ସୁକମାରେ ବିସ୍ଫୋରକ ନଷ୍ଟ କରୁଥିବା ବେଳେ ବ୍ଲାଷ୍ଟ , CRPFର ୪ ଯବାନ ଆହତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଛତିଶଗଡ଼ : ଛତିଶଗଡ଼ର ସୁକମା ଜିଲ୍ଲାରେ ବିସ୍ଫୋରଣରେ CRPFର ୪ ଜଣ ଯବାନ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତ ଯବାନଙ୍କୁ ତୁରନ୍ତ କୋଣ୍ଟା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ସୂଚନା ମୁତାବକ, ଅକ୍ଟୋବର ୮ ତାରିଖରେ CRPFର ଆମ୍ୟୁନିସନ୍ ଟେକ୍ନିସିଆନ୍ ଟିମ୍ ଜଗଦଲପୁରରୁ ସୁକମା ଜିଲ୍ଲାର କୋଣ୍ଟା ରେଞ୍ଜ ଅନ୍ତର୍ଗତ ଏଲାରମଡଗୁ କ୍ୟାମ୍ପରେ ପହଞ୍ଚିଥିଲା । ବିଭିନ୍ନ କ୍ୟାମ୍ପର ଯାଞ୍ଚ କରିବା ସହ ସେଠାରେ ରହିଥିବା ଅବ୍ୟବହୃତ ଓ ବଳକା ବିସ୍ଫୋରକକୁ ସୁରକ୍ଷିତ ଭାବେ ନଷ୍ଟ କରିବାର ଥିଲା ।  ନିର୍ଦ୍ଧାରିତ ସୁରକ୍ଷା ନିୟମାବଳୀ ଅନୁସରଣ କରି କ୍ୟାମ୍ପଠାରୁ ପ୍ରାୟ ୨୦୦ ମିଟର ଦୂର ବୋଡରାଜପଦର ନାଳ ନିକଟରେ ଏହି କାର୍ଯ୍ୟ ଚାଲିଥିବା ବେଳେ ହଠାତ ଏକ ବିସ୍ଫୋରକର ଖଣ୍ଡ ଛିଟିକି ପଡ଼ି ନିକଟରେ ବିସ୍ଫୋରଣ ଘଟିଥିଲା । ଫଳରେ ସେଠାରେ ଉପସ୍ଥିତ ୪ ଜଣ ଯବାନ ଆହତ ହୋଇଥିଲେ ।

ଏହି ଘଟଣାରେ ଆମ୍ୟୁନିସନ୍ ଟେକ୍ନିସିଆନ୍ ଟିମର ASI ଏମ୍.କେ. ତିୱାରୀ ଏବଂ CRPFର ୫୦ତମ ବାଟାଲିୟନର ASI ଅନୀଶ ଖାନ୍ ଗୁରୁତର ଆହତ ହୋଇଛନ୍ତି । ସେହିପରି ନିରୀକ୍ଷକ ଅମରନାଥ ମିଶ୍ର ଏବଂ ହେଡ୍ କନଷ୍ଟେବଳ କୁଲଦୀପ ରାଜ ସାମାନ୍ୟ ଆହତ ହୋଇଛନ୍ତି ।

ଘଟଣା ପରେ ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ଦେଇ କୋଣ୍ଟା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ଆବଶ୍ୟକ ପଡ଼ିଲେ ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରାଯାଉଛି ।
ଏହି ଘଟଣାକୁ ନେଇ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଦୁଃଖ ପ୍ରକାଶ କରିଛନ୍ତି । ସେ ନିଜର ଅଫିସିଆଲ୍ X ଆକାଉଣ୍ଟରେ ଆହତ ଯବାନଙ୍କ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରାଯାଉଥିବା କହିବା ସହ ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଈଶ୍ବରଙ୍କୁ ସମସ୍ତ ଯବାନଙ୍କ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *