ରେନ ବିରୋଧରେ ଋଷିଆର ଯୁଦ୍ଧଘୋଷଣାକୁ ଶୁକ୍ରବାର ୩୦ ଦିନ ପୁରଣ ହୋଇଛି। ହେଲେ ୟୁକ୍ରେନ ଏପର୍ଯ୍ୟନ୍ତ ଝୁଙ୍କୁ ନାହିଁ। ଏଣୁ ଋଷିୟ ସୈନିକ ଏବେ ଏକ ପ୍ରଚାର ଅଭିଯାନ ଚଳାଇଥିବା ୟୁକ୍ରେନ ଚିଫ ଅଫ ଷ୍ଟାଫ କିଭରେ କହିଛନ୍ତି। ଏହି ଯୁଦ୍ଧ ମେ ୯ ସୁଦ୍ଧା ବନ୍ଦ ହୋଇଯିବା ଦରକାର ବୋଲି ଋଷୀୟ ସୈନ୍ୟମାନେ ପ୍ରଚାର ଚଳାଇଛନ୍ତି।

ବାସ୍ତବ କଥା ହେଲା ୧୯୪୫ରେ ଜର୍ମାନ ନାଜିଙ୍କ ଆତ୍ମସମର୍ପଣ ଉପଲକ୍ଷେ ୯ ମେକୁ ଋଷିଆ ବିଜୟ ଦିବସ ଭାବେ ପାଳନ କରିଆସୁଛି। ପ୍ରତିବର୍ଷ ଏହି ଦିନଟିକୁ ଋଷିଆରେ ସୈନ୍ୟ ପ୍ୟାରେଡ ସହ ପାଳନ କରାଯାଇଥାଏ, ଯାହା ବର୍ଷକୁ ବର୍ଷ ଭବ୍ୟ ହେବାରେ ଲାଗିଛି। ଆଗାମୀ ମେ ୯ ତାରିଖରେ ମଧ୍ୟ ଏହି ସ୍ୱତନ୍ତ୍ର ଦିବସ ପାଳିତ ହେବ। ତେବେ ତା ପୂର୍ବରୁ ଯୁଦ୍ଧ ବୀରାମ ହୋଇଯାଉ ବୋଲି ଋଷିୟ ସୈନିକ ଚାହୁଁଛନ୍ତି।

ୟୁକ୍ରେନ ଗଣମାଧ୍ୟମ ୟୁକ୍ରେଇଂସ୍କା ପ୍ରାବଦା ଜେନେରାଲ ଷ୍ଟାଫଙ୍କୁ ଉଲ୍ଲେଖ କରି ଲେଖିଛି ଯେ ଗୁରୁତ୍ୱପୂର୍ଣ୍ଣ କ୍ଷତି ଓ ସୈନ୍ୟ ମନୋବଳ ହାନୀ ସତ୍ତ୍ୱେ ଋଷ ସୈନ୍ୟ ଓ ରାଜନୈତିକ ଅଧିକାରୀ ୟୁକ୍ରେନ ବିରୋଧରେ ଯୁଦ୍ଧ ଜାରି ରଖିବାର ସମ୍ଭାବନାକୁ ଅଗ୍ରାହ୍ୟ କରାଯାଇ ନପାରେ।  ଋଷୀୟ ସୈନିକମାନେ ୟୁକ୍ରେନରେ ଯୁଦ୍ଧନିୟମର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ସେମାନେ ଆୟତ୍ତ କରିଥିବା ଅଞ୍ଚଳର ଶାନ୍ତିପୂର୍ଣ୍ଣ କ୍ଷେତ୍ରରେ ଥିବା ଭିତ୍ତିଭୂମିକୁ ଋଷିୟ ସୈନିକ ନଷ୍ଟ କରିଚାଲିଛନ୍ତି।  

ସୂଚନା ଅନୁସାରେ ଋଷିୟା ସୀମା ସଲଗ୍ନ ୟୁକ୍ରେନର ଅଧିକାଂଶ ଚିକିତ୍ସା ପ୍ରତିଷ୍ଠାନ ଏବେ ଋଷିଆ ସେନାର ଆହତ ସୈନିକଙ୍କ ନିୟନ୍ତ୍ରଣରେ ରହିଛି। ୟୁକ୍ରେନ ଜେନେରାଲ ଷ୍ଟାଫଙ୍କ ଅନୁସାରେ ଋଷିଆ ଏବେ ବାୟୁସେନାର ସୈନିକଙ୍କ ଯୁଦ୍ଧ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି। ଗୁରୁବାର ୟୁକ୍ରେନ ସେନା ବିଭିନ୍ନ ସ୍ଥାନରେ ଋଷିଆର ୧୨ଟି ଟ୍ୟାଙ୍କ, ପାଖାପାଖି ୨୦ଟି ଯୁଦ୍ଧଉପକରଣ, ୯ଟି ଆର୍ଟିଲାରୀ ସିଷ୍ଟମ ନଷ୍ଟ କରିଦେଇଛନ୍ତି।  ଏହି ସବୁ କାର୍ଯ୍ୟାନୁଷ୍ଠାନରେ ଋଷିଆ ସେନାର ଅନୁନ୍ୟ ୨୦୦ରୁ ଅଧିକ ଜବାନ ପ୍ରାଣ ହରାଇଥିବା ଜେନେରାଲ ଷ୍ଟାଫ କହିଛନ୍ତି।

Spread the love