ରାଜ୍ୟବ୍ୟାପୀ “କଳସ ବନ୍ଦନ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର, ତା.୦୮/୦୮: ତ୍ରୟୋଦଶ – ଚତୁର୍ଦ୍ଦଶ ଶତାଦ୍ଦୀ ବେଳକୁ ବାହ୍ୟ ଶତୃଙ୍କ ଆକ୍ରମଣ ଏବଂ ଧର୍ମାନ୍ତୀରଣ ପ୍ରକ୍ରିୟା କାରଣରୁ ସାମାଜିକ ବୈଷମ୍ୟ ଓ ଜାତିଭେଦର ଅସ୍ପୃଶ୍ୟତା ପ୍ରମୁଖ ଶିଖରରେ ପହଁଚିଥିଲା । ସାମଗ୍ରିକ ଭାବେ ସତାନତ ଧର୍ମ ମଧ୍ୟ ବହୁ ଆହ୍ୱାନର ସମ୍ମୁଖୀନ ହୋଇଥିଲା । ଦୀର୍ଘ ୧୨୦୦ ବର୍ଷ ଧରି ଦେଶ ପରାଧୀନ ଥିଲା । ଇଂରେଜଙ୍କ ଠାରୁ ଆରମ୍ଭ କରି ମୋଗଲ ପର୍ଯ୍ୟନ୍ତ ସଭିଏଁ ସନାତନ ଧର୍ମକୁ ବାରମ୍ବାର ଆକ୍ରମଣ କରିଥିଲେ । ଏହି ଧର୍ମକୁ ନଷ୍ଟ କରିବା ପାଇଁ ଅନେକ ଅପଚେଷ୍ଟା କରିଥିଲେ । ମାତ୍ର ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବି ଦାସ ମହାରାଜଙ୍କ କାରଣରୁ ଏହି ସନାତନ ଧର୍ମର ରକ୍ଷା ହେବା ସହିତ ଅନେକ ସଂସ୍କାର ଆସିଥିଲା ଏହି ଧର୍ମ ସହ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ସେ ଆଜୀବନ ସଂଗ୍ରାମ କରିଥିଲେ । ଆଜି ଆମକୁ ଯେଉଁ ସାମାଜିକ ଓ ଅର୍ଥନୈତିକ ସ୍ୱାଧୀନତା ମିିଳିଛି, ଏହାପଛରେ ଆମ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ପୂଜ୍ୟ ସନ୍ଥ ଶ୍ରୀ ଗୁରୁ ରବି ଦାସ ମହାରାଜ ଅଟନ୍ତି । ସମାଜରେ ଯେତେବେଳେ କିଛି ରୁଢ଼ିବାଦୀ ଲୋକ ଆମ ଭିତରେ ଝଗଡ଼ା ଲଗେଇବା ପାଇଁ, ବିବାଦ କରିବା ପାଇଁ, ଜାତିବାଦ ଆଣିବା ପାଇଁ ଉଦ୍ୟମ କରୁଥିଲେ ସେତେବେଳେ ସନ୍ଥ ଶ୍ରୀ ରବିଦାସ ଅନେକ ସଂଘର୍ଷ କରି ସମରସତାର ବାର୍ତା ଦେଇ ସମାଜରୁ ଛୁଆଁ, ଅଛୁଆଁ, ଅସ୍ପୁଶ୍ୟତା ଭେଦଭାବ ଦୂର କରିବାକୁ ଚେଷ୍ଟା କରିଥିଲେ । ସମାଜରେ ସଂସ୍କାର ଆଣି ଠିକ୍‌ଭାବେ ଗଢ଼ିବା ପାଇଁ ସଂକଳ୍ପ ନେବା ସହିତ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ପାଇଁ ଅନେକ ଯୁଗପୋଯୋଗୀ ନିଷ୍ପତି ନେଇଥିଲେ । ପରିବର୍ତନ କରିବାର ଆତ୍ମବିଶ୍ୱାସ, ପ୍ରତିବଦ୍ଧତା ଓ ଧୈର୍ଯ୍ୟ ବଳରେ ସାମାଜିକ ସମରସତାକୁ ଲୋକଙ୍କ ପାଖରେ ପହଂଚାଇପାରିଥିଲେ । ଏଥିଯୋଗୁଁ ସମଗ୍ର ଭାରତବର୍ଷରେ ଆଜି ଲୋକେ ତାଙ୍କୁ ପୂଜା କରୁଛନ୍ତି । ଏଭଳି ସମାଜ ସଂସ୍କାର କାର୍ଯ୍ୟ ଯୋଗୁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ସନ୍ଥ ରବିଦାସଜୀଙ୍କୁ ଲୋକେ ମନେପକାଇବା ସହ ତାଙ୍କ ରାସ୍ତାକୁ ଅନୁସରଣ କରିବେ । ଓଡ଼ିଶାପ୍ରଦେଶରେ ସନ୍ଥଜୀଙ୍କ ବାର୍ତାକୁ ନେଇ ସବୁଗାଁରେ ପହଂଚାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ସନ୍ଥ ରବି ଦାସଜୀଙ୍କ ବାର୍ତାକୁ ଓଡ଼ିଶାର ସବୁ ଜିଲ୍ଲାରୁ ବ୍ଲକ ଓ ମଣ୍ଡଳସ୍ତର ପର୍ଯ୍ୟନ୍ତ ପହଂଚାଇବା ପାଇଁ ବିଜେପି ସଂକଳ୍ପବଦ୍ଧ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକାକାର କରିବା ପାଇଁ ବିଜେପିର ପ୍ରୟାସ ନିଶ୍ଚିନ୍ତ ସଫଳ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ପ୍ରାଚୀନ କାଳରୁ ମାନବ ସଭ୍ୟତା, ସଂସ୍କୃତି, ଧର୍ମ, ଦର୍ଶନ ଓ ଜ୍ଞାନ-ବିଜ୍ଞାନର ଆଦି ଭୂମି ରୂପେ ପ୍ରସିଦ୍ଧି ଅର୍ଜ୍ଜନ କରିଆସିଛି ଭାରତବର୍ଷ । ଏହି ପୂଣ୍ୟ ଭୂମିରେ ମହର୍ଷି ବାଲ୍ମିକି, ବ୍ୟାସଦେବ, ଶଙ୍କରାଚାର୍ଯ୍ୟଙ୍କ ପରି ମନୀଷୀମାନେ ଆର୍ବିଭୂତ ହୋଇ ରାମାୟଣ, ମହାଭାରତ, ପୁରାଣ, ସାହିତ୍ୟ, ଦର୍ଶନ ପ୍ରଭୃତ ରଚନା କରି ମାନବୀୟ ଜ୍ଞାନ ଭଣ୍ଡାରକୁ ପରିପୁଷ୍ଟ କରିଛନ୍ତି । ଭାରତବର୍ଷର ପ୍ରାଚୀନ ଜ୍ଞାନ ପୀଠ ରୂପେ କାଶୀ ବା ବାରଣାସୀ ଧର୍ମ ଦର୍ଶନର ପ୍ରଚାର ପ୍ରସାର କରିଆସିଛି । ଏହି ପାବନ କ୍ଷେତ୍ରରେ ସନ୍ଥ ଶିରୋମଣି ଶ୍ରୀ ରବି ଦାସଜୀ ମହାରାଜ ୬୫୦ ବର୍ଷ ତଳେ ଆବିର୍ଭୂତ ହୋଇ ଉକ୍ତ ଆନ୍ଦୋଳନର ଜଣେ ମହାନ ସନ୍ଥ କବି, ସମାଜ ସଂସ୍କାରକ, ସମରସତା ଓ ସମନ୍ୱୟର ସଦ୍‌ଗୁରୁ ରୂପେ ସମାଜର କୋଟି କୋଟି ବଂଚିତ ତଥା ଅବହେଳିତ ବ୍ୟକ୍ତିଙ୍କୁ ସମ୍ମାନ, ଆତ୍ମବିଶ୍ୱାସ ଓ ଉତ୍ସର୍ଗୀକୃତ ସେବା ମନୋଭାବ ନେଇ ବଂଚିବାକୁ ଶିକ୍ଷା ଦେଇଯାଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ସନ୍ଥ ଗୁରୁ ଶ୍ରୀ ରବି ଦାସଜୀ କେବଳ ଜଣେ ସନ୍ଥ ନ ଥିଲେ । ସେ ଥିଲେ ସାମାଜିକ ପରିବର୍ତନର ବିପ୍ଲବୀ ଚେତନା । ଯେତେବେଳେ ସମାଜ ଅସ୍ପୃଶ୍ୟତା ଓ ଜାତିଭେଦ ଶୃଙ୍ଖଳାରେ ବନ୍ଧା ଥିଲା ସେତେବେଳେ ସନ୍ଥ ରବି ଦାସ ଜନ୍ମ ନେଇଥିଲେ । ନିଜର ଜ୍ଞାନ, ଭକ୍ତି ଓ କର୍ମ ମାଧ୍ୟମରେ ସମାଜକୁ ନୂତନ ଦିଗ ଦେଖାଇଥିଲେ । ମଣିଷର ପରିଚୟ ତାଙ୍କ ଜାତି ଓ ଜନ୍ମରେ ନୁହେଁ ବରଂ ତାର କର୍ମ ଓ ଚରିତ୍ରରେ ରହିଛି ବୋଲି ସନ୍ଥ ଗୁରୁ ରବି ଦାସ କହୁଥିଲେ । ତାଙ୍କ ସମଗ୍ର ଜୀବନ ଥିଲା ସମାନତା, ଆତ୍ମସମ୍ମାନ ଓ ମାନବତାର ସନ୍ଦେଶ । କୌଣସି ଭେଦଭାବ ନଥିବ, କୌଣସି ଅନ୍ୟାୟ ନ ଥିବ, ସମସ୍ତଙ୍କୁ ସମାନ ସୁଯୋଗ ମିଳୁଥିବା ଏକ ସମାଜର ସ୍ୱପ୍ନ ଦେଖିଥିଲେ । ସମାଜରୁ ଅସ୍ପୁଶ୍ୟତା, ଉଚ୍ଚନୀଚ୍ଚ ଭେଦଭାବ, ଛୁଆଁ, ଅଛୁଆଁ ଆଦି ଦୂର କରିବା ପାଇଁ ସେ ନିରନ୍ତର ଉଦ୍ୟମ କରୁଥିଲେ । ସେ ୧୫ରୁ ୧୬ତମ ଶତାଦ୍ଦୀର ଜାତିଭେଦ ଭାବ ମୁକ୍ତ ସମାଜର ପ୍ରତୀକ ଥିଲେ । ଆଧ୍ୟାତ୍ମିକ ଏବଂ ଭକ୍ତି ମାର୍ଗରେ ଚାଲିବା ସମୟରେ ସନ୍ଥ ରବି ଦାସ କର୍ମ ଉପରେ ଗୁରୁତ୍ୱ ଦେଉଥିଲେ । ଆଜି ବିକଶିତ ଭାରତର ସଂକଳ୍ପ ମଧ୍ୟ ସେହି ଚିନ୍ତାଧାରରେ ପର୍ଯ୍ୟବେଶିତ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି ।
ଏହି ଅବସରରେ ସାଧୁ ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ୱତୀ, ମହିମା ଧର୍ମର କୈାପିନଧାରୀ ସାଧୁ ପାଗଳ ବାବା, ଅଲେଖ ମହିମା ସାଧୁ ସ୍ୱାମୀ ରମେଶ ବାବା, ଯୋରନ୍ଦା ଗାଦି ସଭାପତି ବାବା ବିଶ୍ୱନାଥ, ବାବା ଅଭିନାଶ ଦାସ ମହାରାଜ, ସ୍ୱାମୀ ହରିଶଙ୍କର ମହାରାଜ, ସ୍ୱାମୀ ବିଶ୍ୱମ୍ବର ଦାସ ମହାରାଜ, ଯୋଗୀ ମହାରାଜ, ଚୈତନ୍ୟ ବାବା, ହିମାଂଶୁ ବାବା, ଅସୀମାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଶ୍ରୁତିସାଗର, ତ୍ରିଲୋକେଶ୍ୱର ଭାରତୀ, ଅଭଦୂତ ମହାରାଜ, ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସମେତ ଅନେକ ସାଧୁସନ୍ଥ ସାମିଲ ହୋଇ ସନ୍ଥ ଶ୍ରୀ ଗୁରୁ ରବି ଦାସଙ୍କ ଆଦର୍ଶ ଓ ତାଙ୍କ ସମାଜ ପ୍ରତି ବାର୍ତ୍ତାକୁ ଆଲୋକପାତ କରିଥିଲେ ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବି ଦାସ ମହାରାଜଙ୍କ ୬୫୦ତମ ଜନ୍ମ ଜୟନ୍ତୀ ବର୍ଷ ଉପଲକ୍ଷେ ଗତ ଜୁଲାଇ ୨୯ ତାରିଖରୁ ଆସନ୍ତା ବର୍ଷ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ \”ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବିଦାସ ମହାରାଜ ସମରସ ସଂକଳ୍ପ ଅଭିଯାନ’ ଦେଶବ୍ୟାପୀ ପାଳନ କରାଯାଉଛି । ଗୁରୁ ଶ୍ରୀ ରବି ଦାସଜୀଙ୍କ ଜନ୍ମସ୍ଥଳୀ ବାରଣାସୀ କାଶୀରୁ ଏହି ଅଭିଯାନ ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ତାଙ୍କ ଜନ୍ମସ୍ଥାନ ବାରଣାସୀ କାଶୀରୁ ପବିତ୍ର ମୃତିକାକୁ କଳସରେ ସଂଗ୍ରହ କରାଯାଇ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଇଥିଲା । ଓଡିଶାରୁ ଯାଇଥିବା ପ୍ରତିନିଧିଦଳ ଏହି ପବିତ୍ର କଳସକୁ ଆଣି ଗତ ଅଗଷ୍ଟ ୩୧ ତାରିଖ ଦିନ ଭୁବନେଶ୍ୱରରେ ପହଁଚିବା ପରେ ଶ୍ରୀରାମ ମନ୍ଦିରରେ ରଖାଯାଇଥିଲା । ଆଜି ଏକ ଭବ୍ୟ ସମାରୋହରେ କାର୍ଯ୍ୟକର୍ତାମାନଙ୍କ ଜରିଆରେ ବିଜେପିର ୩୭ଟି ସାଂଗଠନିକ ଜିଲ୍ଲାରୁ ସ୍ଥାନୀୟ ମହାପୁରଷମାନଙ୍କ ଜନ୍ମସ୍ଥାନରୁ ମାଟି ଅଣାଯାଇ ଏହି ପବିତ୍ର ମୃତିକାରେ ମିଶାଯିବା ପରେ ତାହାକୁ ୩୭ଟି ପୃଥକ୍ କଳସରେ ବଂଟନ କରାଯିବା ପରେ ପୁଣି ଥରେ ୩୭ଟି ସାଂଗଠନିକ ଜିଲ୍ଲାକୁ ପ୍ରେରିତ କରାଯାଇଛି । ସେଠାରୁ ପ୍ରତ୍ୟେକ ଗ୍ରାମପଂଚାୟତକୁ ଓ ଗ୍ରାମ ପଂଚାୟତରୁ ପ୍ରତ୍ୟେକ ଗ୍ରାମକୁ ଏହି ପବିତ୍ର କଳସ ବୁଲିବା ପରେ ଶେଷରେ ସେହି ସ୍ଥାନରେ ବୃକ୍ଷରୋପଣ କରାଯିବ । ଏହି ଅଭିଯାନ ଅଧୀନରେ ବିଭିନ୍ନ ଧାର୍ମିକ, ସାମାଜିକ, ସାଂସ୍କୃତିକ ଏବଂ ଜନସମ୍ପର୍କମୂଳକ କାର୍ଯ୍ୟକ୍ରମ କରାଯିବ । ଏଥିରେ ବହୁ ସଂଖ୍ୟାରେ ସାଧୁ ସନ୍ଥମାନେ ସାମିଲ ହେବେ । ପବିତ୍ର ମାଟି ସହିତ ଶ୍ରୀ ରବି ଦାସଙ୍କ ବାର୍ତ୍ତା ଓ ଆଦର୍ଶକୁ ଗାଁ ଗାଁରେ ପହଂଚାଯିବ ।
ଆଜି ରାଜ୍ୟବ୍ୟାପୀ “କଳସ ବନ୍ଦନ ଅଭିଯାନର ଶୁଭାରମ୍ଭ” ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶ୍ରୀ ବିଭୂତି ଭୂଷଣ ଜେନା, ଡ. ମୁକେଶ ମହାଲିଙ୍ଗ, ଶ୍ରୀ ପ୍ରଦୀପ ବଳ ସାମନ୍ତ, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର, ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ, ଡ.ରବିନ୍ଦ୍ର ନାରାୟଣ ବେହେରା, ଶ୍ରୀ ସୁକାନ୍ତ ପାଣିଗ୍ରାହୀ, ରାଷ୍ଟ୍ରୀୟ ଅନୁସୂଚିତ ଜାତି କମିଶନ ଅଧ୍ୟକ୍ଷ ଶ୍ରୀ କିଶୋର ମକୱାନା, ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ଉପମୁଖ୍ୟ ସଚେତକ  ଗୋବିନ୍ଦ ଦାସ, ବିଧାୟକ ରଘୁନାଥ ଜଗଦଲା,  ବାବୁ ସିଂ,  ଦୁର୍ଗାପ୍ରସନ୍ନ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ, ରାଜ୍ୟ ସାଧାରଣ ସମ୍ପାଦକ  ବିରଂଚି ନାରାୟଣ ତ୍ରିପାଠୀ ଓ  ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ, ରାଜ୍ୟ ସମ୍ପାଦକ  ସରୋଜ କର, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁଶାନ୍ତ ମଲ୍ଲିକ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ରଙ୍କ ସମେତ ରାଜ୍ୟ ବିଜେପିର ନେତୃବୃନ୍ଦ ଏବଂ ଅନୁସୁଚିତ ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ ଓ ୩୭ ଟି ଜିଲ୍ଲାରୁ ଆସିଥିବା ପଦାଧିକାରୀଗଣ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *