ସୋଆ ଆଇଟିଇଆର ଏନ୍ଏସ୍ଏସ୍ ୟୁନିଟ୍ର ସ୍ୱତନ୍ତ୍ର ଶିବିର
ଭୁବନେଶ୍ୱର, ଅକ୍ଟୋବର ୯: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଆର)ର ଏନ୍ଏସ୍ଏସ୍ ୟୁନିଟ୍ ପକ୍ଷରୁ ହରପୁର ଓ କାଶୀପୁର ଗ୍ରାମରେ ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ ସାତ ଦିନିଆ ସ୍ୱତନ୍ତ୍ର ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ଗ୍ରାମବାସୀଙ୍କ ସହ ମିଳିତ ଭାବେ ସ୍ୱଚ୍ଛତା, ନିଶା ନିବାରଣ, ବୟସ୍କଙ୍କ ସେବା ଓ ଶିକ୍ଷା ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
ଗ୍ରାମବାସୀଙ୍କ ଆବଶ୍ୟକତା ଓ ସ୍ଥାନୀୟ ପରିସ୍ଥିତି ବୁଝିବା ପାଇଁ ସର୍ବେକ୍ଷଣରୁ ଶିବିରର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସ୍ୱେଚ୍ଛାସେବୀମାନେ ଗ୍ରାମର ମନ୍ଦିର ପରିସର ସଫା କରିବା ସହ ସାର୍ବଜନୀନ ସ୍ଥାନ ଗୁଡ଼ିକୁ ପରିଷ୍କାର ରଖିବାକୁ ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ‘ନଶା ମୁକ୍ତ ଯୁବା ଫର ବିକଶିତ ଭାରତ’ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଓ ଗ୍ରାମବାସୀମାନେ ନିଶାମୁକ୍ତ ସମାଜ ଗଠନ ପାଇଁ ମିଳିତ ଭାବେ ଶପଥ ନେଇଥିଲେ। ‘ବୟୋ ସେବା’ ମାଧ୍ୟମରେ ସ୍ୱେଚ୍ଛାସେବୀମାନେ ବୟସ୍କ ବ୍ୟକ୍ତିଙ୍କ ପ୍ରତି ସ୍ନେହ, ସମ୍ମାନ ଓ ଦାୟିତ୍ୱବୋଧ ପ୍ରକାଶ କରିବା ନିମନ୍ତେ ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ। ଗ୍ରାମର ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହା ସହ ଶତାଧିକ ଗାଈ ରହୁଥିବା ଏକ ଗୋଶାଳାରେ ସ୍ୱେଚ୍ଛାସେବୀମାନେ ସଫେଇ କାର୍ଯ୍ୟ କରିଥିଲେ । ଉଦଯାପନୀ ସମାରୋହରେ ଆଇଟିଇଆରର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ସୋଆ ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର କମଳ ଲୋଚନ ମହନ୍ତ, ଆଇଟିଇଆର ଏନ୍ଏସ୍ଏସ୍ ୟୁନିଟ୍–୧ର କାର୍ଯ୍ୟକ୍ରମ ଅଧିକାରୀ ପ୍ରଫେସର ପଦ୍ମଜା ପଟେଲ ଏବଂ ୟୁନିଟ୍–୨ର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶିବ ପ୍ରସାଦ ତ୍ରିପାଠୀ ଉପସ୍ଥିତ ଥିଲେ । ପ୍ରଫେସର ସାହୁ ଏନ୍ଏସ୍ଏସ୍ ଓ ସମାଜସେବା ମାଧ୍ୟମରେ ଚରିତ୍ର ଗଠନ କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ଡକ୍ଟର ମହନ୍ତ ସ୍ୱତନ୍ତ୍ର ଶିବିରରେ ଏନ୍ଏସ୍ଏସ୍ ୟୁନିଟଗୁଡ଼ିକର କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ। ଏହି ସାତଦିନିଆ ଶିବିର ଛାତ୍ରଛାତ୍ରୀଙ୍କୁ ଗ୍ରାମୀଣ ଜୀବନ ସହ ପରିଚିତ ହେବା, ଦଳଗତ ଭାବେ କାର୍ଯ୍ୟ କରିବା ଏବଂ ଏନ୍ଏସ୍ଏସର ମୂଳମନ୍ତ୍ର ‘ମୁଁ ନୁହେଁ, ତୁମେ’କୁ କାର୍ଯ୍ୟରେ ପରିଣତ କରିବାର ସୁଯୋଗ ଦେଇଥିଲା ।
