ପ୍ରେମିକଙ୍କ ଘର ଲୋକଙ୍କ ଆକ୍ରମଣରେ ପ୍ରେମିକା ଗୁରୁତର ଅଭିଯୋଗ, ପ୍ରେମିକ ଥାନାରେ ଅଟକ

ଯାଜପୁର : ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ଘରକୁ ଡାକିଲେ, ପୂରା ପରିବାର ମିଶି ପିଟିଲେ। ଖାଲି ସେତିକି ନୁହେଁ, ଟଙ୍କା ସୁନା ବି ନେଇଗଲେ। ଯାଜପୁର ଧର୍ମଶାଳା ଅଞ୍ଚଳରେ ଏମିତି ଅଭିଯୋଗ ଆସିଛି ।  ପ୍ରେମିକା ବାହା ହେବାକୁ କହି ଡାକିବାରୁ ଯୁବତୀ ଜଣକ ପ୍ରେମ ବିବାହ କରିବାକୁ ଘରୁ ଲୁଚି ପଳାଇ ଆସିଲେ।

କିନ୍ତୁ ପ୍ରେମିକର ଘରେ ପହଞ୍ଚିବା ପରେ ବିବାହ ନୁହେଁ, ପିଟା ଖାଇଲେ। ପ୍ରେମିକଙ୍କ ଘର ଲୋକଙ୍କ ଆକ୍ରମଣରେ ପ୍ରେମିକା ଗୁରୁତର। ସାଙ୍ଗରେ ଆଣିଥିବା ଟଙ୍କା ଓ ସୁନା ଗହଣାକୁ ବି ଲୁଟିନେଲେ ପ୍ରେମିକର ପରିବାର ଲୋକ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ପୋଲିସ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ସୂଚନା ମୁତାବକ, ଧର୍ମଶାଳା ଥାନା ଜାରକା ପଞ୍ଚାୟତ ଦୁବଗାଡିଆ ଗାଁର ଯୁବତୀଙ୍କ ସହ ମିର୍ଜାପୁର ଗ୍ରାମର ସମୀର ସାହୁଙ୍କ ଦୀର୍ଘ ୬ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ଗତକାଲି ସନ୍ଧ୍ୟାରେ ସମୀର ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ନିଜ ଘରକୁ ଡାକି ନେଇଥିଲେ। ମାତ୍ର ସେଠାରେ ପହଂଚିବା ପରେ ସମୀରଙ୍କ ପରିବାରବର୍ଗ ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିସହ ତାଙ୍କର ଟଙ୍କା ସୁନା ଗହଣା ଛଡାଇ ନେଇଥିଲେ।

ଯୁବତୀଙ୍କ ଗୋଟିଏ ହାତ ଓ ଗୋଡ଼ ଭାଙ୍ଗିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ସମୀର ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଆଣି ରାତିରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାଡି ଚାଲିଯାଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଧର୍ମଶାଳା ପୋଲିସ ଡାକ୍ତରଖାନାରେ ପହଂଚି ପରିବାର ଲୋକଙ୍କୁ ଖବର ଦେବା ସହ ଯୁବତୀଙ୍କ ପ୍ରାଥମିକ ବୟାନ ରେକର୍ଡ କରିଛି। ଏଥିସହ ପ୍ରେମିକ ସମୀରକୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି।

Spread the love