ଭାରତରେ ବଢ଼ୁଛି ସାପ କାମୁଡ଼ା ବିପଦ, ବର୍ଷକରେ ଗଲାଣି ୪୨୯ ଜୀବନ

ଭୁବନେଶ୍ବର: ଭାରତରେ ବଢ଼ୁଛି ସାପ କାମୁଡ଼ା ଘଟଣା। ୨୦୨୫ରେ ୧.୪୦ ଲକ୍ଷ ମାମଲା, ୪୨୯ ଜଣଙ୍କ ମୃତ୍ୟୁ। ଭାରତରେ ସାପ କାମୁଡ଼ା ଏବେ ବି ଏକ ବଡ଼ ଜନସ୍ୱାସ୍ଥ୍ୟ ସମସ୍ୟା । ବିଶେଷକରି ଗ୍ରାମାଞ୍ଚଳ ଓ ଚାଷବାସ ସହ ଜଡ଼ିତ ଲୋକଙ୍କ ପାଇଁ ବିପଦ କମିନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟସଭାରେ ଦେଇଥିବା ତଥ୍ୟ ଅନୁସାରେ, ୨୦୨୫ରେ ଦେଶରେ ୧ ଲକ୍ଷ ୪୦ ହଜାର ୩୦୨ଟି ସାପ କାମୁଡ଼ା ମାମଲା ରେକର୍ଡ ହୋଇଛି । ଏଥିରେ ୪୨୯ ଜଣଙ୍କ ମୃତ୍ୟୁ ହୋଇଛି । ଚିନ୍ତାର ବିଷୟ ହେଉଛି, ବର୍ଷକୁ ବର୍ଷ ରେକର୍ଡ ହେଉଥିବା ମାମଲା ବଢ଼ୁଛି । ୨୦୨୩ରେ ଦେଶରେ ୮୬ ହଜାର ୨୯୪ଟି ସାପ କାମୁଡ଼ା ମାମଲା ରେକର୍ଡ ହୋଇଥିଲା। ୨୦୨୪ରେ ଏହା ବଢ଼ି ୧ ଲକ୍ଷ ୨୦ ହଜାର ୯୮୨ରେ ପହଞ୍ଚିଥିଲା। ୨୦୨୫ରେ ଏହି ସଂଖ୍ୟା ୧.୪୦ ଲକ୍ଷ ଟପିଛି। ଆଉ ଏକ ଚିନ୍ତାଜନକ ତଥ୍ୟ ହେଉଛି, ଦେଶର ମୋଟ ସାପ କାମୁଡ଼ା ମାମଲାର ୭୪ ପ୍ରତିଶତ କେବଳ ୭ଟି ରାଜ୍ୟରୁ ଆସିଛି । ସବୁଠାରୁ ଅଧିକ ମାମଲା ପଶ୍ଚିମବଙ୍ଗରେ ରେକର୍ଡ ହୋଇଛି । ୨୦୨୫ରେ ପଶ୍ଚିମବଙ୍ଗରେ ୨୭ ହଜାର ୪୭୧ଟି ସାପ କାମୁଡ଼ା ମାମଲା ରହିଛି । ଏହା ପଛକୁ କର୍ଣ୍ଣାଟକରେ ୧୬ ହଜାର ୮୦୫ ଏବଂ ତାମିଲନାଡୁରେ ୧୫ ହଜାର ୮୩୭ଟି ମାମଲା ରେକର୍ଡ ହୋଇଛି । ମୃତ୍ୟୁ ଦୃଷ୍ଟିରୁ କର୍ଣ୍ଣାଟକର ସ୍ଥିତି ଅଧିକ ଚିନ୍ତାଜନକ । ଦେଶରେ ରେକର୍ଡ ହୋଇଥିବା ମୋଟ ସାପ କାମୁଡ଼ା ମୃତ୍ୟୁର ପ୍ରାୟ ୩୭ ପ୍ରତିଶତ କର୍ଣ୍ଣାଟକରେ ଘଟିଛି ।

ଆଉ ଏକ ଚିନ୍ତା ଜନକ ତଥ୍ୟ ସରକାରୀ ହିସାବଠାରୁ ପ୍ରକୃତ ସଂଖ୍ୟା ଅଧିକ । ଏହି ୧.୪୦ ଲକ୍ଷ ହିଁ ଦେଶରେ ଘଟୁଥିବା ସମସ୍ତ ସାପ କାମୁଡ଼ାର ପ୍ରକୃତ ଚିତ୍ର ନୁହେଁ । ସରକାରୀ ସର୍ଭେଲାନ୍ସ ବ୍ୟବସ୍ଥାରେ ମୁଖ୍ୟତଃ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ହସ୍ପିଟାଲରେ ପହଞ୍ଚୁଥିବା ମାମଲା ହିଁ ରେକର୍ଡ ହୋଇଥାଏ । ଗ୍ରାମାଞ୍ଚଳରେ ଅନେକ ସାପ କାମୁଡ଼ା ଘଟଣା ରେକର୍ଡକୁ ଆସୁନଥିବା ନେଇ ପୂର୍ବରୁ ବିଭିନ୍ନ ଅଧ୍ୟୟନରେ ଆଶଙ୍କା ପ୍ରକାଶ ପାଇଛି । କେତେକ ରୋଗୀ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଘରେ କିମ୍ବା ରାସ୍ତାରେ ପ୍ରାଣ ହରାଉଛନ୍ତି। ଫଳରେ ସରକାରୀ ହିସାବ ତୁଳନାରେ ପ୍ରକୃତ ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ମଧ୍ୟ ସାପ ବିଷକ୍ରିୟାକୁ Neglected Tropical Disease ବା ଅବହେଳିତ ଉଷ୍ଣମଣ୍ଡଳୀୟ ରୋଗ ଭାବେ ତାଲିକାଭୁକ୍ତ କରିଛି । ସାପ କାମୁଡା ନେଇ ଚାଷୀ, କୃଷି ଶ୍ରମିକ, ଦିନମଜୁରିଆ ଓ ପିଲାମାନେ ସାପ କାମୁଡ଼ାର ଅଧିକ ବିପଦରେ ରହୁଛନ୍ତି। ବିଶେଷକରି ବର୍ଷା ଋତୁରେ ଖାଲି ପାଦରେ କ୍ଷେତରେ କାମ କରୁଥିବା ଲୋକଙ୍କ ପାଇଁ ବିପଦ ଅଧିକ । ଭାରତରେ ଗୁରୁତର ବିଷକ୍ରିୟା ସୃଷ୍ଟି କରୁଥିବା ପ୍ରାୟ ୯୦ ପ୍ରତିଶତ ସାପ କାମୁଡ଼ା ‘Big Four’ ସହ ଜଡ଼ିତ ବୋଲି ଧରାଯାଏ ।

ଏହି ଚାରି ପ୍ରଜାତି ହେଲେ, ନାଗ, ଚିଟି ସାପ, ଚନ୍ଦନ ବୋଡ଼ା ଓ ଧୂଳିଆ ବୋଡ଼ା ସାପ। ଭାରତରେ ବ୍ୟବହୃତ ପୋଲିଭାଲେଣ୍ଟ ଆଣ୍ଟି ସ୍ନେକ ଭେନମ ମୁଖ୍ୟତଃ ଏହି ଚାରି ପ୍ରଜାତିର ବିଷ ବିରୋଧରେ ପ୍ରସ୍ତୁତ କରାଯାଏ । ସାପ କାମୁଡ଼ା ମୃତ୍ୟୁ ରୋକିବା ପାଇଁ କେନ୍ଦ୍ର ସରକାର ୨୦୨୪ରେ National Action Plan for Prevention and Control of Snakebite Envenoming ଆରମ୍ଭ କରିଛନ୍ତି। ଲକ୍ଷ୍ୟ ହେଉଛି ୨୦୩୦ ସୁଦ୍ଧା ସାପ କାମୁଡ଼ା ଯୋଗୁଁ ହେଉଥିବା ମୃତ୍ୟୁକୁ ୫୦ ପ୍ରତିଶତ କମାଇବା । ଓଡ଼ିଶା ସମେତ କର୍ଣ୍ଣାଟକ, ତାମିଲନାଡୁ ଓ ମହାରାଷ୍ଟ୍ର ଭଳି କେତେକ ରାଜ୍ୟ ସାପ କାମୁଡ଼ାକୁ Notifiable Disease ଘୋଷଣା କରିଛନ୍ତି । ଏହାଦ୍ୱାରା ପ୍ରତ୍ୟେକ ମାମଲାର ଉନ୍ନତ ରିପୋର୍ଟିଂ ସହ କେଉଁ ଅଞ୍ଚଳରେ କେତେ Anti-Snake Venom ଆବଶ୍ୟକ, ତାହାର ଯୋଜନା କରିବା ସହଜ ହେବ । କିନ୍ତୁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି, ସାପ କାମୁଡ଼ିବା ପରେ ରୋଗୀ କେତେ ଶୀଘ୍ର ହସ୍ପିଟାଲରେ ପହଞ୍ଚୁଛନ୍ତି ଏବଂ ଗ୍ରାମାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସମୟରେ ଆଣ୍ଟି ସ୍ନେକ୍ ଭେନମ ଉପଲବ୍ଧ ହେଉଛି କି ନାହିଁ । ସେହିପରି ସାପ କାମୁଡ଼ିବା ପରେ ଭୁଲ୍ ଘରୋଇ ଚିକିତ୍ସା ବଦଳରେ ରୋଗୀଙ୍କୁ ଶୀଘ୍ର ଉପଯୁକ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ଜୀବନ ବଞ୍ଚାଇବାରେ ନିର୍ଣ୍ଣାୟକ ହୋଇପାରେ ।

Spread the love

Leave a Reply

Your email address will not be published. Required fields are marked *