କଟକ ବାଲିଯାତ୍ରାରେ ପୁଣି ଉତ୍ତେଜନା, ରାସ୍ତା ଅବରୋଧ କଲେ ଶତାଧିକ ବ୍ୟବସାୟୀ

କଟକ: କଟକ ବାଲିଯାତ୍ରାରେ ପୁଣି ଟେନସନ୍। ରାସ୍ତା ଅବରୋଧ କଲେ ବ୍ୟବସାୟୀ । ତଳ ବାଲିଯାତ୍ରା ପଡ଼ିଆ ସ୍ୱାଗତ ତୋରଣ ସମ୍ମୁଖରେ ଥିବା ମୁଖ୍ୟ ରାସ୍ତା ଅବରୋଧ କଲେ ଶତାଧିକ ବ୍ୟବସାୟୀ । ବ୍ୟାରିକେଡିଂକୁ ନେଇ ତୀବ୍ର ଅସନ୍ତୋଷ ଦେଖାଇଛନ୍ତି ବ୍ୟବସାୟୀ । ମାତ୍ରାଧିକ କଟକଣା ପାଇଁ ବ୍ୟବସାୟ ପ୍ରଭାବିତ ହେଉଥିବା ଅଭିଯୋଗ କରି ରାସ୍ତା ଅବରୋଧ କରାଯାଇଛି ।

ସୂଚନା ଅନୁଯାୟୀ, ବାଲିଯାତ୍ରା ପଡ଼ିଆରେ ଲାଗିଥିବା ବ୍ୟାରିକେଡିଂକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଅସନ୍ତୋଷ ରହିଥିଲା। ଏବେ ଏହି ଅସନ୍ତୋଷ ରାସ୍ତା ଅବରୋଧ ପର୍ଯ୍ୟନ୍ତ ପହଞ୍ଚିଛି । ଶତାଧିକ ବ୍ୟବସାୟୀ ଏକାଠି ହୋଇ ମୁଖ୍ୟ ରାସ୍ତା ଉପରେ ବସି ପ୍ରତିବାଦ କରିଛନ୍ତି । ଫଳରେ ସେହି ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି ।

ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ବାଲିଯାତ୍ରା ପଡ଼ିଆରେ ଅତ୍ୟଧିକ କଟକଣା ଏବଂ ବ୍ୟାରିକେଡିଂ ଯୋଗୁଁ ଗ୍ରାହକମାନେ ସହଜରେ ଦୋକାନ ପାଖକୁ ଆସିପାରୁନାହାନ୍ତି ।  ଏହାର ସିଧାସଳଖ ପ୍ରଭାବ ବ୍ୟବସାୟ ଉପରେ ପଡ଼ୁଛି । ବହୁ ଦୋକାନୀ ଆଶାନୁରୂପ ବ୍ୟବସାୟ କରିପାରୁନଥିବାରୁ କ୍ଷତି ସହିବାକୁ ପଡ଼ୁଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦୋକାନ ଖୋଲିଥିବା ବ୍ୟବସାୟୀଙ୍କ ପାଇଁ ଏଭଳି ସ୍ଥିତି ଚିନ୍ତାର କାରଣ ପାଲଟିଛି ।

ବ୍ୟବସାୟୀଙ୍କ କହିବା ଅନୁଯାୟୀ, ମେଳାକୁ ଆସୁଥିବା ଲୋକଙ୍କ ଯାତାୟାତ ଏବଂ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବା ନିଶ୍ଚିତ ଆବଶ୍ୟକ । କିନ୍ତୁ ଏହା ନାଁରେ ଅତ୍ୟଧିକ କଟକଣା ଲଗାଇବା ଯୋଗୁଁ ସେମାନଙ୍କ ବ୍ୟବସାୟ ବାଧାପ୍ରାପ୍ତ ହେଉଛି । ତେଣୁ ବ୍ୟାରିକେଡିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବା ସହ ଗ୍ରାହକଙ୍କ ପାଇଁ ଦୋକାନକୁ ଯିବା ଆସିବା ସହଜ କରିବାକୁ ସେମାନେ ଦାବି କରିଛନ୍ତି ।

ଅନ୍ୟପଟେ, ବ୍ୟବସାୟୀଙ୍କ ଏହି ପ୍ରତିବାଦ ଯୋଗୁଁ ବାଲିଯାତ୍ରା ପଡ଼ିଆ ନିକଟରେ ଉତ୍ତେଜନା ଦେଖାଦେଇଛି । ତେବେ ପ୍ରଶାସନ ପକ୍ଷରୁ ଏହି ସମସ୍ୟାର କିଭଳି ସମାଧାନ କରାଯାଉଛି ଏବଂ ବ୍ୟବସାୟୀଙ୍କ ଦାବି ଉପରେ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *