ବିଏମ୍ ସି ପକ୍ଷରୁ ଷ୍ଟେସନରେ ସାର୍ବଜନୀନ ଶୌଚାଳୟରେ 40 କେଏଲ୍ ଡି ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା
ଭୁବନେଶ୍ୱର, 17/08 : ପରିମଳ,ପରିବେଶ ସୁରକ୍ଷା ଏବଂ ସ୍ଥାୟୀ ବର୍ଜ୍ୟ ପରିଚାଳନାରେ ଉନ୍ନତି ଆଣିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି ) । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନଛକ ରେଳ ଷ୍ଟେସନ ଏବଂ ଜୟଦେବ ବିହାର ଛକ ନିକଟରେ ପବ୍ଲିକ୍ ଟଏଲେଟକୁ ଲାଗି ଦୁଇଟି ସିଓ୍ୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍ ଟିପି) ଉଦଘାଟିତହୋଇଯାଇଛି । ପରିବେଶକୁ ସୁସ୍ଥ ଓ ସ୍ୱଚ୍ଛ ରଖିବା ପାଇଁ ଏହି ଦୁଇଟି ସ୍ଥାନରେ ଦୈନିକ 40 କିଲୋ ଲିଟର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ସାର୍ବଜନୀନ ଶୌଚାଳୟ ସୁବିଧାରୁ ଉତ୍ପନ୍ନ ବର୍ଜ୍ୟଜଳକୁ ବିଶୋଧନ କରିବା ଏବଂ ବର୍ଜ୍ୟ ଜଳର ପୁନଃ ବ୍ୟବହାର କିମ୍ବା ନିରାପଦ ନିଷ୍କାସନ ପୂର୍ବରୁ ଏହାକୁ ସଠିକ ଭାବରେ ବିଶୋଧନକୁ ସୁନିଶ୍ଚିତ କରିବା ପାଇଁ ଏସଟିପିକୁ ବିକଶିତ କରାଯାଇଛି। ଏହି ପ୍ଲାଣ୍ଟ ସଫଳତାର ସହ କାର୍ଯ୍ୟକ୍ଷମ ଏବଂ ପରୀକ୍ଷାମୂଳକ ପରିଚାଳନା ପରେ ଆଜି ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ, ଭୁବନେଶ୍ୱର (ମଧ୍ୟ)ଶ୍ରୀ ଅନନ୍ତ ନାରାୟଣ ଜେନା, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ବହୁ କର୍ପୋରେଟର, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସେହିପରି ଜୟଦେବ ବିହାରଠାରେ ମାନ୍ୟବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମାନନୀୟା ମେୟର, ଡେପୁଟି ମେୟର ଏବଂ ସ୍ଥାନୀୟ କର୍ପୋରେଟର ଅଦିଥି ଭାବେ ଯୋଗଦେଇ ଏହି ଏସଟିପିକୁ ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ ସିର ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଶୌଚାଳୟରୁ ନିର୍ଗତ ଜଳ ବିଶୋଧିତ ହେବା ପରେ ତାହାକୁ ଜୀବାଣୁ ମୁକ୍ତ କରାଯାଇ ଉଦ୍ୟାନ କୃଷି ଓ ଅନ୍ୟନ୍ୟ ଅନୁମୋଦିତ ଅଣ-ପାନୀୟ କାର୍ଯ୍ୟପାଇଁ ବ୍ୟବହାର କରାଯିବ । ଏହା ଦ୍ୱାରା ପରିବେଶ ପ୍ରଦୂଷଣ ହ୍ରାସ ପାଇବ ଏବଂ ଜଳର ମଧ୍ୟ ପୁନଃ ବ୍ୟବହାର ହୋଇପାରିବ ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ । ଏଠାରେ ଏସ୍. ଟି. ପି. କାର୍ଯ୍ୟକାରୀ ହେଲେ ରେଳଷ୍ଟେସନ ଅଂଚଳରେ ପରିମଳ ଭିତ୍ତିଭୂମି ସୁଦୃଢ କରିବ ଏବଂ ପରିବେଶକୁ ସ୍ୱଚ୍ଛ ରଖିବାରେ ବେଶ ସହାୟକ ହେବ । ଏହାକୁ ସୁଚାରୁରୂପେ ପରିଟାଳନା କରାଯିବ । ଏହି ପ୍ରକଳ୍ପ ଭୁବନେଶ୍ୱରରେ ସାର୍ବଜନୀନ ପରିମଳ ଭିତ୍ତିଭୂମିରେ ଉନ୍ନତି ଆଣିବା ଏବଂ ପରିବେଶ ଦୃଷ୍ଟିରୁ ସ୍ଥାୟୀ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଦଗରେ ବିଏମ୍ ସି ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରୟାସ ମଧ୍ୟରୁ ଅନ୍ୟତମ ।
