ଡିସେମ୍ବରରେ ଉଦ୍ଘାଟନ ହେବ ଏସସିବି ନୂଆ କୋଠା : ମୁଖ୍ୟମନ୍ତ୍ରୀ
ଆସନ୍ତା ଡିସେମ୍ବରରେ କଟକ ବଡ଼ ମେଡିକାଲର ସମ୍ପ୍ରସାରିତ ନୂଆ କୋଠା ଉଦ୍ଘାଟନ ହେବ । ଜାନୁଆରିରେ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ନିଷ୍ପତ୍ତି ହୋଇଛି । ଏହାସହିତ ୪ଟି ନୂତନ କ୍ଲିନିକାଲ୍ ଓ ଗୋଟିଏ ଆବାସିକ ବ୍ଲକ୍ ନିର୍ମାଣ ହେବ । ତେବେ ଡିସେମ୍ବର ସୁଦ୍ଧା କାର୍ଯ୍ୟ ଶେଷ ହେବା ବଡ଼ ଚ୍ୟାଲେଞ୍ଜ ହେବ ।
ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତୀକରଣ ଓ ଭିତ୍ତିଭୂମି ବିକାଶ ସହିତ ଏହାକୁ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା କେନ୍ଦ୍ରରେ ରୂପାନ୍ତରିତ କରିବା ପାଇଁ ଚାଲିଥିବା ପୁନର୍ବିକାଶ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତା ଡିସେମ୍ବରରେ ଏସସିବି ନୂତନ କୋଠା ଉଦ୍ଘାଟନ କରାଯିବ ବୋଲି ଗତକାଲି ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଜାନୁଆରିରୁ ଏହା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଏଥିସହ ହସ୍ପିଟାଲ ସଂଲଗ୍ନ ତାଳଦଣ୍ଡା କେନାଲର ଦୁଇ ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ସୁସଜ୍ଜିତ କରିବା, ଚଉଡ଼ା ରାସ୍ତା ନିର୍ମାଣ କରିବା ଏବଂ ସୌନ୍ଦର୍ଯ୍ୟୀକରଣ କରି ମନୋରମ ପରିବେଶ ସୃଷ୍ଟି କରାଯିବ। ପ୍ରଥମ ପର୍ଯ୍ୟାୟରେ ନିର୍ମାଣାଧୀନ ବହୁତଳ କାର ପାର୍କିଂ ଏବଂ ତାଳଦଣ୍ଡା କେନାଲ ରାସ୍ତାକୁ ସଂଯୋଗ କରିବାକୁ ଥିବା ଟ୍ରାଫିକ କରିଡର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ଏସ୍ସିବିରେ ୪ଟି ନୂତନ କ୍ଲିନିକାଲ୍ ଓ ଗୋଟିଏ ଆବାସିକ ବ୍ଲକର ନିର୍ମାଣ ହେବ। କ୍ଲିନିକାଲ୍ ବ୍ଲକ୍ଗୁଡ଼ିକ ଆସନ୍ତାବର୍ଷ ଜୁନ୍ସୁଦ୍ଧା ଶେଷ ହେବ। ଆସନ୍ତା ଡିସେମ୍ବରରେ ମେଡିକାଲର ସମ୍ପ୍ରସାରିତ କୋଠା ଉଦଘାଟନ ହେବାକୁ ଥିବାରୁ ଜୋରସୋରରେ କାମ ଚାଲିଛି। ଏବେ ନୂଆ କୋଠାର ପାଖାପାଖି ୭୦ ଭାଗ କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ବଡ଼ କଥା ହେଉଛି ହାତରେ ଆଉ ଚାରି ମାସ ରହିଛି। ଚାରି ମାସ ଭିତରେ ମେଡିକାଲର କାର୍ଯ୍ୟ ଶେଷ କରିବା ବଡ଼ ଚ୍ୟାଲେଞ୍ଜ ହେବ। ଏସସିବି ମେଡିକାଲର ସମ୍ପ୍ରସାରିତ କୋଠା ଉଦଘାଟନ ହୋଇ କାର୍ଯ୍ୟକାରୀ ହେଲେ ହଜାର ହଜାର ରୋଗୀ ଉପକୃତ ହେବେ।
