ଉତ୍ତର ଓଡ଼ିଶାରେ ବଢୁଛି ବନ୍ୟା ଚିନ୍ତା, ଅନେକ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ

ଭୁବନେଶ୍ବର: ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଗମ୍ଭୀର । ଆଜି ବି ପ୍ରବଳ ବର୍ଷା ଆଶଙ୍କା । ଲଗାତାର ବର୍ଷା ଓ ନଦୀରେ ବଢ଼ୁଥିବା ଜଳସ୍ତର ଯୋଗୁଁ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳରେ ବନ୍ୟା ସ୍ଥିତି ଏବେ ବି ଚିନ୍ତାଜନକ ରହିଛି । ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରର ବହୁ ତଳିଆ ଅଞ୍ଚଳ ପ୍ରଭାବିତ ହୋଇଛି । ବୈତରଣୀ, ବ୍ରାହ୍ମଣୀ, ସାଳନ୍ଦୀ, ଜଳକା ଓ ବୁଢ଼ାବଳଙ୍ଗ ନଦୀ ଅବବାହିକାରେ ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ । କେତେକ ସ୍ଥାନରେ ଜଳସ୍ତର ହ୍ରାସର ସଙ୍କେତ ମିଳିଥିଲେ ମଧ୍ୟ ବୈତରଣୀ ଓ ବ୍ରାହ୍ମଣୀର କିଛି ପଏଣ୍ଟରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି ।

ସରକାରୀ ଆକଳନ ଅନୁସାରେ ବନ୍ୟାର ଏହି ପର୍ଯ୍ୟାୟରେ ପ୍ରଭାବିତ ଲୋକଙ୍କ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଥିଲା । ୬ଟି ଜିଲ୍ଲାର ୪୯ଟି ବ୍ଲକ୍ , ୩୩୧ଟି ପଞ୍ଚାୟତ ଅଧୀନରେ ୯୪୭ଟି ଗାଁ ପ୍ରଭାବିତ ହୋଇଥିବାବେଳେ ୨ଲକ୍ଷ ୩୭ ହଜାରରୁ ଅଧିକ ଲୋକଙ୍କୁ ବିପଦପୂର୍ଣ୍ଣ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଥିଲା । ୨୯୩ଟି ରିଲିଫ୍ କ୍ୟାମ୍ପରେ ଲୋକଙ୍କୁ ରଖାଯାଇଥିଲା । ପରବର୍ତ୍ତୀ ଅପଡେଟ୍ ରେ ୮ ଲକ୍ଷ ପାଖାପାଖି ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ଏବଂ ୮୨ ହଜାରରୁ ଅଧିକ ଲୋକ ଆଶ୍ରୟସ୍ଥଳୀରେ ରହିଥିବା ରିପୋର୍ଟ ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ପୂର୍ବରୁ ୩୬ଟି ODRAF, ୭ଟି NDRF ଓ ୪୭ଟି ଅଗ୍ନିଶମ ବାହିନୀ ସମେତ ପ୍ରାୟ ୯୦ଟି ଉଦ୍ଧାରକାରୀ ଟିମ୍ କୁ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଛି ।

ନଦୀବନ୍ଧ ଓ ଦୁର୍ବଳ ସ୍ଥାନଗୁଡ଼ିକ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ । ଏପଟେ ବର୍ଷାରୁ ଏବେ ତୁରନ୍ତ ନିସ୍ତାର ମିଳିବାର ସମ୍ଭାବନା କମ୍ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସତର୍କତା ଅନୁସାରେ ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କେନ୍ଦୁଝର ଓ ମୟୂରଭଞ୍ଜରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ଗୋଟିଏ-ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କା ରହିଛି । ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା ରହିଛି । ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ର ଗୋଟିଏ-ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।

ଅର୍ଥାତ୍ ବର୍ଷାର ଫୋକସ୍ ଉତ୍ତର ଓ ଉପକୂଳ ଓଡ଼ିଶାରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଓଡ଼ିଶା ଆଡ଼କୁ ସରିବାର ସଙ୍କେତ ମିଳୁଛି। ହୀରାକୁଦ ଜଳଭଣ୍ଡାର ଉପରେ ମଧ୍ୟ ନଜର ରହିଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୯.୬୫ । ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ପାଣିପାଗ ବିଭାଗ ଅନୁସାରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା, ରାସ୍ତା ବୁଡ଼ିବା, ଯାତାୟାତ ପ୍ରଭାବିତ ହେବା ସହ କେତେକ ନଦୀ ଅବବାହିକାରେ ପୁଣି ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ଏବଂ ଝଟକା ପବନ ୬୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *