ନୂଆ ଫର୍ମୁଲାକୁ ସମର୍ଥନ କରିବ କି ବିଜୁ ଜନତା ଦଳ? ବିଚାରବିମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି
ଭୁବନେଶ୍ୱର : ସୀମା ପୁନର୍ନିର୍ଦ୍ଧାରଣର ନୂଆ ଫର୍ମୁଲା: ବଦଳିବ କି ବିଜେଡିର ଆଭିମୁଖ୍ୟ? । ଲୋକସଭା ଓ ବିଧାନସଭାରେ ୫୦% ଆସନ ବୃଦ୍ଧି ପ୍ରସ୍ତାବ। ଲାଭକ୍ଷତିର ହିସାବ କରିବ ବିଜେଡି, ବିଚାରବିମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି । ସବୁ ରାଜ୍ୟର ଲୋକସଭା ଓ ବିଧାନସଭା ଆସନ ସମାନ ହାରରେ ୫୦ ପ୍ରତିଶତ ବୃଦ୍ଧି କରାଗଲେ କ’ଣ ହେବ ବିଜେଡିର ଆଭିମୁଖ୍ୟ? ନୂଆ ଫର୍ମୁଲାକୁ ସମର୍ଥନ କରିବ କି ବିଜୁ ଜନତା ଦଳ? ଏଭଳି ଫର୍ମୁଲା ଲାଗୁ ହେଲେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ରୁ ୩୧ କିମ୍ବା ୩୨କୁ ବୃଦ୍ଧି ପାଇପାରେ। ଏଥିସହ ଲୋକସଭାରେ ଓଡ଼ିଶାର ବର୍ତ୍ତମାନର ୩.୮୭ ପ୍ରତିଶତ ଆନୁପାତିକ ପ୍ରତିନିଧିତ୍ୱ ପ୍ରାୟ ଅକ୍ଷୁଣ୍ଣ ରହିବ। ଫଳରେ ସୀମା ପୁନର୍ନିର୍ଦ୍ଧାରଣକୁ ନେଇ ବିଜେଡିର ପୂର୍ବ ଆପତ୍ତିର ଏକ ପ୍ରମୁଖ ଦିଗର ସମାଧାନ ହୋଇପାରେ। ତେବେ ନୂଆ ଫର୍ମୁଲାକୁ ନେଇ ମାପିଚୁପି ଆଗକୁ ବଢ଼ୁଛି ବିଜେଡି। ଏବେଠୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ ଦଳ। ନୂଆ ପ୍ରସ୍ତାବରେ ଓଡ଼ିଶାର କେତେ ଲାଭ ଓ କେତେ କ୍ଷତି ହେବ, ତାହାର ତର୍ଜମା କରିବ ବିଜେଡି। ବରିଷ୍ଠ ନେତା ଓ ସାଂସଦଙ୍କ ସହ ବିଚାରବିମର୍ଶ ପରେ ଦଳ ନିଜର ଚୂଡ଼ାନ୍ତ ଆଭିମୁଖ୍ୟ ସ୍ପଷ୍ଟ କରିବ। ସମସ୍ତ ରାଜ୍ୟର ଲୋକସଭା ଆସନ ସମାନ ହାରରେ ୫୦ ପ୍ରତିଶତ ବୃଦ୍ଧି କରାଗଲେ ଦେଶରେ ଲୋକସଭା ଆସନ ସଂଖ୍ୟା ୫୪୩ରୁ ପ୍ରାୟ ୮୧୫କୁ ବୃଦ୍ଧି ପାଇପାରେ। ଓଡ଼ିଶାକୁ ଅତିରିକ୍ତ ୧୦ କିମ୍ବା ୧୧ଟି ଲୋକସଭା ଆସନ ମିଳିପାରେ। ଏଭଳି ଫର୍ମୁଲା ଲାଗୁ ହେଲେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ରୁ ୩୧ କିମ୍ବା ୩୨କୁ ବୃଦ୍ଧି ପାଇପାରେ ।
ଏଥିସହ ଲୋକସଭାରେ ଓଡ଼ିଶାର ବର୍ତ୍ତମାନର ୩.୮୭ ପ୍ରତିଶତ ଆନୁପାତିକ ପ୍ରତିନିଧିତ୍ୱ ପ୍ରାୟ ଅକ୍ଷୁଣ୍ଣ ରହିବ । ଫଳରେ ସୀମା ପୁନର୍ନିର୍ଦ୍ଧାରଣକୁ ନେଇ ବିଜେଡିର ପୂର୍ବ ଆପତ୍ତିର ଏକ ପ୍ରମୁଖ ଦିଗର ସମାଧାନ ହୋଇପାରେ । ତେବେ ନୂଆ ଫର୍ମୁଲାକୁ ନେଇ ମାପିଚୁପି ଆଗକୁ ବଢ଼ୁଛି ବିଜେଡି । ଏବେଠୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ ଦଳ। ନୂଆ ପ୍ରସ୍ତାବରେ ଓଡ଼ିଶାର କେତେ ଲାଭ ଓ କେତେ କ୍ଷତି ହେବ, ତାହାର ତର୍ଜମା କରିବ ବିଜେଡି । ବରିଷ୍ଠ ନେତା ଓ ସାଂସଦଙ୍କ ସହ ବିଚାରବିମର୍ଶ ପରେ ଦଳ ନିଜର ଚୂଡ଼ାନ୍ତ ଆଭିମୁଖ୍ୟ ସ୍ପଷ୍ଟ କରିବ । ସମାନ ହାରରେ ୫୦ ପ୍ରତିଶତ ବୃଦ୍ଧି ଫର୍ମୁଲା ଲାଗୁ ହେଲେ ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା ୧୪୭ରୁ ୨୨୦ କିମ୍ବା ୨୨୧କୁ ବୃଦ୍ଧି ପାଇପାରେ । ରାଜ୍ୟରେ ଆଉ ୭୩ କିମ୍ବା ୭୪ଟି ନୂଆ ବିଧାନସଭା ନିର୍ବାଚନମଣ୍ଡଳୀ ସୃଷ୍ଟି ହୋଇପାରେ। ଫଳରେ ବିଧାୟକଙ୍କ ପିଛା ହାରାହାରି ଜନସଂଖ୍ୟା ପ୍ରାୟ ଏକ ତୃତୀୟାଂଶ ହ୍ରାସ ପାଇବ ।
ତୃଣମୂଳସ୍ତରରେ ଜନପ୍ରତିନିଧିତ୍ୱ ବଢ଼ିବା ସହ ଲୋକଙ୍କ ନିକଟତର ହୋଇପାରିବେ ଜନପ୍ରତିନିଧି । ଆନୁପାତିକ ହିସାବରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଆସନ ୩୩ରୁ ୪୯ କିମ୍ବା ୫୦ ଏବଂ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଆସନ ୨୪ରୁ ୩୬କୁ ବୃଦ୍ଧି ପାଇପାରେ । ମହିଳା ସଂରକ୍ଷଣ ଲାଗୁ ହେଲେ ବିଧାନସଭାରେ ପ୍ରାୟ ୭୩ରୁ ୭୪ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିପାରେ। ତେବେ ନୂଆ ନିର୍ବାଚନମଣ୍ଡଳୀ ଗଠନ ଦ୍ୱାରା ଓଡ଼ିଶାର ନିର୍ବାଚନୀ ଭୂଗୋଳ ଓ ରାଜନୈତିକ ସମୀକରଣରେ ବଡ଼ ପରିବର୍ତ୍ତନ ଆସିପାରେ । ନିର୍ବାଚନମଣ୍ଡଳୀର ସୀମା କିଭଳି ନିର୍ଦ୍ଧାରଣ କରାଯିବ, ତାହା ଉପରେ ମଧ୍ୟ ବିଜେଡିର ନଜର ରହିବ ଗତ ଏପ୍ରିଲରେ କେନ୍ଦ୍ର ସରକାର ଆଣିଥିବା ସୀମା ପୁନର୍ନିର୍ଦ୍ଧାରଣ ବିଲ୍ କୁ ଦୃଢ଼ ବିରୋଧ କରିଥିଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ତତ୍କାଳୀନ ଫର୍ମୁଲା ଅନୁଯାୟୀ ଲୋକସଭାର ମୋଟ ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି ପାଇଥାନ୍ତା । ଓଡ଼ିଶାର ଲୋକସଭା ଆସନ ୨୧ରୁ ୨୯କୁ ବଢ଼ିଥାନ୍ତା । କିନ୍ତୁ ଲୋକସଭାରେ ଓଡ଼ିଶାର ଆନୁପାତିକ ଭାଗ ୩.୮୭ ପ୍ରତିଶତରୁ ୩.୪ ପ୍ରତିଶତକୁ ଖସିଥାନ୍ତା । ଜନସଂଖ୍ୟା ଆଧାରିତ ଆସନ ପୁନର୍ନିର୍ଦ୍ଧାରଣ ଦ୍ୱାରା ଓଡ଼ିଶା ଭଳି ଜନସଂଖ୍ୟା ନିୟନ୍ତ୍ରଣରେ ସଫଳତା ହାସଲ କରିଥିବା ରାଜ୍ୟଗୁଡ଼ିକର ସଂସଦୀୟ ପ୍ରତିନିଧିତ୍ୱ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ କରିଥିଲେ ନବୀନ। ଜାତୀୟ ଜନସଂଖ୍ୟା ନୀତିକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବା ଓଡ଼ିଶାକୁ ପୁରସ୍କୃତ କରିବା ପରିବର୍ତ୍ତେ ଏହାର ରାଜନୈତିକ ଗୁରୁତ୍ୱ ହ୍ରାସ କରିବା ଅନୁଚିତ ବୋଲି ଯୁକ୍ତି ବାଢ଼ିଥିଲେ ସେ । ଏହା କେବଳ ଆସନ ସଂଖ୍ୟାର ପ୍ରସଙ୍ଗ ନୁହେଁ, ବରଂ ଓଡ଼ିଶାର ଭବିଷ୍ୟତ ବିକାଶ ଓ ସଂଘୀୟ ଅଧିକାର ସହ ଜଡ଼ିତ ପ୍ରସଙ୍ଗ ବୋଲି ଦର୍ଶାଇଥିଲେ ନବୀନ। ସଂସଦରେ ଓଡ଼ିଶାର ଆନୁପାତିକ ପ୍ରତିନିଧିତ୍ୱ ହ୍ରାସ ପାଇଲେ କେନ୍ଦ୍ରୀୟ ଅନୁଦାନ, ଆର୍ଥିକ ସମ୍ବଳ ଆବଣ୍ଟନ, ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ଓ ବିକାଶମୂଳକ ଯୋଜନା ପ୍ରସଙ୍ଗରେ ଓଡ଼ିଶାର ଦାବି ଉପସ୍ଥାପନ କରିବାର ଶକ୍ତି ଦୁର୍ବଳ ହୋଇପାରେ ବୋଲି ସତର୍କ କରାଇଥିଲେ ।
ଓଡ଼ିଶାର ସ୍ୱାର୍ଥ ସୁରକ୍ଷା ପାଇଁ ଦଳମତ ନିର୍ବିଶେଷରେ ରାଜ୍ୟର ସମସ୍ତ ସାଂସଦଙ୍କୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ। ସଂସଦରେ ଓଡ଼ିଶାର ଆନୁପାତିକ ପ୍ରତିନିଧିତ୍ୱ ଯେଭଳି ହ୍ରାସ ନପାଏ, ସେଥିପାଇଁ ଏକଜୁଟ ହୋଇ ସ୍ୱର ଉଠାଇବାକୁ ଆହ୍ୱାନ ଦେଇଥିଲେ । ଏପରିକି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଥିଲେ ନବୀନ । ଓଡ଼ିଶାର ସାମୂହିକ ସ୍ୱାର୍ଥ ସୁରକ୍ଷା ପାଇଁ ରାଜ୍ୟ ବିଧାନସଭାରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବା ଉପରେ ଗୁରୁତ୍ୱ ଦେଇଥିଲେ ।
ଅନ୍ୟପଟେ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ପୂର୍ଣ୍ଣ ସମର୍ଥନ କରିଥିଲା ବିଜେଡି । ମହିଳା ସଂରକ୍ଷଣକୁ ସୀମା ପୁନର୍ନିର୍ଦ୍ଧାରଣ ପ୍ରକ୍ରିୟା ସହ ନ ଯୋଡ଼ି ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ ନବୀନ। ଏପ୍ରିଲ ୧୭ରେ ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ ହାସଲ କରିପାରି ନଥିଲା । ଏହାପରେ ‘ସତ୍ୟମେବ ଜୟତେ’ କହିବା ସହ ଏହାକୁ ଓଡ଼ିଶାର ସ୍ୱାର୍ଥ ଓ ସଂଘୀୟ ଅଧିକାରର ବିଜୟ ବୋଲି ଅଭିହିତ କରିଥିଲେ ନବୀନ । ଏବେ ଉଭୟ ଲୋକସଭା ଓ ବିଧାନସଭା ଆସନ ସମାନ ହାରରେ ୫୦ ପ୍ରତିଶତ ବୃଦ୍ଧି ପ୍ରସ୍ତାବ ଆସିଥିବାରୁ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନୂଆ ଫର୍ମୁଲାରେ ଓଡ଼ିଶାର ସଂସଦୀୟ ପ୍ରତିନିଧିତ୍ୱ ଓ ସାମଗ୍ରିକ ସ୍ୱାର୍ଥ କେତେ ସୁରକ୍ଷିତ ରହିବ, ତାହାର ତର୍ଜମା ପରେ କ’ଣ ଆଭିମୁଖ୍ୟ ଗ୍ରହଣ କରିବ ବିଜେଡି, ତାହା ଉପରେ ଏବେ ନଜର ।
