ନରେନ୍ଦ୍ରପୁର ଗ୍ରାମରେ ଆନ୍ତର୍ଜାତୀୟ ବାଳିକା ଦିବସ; ବାଲ୍ୟ ବିବାହର ଅନ୍ତ ଏବଂ ବାଳିକାମାନଙ୍କ ଅଧିକାରରେ ନିବେଶ

ବାଣପୁର,: ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ପ୍ରୟତ୍ନ ସଂସ୍ଥା ପକ୍ଷରୁ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ “ବାଲ୍ୟ ବିବାହର ଅନ୍ତ ଏବଂ ବାଳିକାମାନଙ୍କ ଅଧିକାରରେ ନିବେଶ” ଉପରେ ଆଧାରିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବାଲ୍ୟ ବିବାହକୁ ରୋକିବା, ବାଳିକାମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ଶିକ୍ଷା, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତକୁ ସୁନିଶ୍ଚିତ କରିବା। ଏହି ଅବସରରେ HDFC ବ୍ୟାଙ୍କ, ଚିଲିକା ଓ ବାଣପୁରର ସହକାରୀ ପ୍ରବନ୍ଧକ ଅନୁରାଗ ସାର୍ ଏବଂ ଦର୍ପନାରାୟଣ ସାର୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହିତ ନରେନ୍ଦ୍ରପୁର ଗ୍ରାମ ବିକାଶ କମିଟିର ସଭାପତି ପବିତ୍ର ବରାଳ, ପଞ୍ଚାୟତ ୱାର୍ଡ ସଭ୍ୟା ରୀତା ହରିଚନ୍ଦନ, ସୁନିତା ଦଳାଇ, ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ଦାସ, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସତ୍ୟନାରାୟଣ ନାୟକ, ପ୍ରୟତ୍ନ ସଂସ୍ଥାର ଉପନିର୍ଦ୍ଦେଶକ ରାମଖିଲାଡ଼ି ପୋସୱାଲ୍, ପ୍ରକଳ୍ପ ପରିଚାଳକ କାହ୍ନ ଚରଣ ମଲ୍ଲିକ, ବିଷୟଭିତ୍ତିକ ବିଶେଷଜ୍ଞ ଓ ସମୁଦାୟ ସଂଗଠକମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗ୍ରାମସ୍ତରରେ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା। ଏହି ରାଲି ମାଧ୍ୟମରେ ଗ୍ରାମବାସୀଙ୍କୁ ବାଲ୍ୟ ବିବାହର କୁପରିଣାମ, ବାଳିକାମାନଙ୍କ ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ଏବଂ ଶିଶୁ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ଏହାପରେ ପ୍ରୟତ୍ନ ସଂସ୍ଥାର ଉପନିର୍ଦ୍ଦେଶକ ଶ୍ରୀ ରାମଖିଲାଡ଼ି ପୋସୱାଲ୍ ବାଳିକାମାନଙ୍କ ଅଧିକାର, ସେମାନଙ୍କ ଶିକ୍ଷା ଓ ସୁରକ୍ଷାର ଆବଶ୍ୟକତା ଏବଂ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ପ୍ରତ୍ୟେକ ବାଳିକାଙ୍କୁ ଶିକ୍ଷା, ସମାନ ସୁଯୋଗ, ସୁରକ୍ଷା ଓ ସମ୍ମାନ ପ୍ରଦାନ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ବାଲ୍ୟ ବିବାହ ରୋକିବା ପାଇଁ ପରିବାର, ବିଦ୍ୟାଳୟ, ସମୁଦାୟ ଓ ସ୍ଥାନୀୟ ପ୍ରଶାସନର ସମନ୍ୱିତ ପ୍ରୟାସ ଅତ୍ୟନ୍ତ ଜରୁରୀ। ସେହିପରି ନରେନ୍ଦ୍ରପୁର ଗ୍ରାମ ବିକାଶ କମିଟିର ସଭାପତି ଶ୍ରୀ ପବିତ୍ର ବରାଳ ନିଜ ବକ୍ତବ୍ୟରେ କହିଥିଲେ ଯେ, ବାଳିକାମାନେ ଆମ ପରିବାର, ସମାଜ ଓ ଦେଶର ଗୌରବ। ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ସମ୍ମାନ, ସୁରକ୍ଷା ଓ ଆଗକୁ ବଢ଼ିବାର ସୁଯୋଗ ଦେଲେ ସେମାନେ ଭବିଷ୍ୟତରେ ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବେ। ତେଣୁ ବାଲ୍ୟ ବିବାହକୁ ରୋକିବା ସହିତ ପ୍ରତ୍ୟେକ ବାଳିକାର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାଳିକାମାନଙ୍କ ଅଧିକାରର ସୁରକ୍ଷା, ବାଲ୍ୟ ବିବାହ ନିରାକରଣ ଏବଂ ଲିଙ୍ଗଗତ ସମାନତା ପ୍ରତିଷ୍ଠା ଦିଗରେ ସମୁଦାୟର ସାମୂହିକ ଦାୟିତ୍ୱକୁ ଗୁରୁତ୍ୱ ଦିଆଯାଇଥିଲା।
‘ବାଳିକାଙ୍କ ଅଧିକାରର ସୁରକ୍ଷା, ବାଲ୍ୟ ବିବାହର ଅନ୍ତ ଏବଂ ଶିକ୍ଷାରେ ନିବେଶ — ଏକ ସମାନ, ସୁରକ୍ଷିତ ଓ ସମୃଦ୍ଧ ସମାଜ ଗଠନର ମୂଳମନ୍ତ୍ର’।

Spread the love

Leave a Reply

Your email address will not be published. Required fields are marked *