ଲଗାଣ ବର୍ଷା, ୩ ଜିଲ୍ଲା ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସୁନ୍ଦରଗଡ଼, ଭଦ୍ରକ ଓ ମୟୂରଭଞ୍ଜରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏସବୁ ଜିଲ୍ଲାରେ ଆଜି ସବୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆଜି ମଙ୍ଗଳବାର, ବଡ଼ସାହି, ବେତନଟୀ ଓ ରାସଗୋବିନ୍ଦପୁର ବ୍ଲକରେ ସ୍ଥାନୀୟ ପରିସ୍ଥିତିକୁ ଅନୁଧ୍ୟାନ କରି ସ୍କୁଲ ବନ୍ଦ ସମ୍ପର୍କରେ ସମ୍ପୃକ୍ତ ବିଇଓମାନେ ନିଷ୍ପତ୍ତି ନେଇପାରିବେ ।

ଜିଲ୍ଲା ଶିକ୍ଷାଧିକାରୀଙ୍କ ସୂଚନା ଅନୁସାରେ, ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ଯଦି କୌଣସି ସ୍କୁଲ ଅଞ୍ଚଳ ଜଳବନ୍ଦୀ ହୋଇଥାଏ କିମ୍ବା ରାସ୍ତା ବିଚ୍ଛିନ୍ନ ହେବା ଯୋଗୁଁ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଯାତାୟାତରେ ସମସ୍ୟା ରହିଥାଏ, ତେବେ ସେହି ସ୍କୁଲଗୁଡ଼ିକୁ ବନ୍ଦ କରିବା ନେଇ ସମ୍ପୃକ୍ତ ବିଇଓମାନେ ନିଷ୍ପତ୍ତି ନେଇପାରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଉତ୍ତର ଓଡ଼ିଶା–ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବରେ ଆଗାମୀ ୩ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । କିଛି ଜିଲ୍ଲାକୁ ଅରେଞ୍ଜ ଓ ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ।

Spread the love

Leave a Reply

Your email address will not be published. Required fields are marked *