୧୦୦ କୋଟିର ସରକାରୀ ଜମିକୁ ନେଇ ବିବାଦ, ରେକର୍ଡ ଆବେଦନ ଖାରଜ କଲେ ରାଜସ୍ୱ ପରିଷଦ ସଦସ୍ୟ ସତ୍ୟବ୍ରତ ସାହୁ
ଭୁବନେଶ୍ୱର : ୧୦୦ କୋଟିର ସରକାରୀ ଜମି ଲିଜକୁ ନେଇ ବିବାଦ । ରେକର୍ଡ ଆବେଦନ ଖାରଜ କଲେ ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁ । ଚାଷ ପାଇଁ ଜଣେ ଓଏଏସ୍ ଅଧିକାରୀଙ୍କୁ ଲିଜରେ ଦିଆଯାଇଥିଲା ମୂଲ୍ୟବାନ ସରକାରୀ ଜମି । ପରେ ସେହି ଜମି ବିକ୍ରି ହୋଇ ଅନ୍ୟ ବ୍ୟକ୍ତିଙ୍କ ହାତକୁ ଯାଇଥିଲା । ଏବେ ଜମି କିଣିଥିବା ବ୍ୟକ୍ତିଙ୍କ ନାଁରେ ରେକର୍ଡ କରିବା ଦାବିକୁ ଖାରଜ କରିଛନ୍ତି ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁ । ଏଥିସହ ଜମିର ମୂଳ ମାଲିକାନା, ଲିଜ୍ ଓ ପରବର୍ତ୍ତୀ ବିକ୍ରି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ଓଗାଳପଡ଼ା ମୌଜାରେ ରହିଛି ଏହି ବିବାଦୀୟ ଜମି । ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥ ସଂଲଗ୍ନ ୪.୨୪ ଏକରରୁ ଅଧିକ ଜମିର ବର୍ତ୍ତମାନ ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଉଛି । ଏତେ ମୂଲ୍ୟବାନ ସରକାରୀ ଜମି କିପରି ଜଣେ ଅଧିକାରୀଙ୍କ ନାମରେ ଲିଜ୍ ହେଲା ଏବଂ ପରେ ଅନ୍ୟ ବ୍ୟକ୍ତିଙ୍କ ହାତକୁ ଗଲା, ତାହାକୁ ନେଇ ଉଠିଛି ପ୍ରଶ୍ନ । ମାମଲାରେ ଉପସ୍ଥାପିତ ତଥ୍ୟ ଅନୁସାରେ, ୧୯୬୮ ମସିହାରେ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ, ୧୯୬୨ ଅନୁଯାୟୀ ଜଣେ ଓଏଏସ୍ ଅଧିକାରୀଙ୍କୁ ଏହି ଜମି କୃଷି କାର୍ଯ୍ୟ ପାଇଁ ଲିଜରେ ଦିଆଯାଇଥିବା ଦାବି ହୋଇଛି । ସମ୍ପୃକ୍ତ ଅଧିକାରୀ ସେତେବେଳେ ଜମି ବନ୍ଦୋବସ୍ତ କାର୍ଯ୍ୟରେ ନିୟୋଜିତ ଥିଲେ। ସରକାରୀ ଜମି ବନ୍ଦୋବସ୍ତ ଆଇନ ଓ ନିୟମ ଅନୁଯାୟୀ କୃଷି ପାଇଁ ଜମି ପ୍ରଦାନରେ ଭୂମିହୀନ କୃଷି ଶ୍ରମିକ, ସେମାନଙ୍କ ସମବାୟ ସମିତି, ନିର୍ଦ୍ଦିଷ୍ଟ ବର୍ଗର ପୂର୍ବତନ ସୈନିକ ଓ ସୀମିତ ଜମି ଥିବା ଚାଷୀଙ୍କୁ ପ୍ରାଥମିକତା ଦେବାର ବ୍ୟବସ୍ଥା ରହିଛି ।
ତେବେ ସମ୍ପୃକ୍ତ ଓଏଏସ୍ ଅଧିକାରୀ କେଉଁ ଯୋଗ୍ୟତା ଆଧାରରେ ଜମି ପାଇଥିଲେ ? ତାଙ୍କ ଆବେଦନକୁ କିଏ ଅନୁମୋଦନ କରିଥିଲେ ? ଲିଜରେ ଜମି ବିକ୍ରି ପାଇଁ କୌଣସି ଅନୁମତି ଥିଲା କି ? ଏସବୁ ବିଷୟ ଏବେ ତଦନ୍ତର ପରିସରକୁ ଆସିଛି। ଏହି ମାମଲାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି, ୧୯୬୮ ମସିହାର ମୂଳ ଲିଜ୍ ଫାଇଲ୍ ବର୍ତ୍ତମାନ ଜଟଣୀ ତହସିଲ କାର୍ଯ୍ୟାଳୟରେ ଉପଲବ୍ଧ ନାହିଁ । ତହସିଲଦାରଙ୍କ ପକ୍ଷରୁ ଦାଖଲ ରିପୋର୍ଟରେ ଏହା ଦର୍ଶାଯାଇଛି। ଫଳରେ ଜମି ଲିଜର ମୂଳ ସର୍ତ୍ତ, ଅନୁମୋଦନ ଓ ଯୋଗ୍ୟତା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ । ଏପରିକି ପୁରୁଣା ଜମି ରେକର୍ଡ, ନକ୍ସା ଓ କ୍ଷେତ୍ର ଯାଞ୍ଚ ରିପୋର୍ଟରେ ଜମି ପରିମାଣକୁ ନେଇ ମଧ୍ୟ ଅସଙ୍ଗତି ଥିବା ଜଣାପଡ଼ିଛି । ପ୍ରକୃତରେ କେତେ ଜମି ଲିଜ୍ ଦିଆଯାଇଥିଲା ? କେତେ ଜମି ପରେ ବିକ୍ରି ହୋଇଥିଲା ଏବଂ ରେକର୍ଡରେ ଫରକ କାହିଁକି ରହିଛି, ତାହା ମଧ୍ୟ ଯାଞ୍ଚ କରାଯିବ । ଏହି ମାମଲା ସହ ଜଡ଼ିତ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି ।
ଜଟଣୀ ତହସିଲଦାରଙ୍କ ରିପୋର୍ଟ ଅନୁସାରେ, ଓଗାଳପଡ଼ା ମୌଜାରେ ୨୦ ଏକରରୁ ଅଧିକ ସରକାରୀ ଜମି ବିଭିନ୍ନ ବ୍ୟକ୍ତିଙ୍କ ଜବରଦଖଲରେ ରହିଛି। ସରକାରୀ ରେକର୍ଡରେ ଜମି ସରକାରଙ୍କ ନାମରେ ଥିଲେ ମଧ୍ୟ ଏହା ଜବରଦଖଲରେ ରହିଥିବା ଦର୍ଶାଯାଇଛି । ଏହା ଫଳରେ ସରକାରୀ ଜମିର ସୁରକ୍ଷା, ଜବରଦଖଲ ଉଚ୍ଛେଦ ଓ ପୁରୁଣା ଜମି ରେକର୍ଡର ସଠିକ୍ ଯାଞ୍ଚ ପ୍ରସଙ୍ଗ ମଧ୍ୟ ଗୁରୁତ୍ୱ ପାଇଛି । ଏହି ଜମି ସମ୍ପର୍କିତ ରିଭିଜନ୍ ମାମଲାର ଶୁଣାଣି କରି ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁ ଜମି କିଣିଥିବା ବ୍ୟକ୍ତିଙ୍କ ନାମରେ ରେକର୍ଡ କରିବା ଦାବିକୁ ଖାରଜ କରିଛନ୍ତି । ବିବାଦୀୟ ବିକ୍ରୟ ଦଲିଲ କିମ୍ବା ମ୍ୟୁଟେସନ୍ ଆଧାରରେ ବର୍ତ୍ତମାନର ସରକାରୀ ଜମି ରେକର୍ଡ ପରିବର୍ତ୍ତନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ମୂଳ ଲିଜ୍ ଫାଇଲ୍, ଜମି ରେକର୍ଡ, ନକ୍ସା, ବିକ୍ରୟ ଦଲିଲ, ମ୍ୟୁଟେସନ୍ ରେକର୍ଡ ଓ କ୍ଷେତ୍ର ଯାଞ୍ଚ ସମ୍ପର୍କିତ କାଗଜପତ୍ର ସଂଗ୍ରହ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ପ୍ରଶ୍ନ ଉଠିଛି, ୫୮ ବର୍ଷ ତଳେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ସରକାରୀ ଜମି କେଉଁ ନିୟମରେ ଲିଜ୍ ଦିଆଯାଇଥିଲା? ପରେ ଜମି ବିକ୍ରି କିପରି ହେଲା ? ମୂଳ ଲିଜ୍ ଫାଇଲ୍ କୁଆଡ଼େ ଗଲା ? ଆଉ ଜମି ରେକର୍ଡ ଓ ନକ୍ସାରେ ଅସଙ୍ଗତି କାହିଁକି ରହିଛି? ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶ ପରେ ଏବେ ବିଭାଗୀୟ ତଦନ୍ତ ଉପରେ ନଜର। ତଦନ୍ତରୁ ହିଁ ଜମି ଲିଜ୍ ଓ ପରବର୍ତ୍ତୀ ହସ୍ତାନ୍ତରର ଆଇନଗତ ବୈଧତା ସ୍ପଷ୍ଟ ହୋଇପାରିବ ।
