ସରକାରୀ ଚାକିରିଆ ସାବଧାନ ! ଦ୍ବିତୀୟ ବିବାହ କଲେ କଟିଯିବ ଦରମା

ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । କହିଛନ୍ତି, ଯଦି କେହି ସରକାରୀ ଚାକିରିଆ ଛାଡ଼ପତ୍ର ନଦେଇ ଦ୍ବିତୀୟ ବିବାହ କରେ ତାହାଲେ ହେବ ବଡ଼ ଆକ୍ସନ । କଟିଯିବ ୨୦ ପ୍ରତିଶତ ଦରମା । ଆସାମର ସରକାରଙ୍କ କଡ଼ା ନିୟମ, ସରକାରୀ  କର୍ମଚାରୀ ଯଦି ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ଆଗରୁ ଦ୍ୱିତୀୟ ବିବାହ କରନ୍ତି, ସେମାନଙ୍କୁ ଲାଗିବ ଆର୍ଥିକ ଛାଟ ।  କଟିଯିବ ୨୦ ପ୍ରତିଶତ ଦରମା ।  ଏବେ ଅନେକ ଲୋକ ନୈତିକ ଭାବେ ବିବାହ କରୁଥିବା ଘଟଣା ସାମ୍ନାକୁ ଆସିବା ପରେ ଆସାମ ହିମନ୍ତ ସରକାର ଏଭଳି ଘୋଷଣା କରିଛନ୍ତି ।

ପ୍ରଥମ ସ୍ତ୍ରୀଙ୍କୁ ଦରମାର ୨୦% ମିଳିବ:
ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମା କହିଛନ୍ତି , ଏପରି ପରିସ୍ଥିତିରେ, ସରକାର କର୍ମଚାରୀଙ୍କ ଦରମାରୁ ୨୦ ପ୍ରତିଶତ କାଟି ପ୍ରଥମ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ , ଏହି ପଦକ୍ଷେପ ବିଷୟରେ ବିଚାର କରାଯାଉଛି କାରଣ ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ କର୍ମଚାରୀମାନେ ଛାଡପତ୍ର ଦେବା ଆଗରୁ ଦ୍ବିତୀୟ ବିବାହ କରିଦେଉଛନ୍ତି । ଯାହା ଗୋଟେ ପରିବାରକୁ ଛାରଖାର କରିଦେଉଛି ।

ହିମନ୍ତ ବିଶ୍ବଶର୍ମା କହିଛନ୍ତି , ମାମଲା କୋର୍ଟରେ ଥିବା ପର୍ଯ୍ୟନ୍ତ ଦରମା କାଟ ଜାରି ରହିପାରିବ, ଯାହା ଦ୍ଵାରା ପ୍ରଥମ ପତ୍ନୀଙ୍କୁ ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ବିନା ଅପେକ୍ଷା କରିବାକୁ ପଡିବ ନାହିଁ । ଶର୍ମା କହିଛନ୍ତି ,ସରକାର ପ୍ରଯୁଜ୍ୟ ଆଇନ ଏବଂ ସେବା ନିୟମ ଉଲ୍ଲଂଘନ କରୁଥିବା କର୍ମଚାରୀମାନଙ୍କ ବିରୁଦ୍ଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ । ଏହି ପ୍ରସ୍ତାବିତ କାର୍ଯ୍ୟାନୁଷ୍ଠାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଆସାମ ବହୁ ବିବାହ ବିରୁଦ୍ଧରେ ଏହାର ଆଇନଗତ ଏବଂ ପ୍ରଶାସନିକ ଢାଞ୍ଚାକୁ କଡ଼ାକଡ଼ି କରିବାକୁ ଚେଷ୍ଟା କରୁଛି । ଆସାମ ପୂର୍ବରୁ ଏହାର UCC ମାଧ୍ୟମରେ ବହୁବିବାହକୁ ନିଷିଦ୍ଧ କରିସାରିଛି।

ପ୍ରାଇଭେଟ୍ କର୍ମଚାରୀଙ୍କ ଉପରେ ବି ଲାଗୁ :
ଆସାମ ପୂର୍ବରୁ ବହୁ ବିବାହ ନିଷେଧ ନିୟମକୁ ଏହାର ନାଗରିକ-ଆଇନ ଢାଞ୍ଚାରେ ସାମିଲ କରିଛି, ଯେତେବେଳେ ସରକାରୀ ସେବା ନିୟମ ମଧ୍ୟ ଦ୍ୱିତୀୟ ବିବାହକୁ ନିଷେଧ କରିଛି । ମୁଖ୍ୟମନ୍ତ୍ରୀ ଏହା ବି ସୂଚାଇ ଦେଇଛନ୍ତି ,  ସରକାର ଘରୋଇ କ୍ଷେତ୍ରରେ ମହିଳାମାନଙ୍କୁ ସମାନ ସୁରକ୍ଷା ପ୍ରଦାନ କରିବାକୁ ବିଚାର କରୁଛନ୍ତି । ସେ କହିଛନ୍ତି , ଘରୋଇ କ୍ଷେତ୍ରର କର୍ମଚାରୀମାନଙ୍କୁ ଏହାର ପରିସରଭୁକ୍ତ କରିବା ପାଇଁ ଏକ ଆଇନଗତ ପଦକ୍ଷେପ ବିଚାର କରାଯାଉଛି । ଏହି ପ୍ରସ୍ତାବର ଲକ୍ଷ୍ୟ ହେଉଛି ଛାଡପତ୍ର ବିନା ସ୍ୱାମୀଙ୍କ ଦ୍ୱାରା ପରିତ୍ୟକ୍ତ ମହିଳାମାନେ ଯେପରି ଆର୍ଥିକ ସମସ୍ୟା ନଭୋଗନ୍ତି । ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଆସାମ ହେଉଛି ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବାରେ ତୃତୀୟ ରାଜ୍ୟ ।

Spread the love

Leave a Reply

Your email address will not be published. Required fields are marked *