ଖବର ହୋଇଗଲେ ଖବରଦାତା; ସାମ୍ବାଦିକ ମହଲରେ ଶୋକର ଛାୟା
ଲଗାଣ ବର୍ଷାରେ କାନ୍ଥ ପଡ଼ି ସାମ୍ୱାଦିକଙ୍କ ମୃତ୍ୟୁ
ବାରିପଦା, 9/8: ଖବର ଦେଉଥିବା ଲୋକଟି ଆଜି ଖବର ପାଲଟିଯାଇଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକରେ।
ସୂଚନାଯୋଗ୍ୟ; ସାମ୍ୱାଦିକ କୈଳାସ ଚନ୍ଦ୍ର କରଙ୍କ ଶନିବାର ରାତିରେ ନିଜ ଘରେ ଶୋଇଥିବାବେଳେ ଘର କାନ୍ଥ ସହ ଛପର ତାଙ୍କ ଉପରେ ପଡ଼ିଯିବାରୁ ଶ୍ୱାସରୁଦ୍ଧ ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ବିଳମ୍ୱିତ ରାତିରେ ଏହା ଘଟିଥିବାବେଳେ ପରିବାରବର୍ଗ ସକାଳେ ଜାଣିଥିଲେ । ପୁଲିସ ଓ ଅଗ୍ନିଶମ ବାହିନୀଙ୍କୁ ଖବର ଦେବାରୁ ସେମାନେ ପହଞ୍ଚି ମୃତଦେହ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ କରାଇବା ପରେ ମୃତଦେହ ପୁରୀ ସ୍ୱର୍ଗଦ୍ୱାରକୁ ନେଇ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବାଙ୍ଗିରିପୋଷିରେ ଲଗାଣ ବର୍ଷା ପାଇଁ ଘର କାନ୍ଥ ମୂଳଦୁଆ ଦବି ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ନିଜ ଘରର ଏପରି ଅବସ୍ଥା ପାଇଁ ସେ ବାରମ୍ୱାର ବ୍ଲକ ପ୍ରଶାସନ ଓ ରାଜନେତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଁ ନେହୁରା ହୋଇ ନିରାଶ ହୋଇଥିଲେ । ୫ଦିନ ପୂର୍ବେ ଲଗାଣ ବର୍ଷା ଆରମ୍ଭ ଦେଖି ସେ ନିଜ ଫେସବୁକରେ ଏକ ବାର୍ତ୍ତା ପୋଷ୍ଟ କରିଥିଲେ । ଏବେ ଏହି ପୋଷ୍ଟ ପ୍ରଶାସନିକ କଳର ମୁଖା ଖୋଲିଦେଇଛି । ତାଙ୍କ ପୋଷ୍ଟରେ ସେ ଲେଖିଥିଲେ ‘ଜଣେ ସାମ୍ୱାଦିକ ସମ୍ୱାଦ ପରିବେଷଣ କରି ଜନସାଧାଣରେ ଆତ୍ମସନ୍ତୋଷ ପାଇଥାଏ । କିନ୍ତୁ ଯେତେବେଳେ ସେ ନିଜେ ଏକ ସମ୍ୱାଦ ପାଲଟିଯାଏ, ସେତେବେଳେ ସେ କ\’ଣ ପାଏ ? କେବଳ କିଛି ଓ ଓ, ଚୁ ଚୁ, ଇସ୍ କ’ଣ ହେଲାରେ ! ନୁହେଁ ତ ଆଉ କ’ଣ! ଯାହା ଆଜି ତାଙ୍କର ମୃତ୍ୟୁ ଖବର ସହିତ ଭାଇରାଲ ହେବାରେ ଲାଗିଛି । ତାଙ୍କୁ ଆବାସ ଗୃହଟିଏ ମିଳିଥିଲେ, ବୋଧହୁଏ ଏଭଳି ମୃତ୍ୟୁ ଘଟି ନ ଥା’ନ୍ତା । ସ୍ୱର୍ଗତ ଶ୍ରୀ କର ଆଜକୁ ପ୍ରାୟ ୪୦ ବର୍ଷ ଧରି ପ୍ରଜାତନ୍ତ୍ର, ସମାଜ, ଧରିତ୍ରୀ, ପ୍ରଗତିବାଦୀ, ପ୍ରମେୟ ଆଦିର ସମ୍ୱାଦଦାତା ଥିବାବେଳେ ବର୍ତ୍ତମାନ ସେ ଦୈନିକ ‘ପ୍ରବାହ\’ର ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ମେଳାପୀ ଓ ମିଷ୍ଟଭାଷୀ ବ୍ୟକ୍ତି ହୋଇଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
