ନକଲି ଚାବିରେ ଟ୍ରେଲର ଚୋରି, ୪ ଗିରଫ
ଭୁବନେଶ୍ୱର : ନକଲି ଚାବିରେ ଟ୍ରେଲର ଚୋରି, ୪ ଗିରଫ । ଜାତୀୟ ରାଜପଥରେ ନିର୍ମାଣ କାମରେ ନିୟୋଜିତ ଥିବା ଏକ ଟ୍ରେଲରକୁ ଚୋରି କରିନେଇଥିଲେ ଅଭିଯୁକ୍ତ । ନକଲି ଚାବି ସହାୟତାରେ ଗାଡ଼ିଟିକୁ ଚୋରି କରି ନେଇଥିଲେ ତିନି ଅଭିଯୁକ୍ତ। ଅଭିଯୋଗ ପରେ ତଦନ୍ତକୁ ଜୋରଦାର କରିଥିଲା ଭୁବନେଶ୍ବର ଇନଫୋଭାଲି ଥାନା ପୋଲିସ୍ । ଖୋଜାଖୋଜି ପରେ ତମାଣ୍ଡୋ କେନାଲ୍ ରୋଡ୍ ନିକଟରୁ ଚୋରି ଗାଡ଼ିକୁ ଠାବ କରାଯାଇଥିଲା ।
ତେବେ ଗାଡ଼ିର ଚକା ଖୋଲି ଏକ ଅନ୍ୟ ହାଇୱାରେ ଲଗାଇ ଦିଆଯାଇଥିଲା। ଚୋରି ଗାଡ଼ିକୁ କବାଡ଼ିଆରେ ବିକ୍ରି କରିବାକୁ ଗ୍ୟାଙ୍ଗ୍ ର ଯୋଜନା ଥିବା ତଦନ୍ତରୁ ଜଣାପଡ଼ିଛି । ଗାଡ଼ିର ଚକା ଅନ୍ୟ ହାଇୱାରେ ଲଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏଥିସହ ସମ୍ପୃକ୍ତ ହାଇୱାକୁ ଜବତ କରାଯାଇଛି।
ଏହି ମାମଲାରେ କବୀନ୍ଦ୍ର ପ୍ରଧାନ, ସତ୍ୟବାନ ସୁବୁଦ୍ଧି, ମନୋଜ ପଟ୍ଟନାୟକ ଓ ବିଶ୍ୱଜିତ ରାଉତରାୟଙ୍କୁ ଗିରଫ କରିଛି ଇନ୍ଫୋଭାଲି ଥାନା ପୋଲିସ୍। ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କ ନାଁରେ ପୂର୍ବରୁ ମଧ୍ୟ ଚୋରି ମାମଲା ଥିବା ପୋଲିସ ସୂଚନା ଦେଇଛି । ଗ୍ୟାଙ୍ଗରେ ଆଉ କିଏ ସାମିଲ୍ ଅଛନ୍ତି, ସେନେଇ ତଦନ୍ତ ଚାଲିଛି । ବିଭିନ୍ନ କବାଡ଼ିଆ ଦୋକାନରେ ମଧ୍ୟ ପୋଲିସ୍ ରେଡ କରି ଖୋଳତାଡ଼ ଜାରି ରଖିଛି ।
