ସୋଆରେ ବିକଶିତ ଭାରତ ୟୁବା କନେକ୍ଟ ପ୍ରୋଗ୍ରାମ୍ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ଶନିବାର କ୍ୟାମ୍ପସ-୪ ପରିସରରେ “ବିକଶିତ ଭାରତ ନିମନ୍ତେ ନିଶାମୁକ୍ତ ଭାରତ ଅଭିଯାନ\” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରସଙ୍ଗ ରହିଥିଲା “ନଶାମୁକ୍ତ ୟୁବା ଫର ବିକଶିତ ଭାରତ” । ଯୁବ ସମାଜକୁ ନିଶାଦ୍ରବ୍ୟର କୁପ୍ରଭାବ ସଂପର୍କରେ ସଚେତନ କରିବା ଏବଂ ନିଶାମୁକ୍ତ ଭାରତ ଗଠନରେ ସେମାନଙ୍କର ସକ୍ରିୟ ଭୂମିକାକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍ ଆଂଚଳିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଅଜିତ କୁଶୱାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଭାରତ ସରକାରଙ୍କ ତତ୍ୱାବଧାନରେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଏହି ଅଭିଯାନ ଖୁବ୍ ବ୍ୟାପକ ହେବାରେ ଲାଗିଛି । ଏହି ଅଭିଯାନ ମାଧ୍ୟମରେ ଯୁବପିଢ଼ିଙ୍କୁ କିପରି ନିଶାମୁକ୍ତ କରାଯିବ ଏବଂ ସେମାନଙ୍କୁ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ତରରେ ସଶକ୍ତ କରାଯାଇପାରିବ ସେ ନେଇ ଶ୍ରୀ କୁଶୱାହ ଛାତ୍ରଛାତ୍ରୀମାନଙ୍କୁ ଆହ୍ନାନ ଦେଇଥିଲେ ।
ଶ୍ରୀ କୁଶୱାହ ଏପରି ଏକ ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସୋଆ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିବା ସହିତ ନିଶାମୁକ୍ତ ସମାଜ ଗଠନରେ ଶିକ୍ଷାନୁଷ୍ଠାନ ଓ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଥିଲେ ଏବଂ \”ନିଶାମୁକ୍ତ ଭାରତର\” ଶପଥ ପାଠ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଯୋଗ ଦେଇ ନିଜ ବକ୍ତବ୍ୟରେ ସମାଜକୁ ନିଶାମୁକ୍ତ କରାଇବାର ପ୍ରଚେଷ୍ଟା ଜାରି ରହିବା ଉଚିତ୍ ବୋଲି ଆହ୍ୱାନ ଦେଇଥିଲେ ।
ସୋଆ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର କମଳ ଲୋଚନ ମହନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିବା ପରିପ୍ରେକ୍ଷୀରେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ଯୁବପିଢ଼ିଙ୍କ ସହିତ କିପରି ଭାବେ ଯୋଡ଼ିପାରିବେ ଓ ସେମାନଙ୍କୁ ନିଶାମୁକ୍ତ ଭାରତ ଅଭିଯାନରେ ସକ୍ରିୟ ଭାବେ ସାମିଲ କରାଇପାରିବେ ସେ ନେଇ ଆହ୍ୱାନ ଦେଇଥିଲେ । ସୋଆ କ୍ୟାମ୍ପସ-୪ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି, ଶ୍ରୀ ସତ୍ୟନାରାୟଣ ଶତପଥୀ, ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍ ଆଂଚଳିକ ନିର୍ଦ୍ଦେଶାଳୟର ଯୁବ ଅଧିକାରୀ ଶ୍ରୀ ଏ. ଏସ୍‌. କବୀର, ଡକ୍ଟର ପ୍ରୀତିମନ୍ ମିଶ୍ର ଏବଂ ୟୁଥ ଆଇକନ୍ ଶ୍ରୀ ସ୍ୱରାଜ ଧର ଉପସ୍ଥିତ ରହି ନିଜର ଅନୁଭୂତିରୁ ଛାତ୍ରଛାତ୍ରୀମାନଙ୍କୁ ନିଶାମୁକ୍ତ ହେବା ପାଇଁ ଆହ୍ୱାନ ଦେଇଥିଲେ। ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟି କରିବା ଏବଂ ସମାଜରେ ଏହି ବାର୍ତା ପହଂଚାଇବାର ସଂକଳ୍ପ ସହ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *