କୂଅରେ ଫିଙ୍ଗି ପୁଅକୁ ମାରିଲା ମାଆ

ସମ୍ବଲପୁର : ଜନ୍ମଦାତ୍ରୀ ସାଜିଲା ପିଶାଚୀ । କୂଅରେ ଫିଙ୍ଗି ପୁଅକୁ ମାରିଲା ମାଆ । ଲୋକଲଜ୍ଜାକୁ ଦେଖି ଶିଶୁପୁତ୍ରକୁ ହତ୍ୟା କଲା ମାଆ । ଯୁଯୁମୁରା ଶିଶୁ ହତ୍ୟାର ଖୋଲିଲା ଗୁମର । ଜନ୍ମଦାତ୍ରୀ ମାଆ ହିଁ ହତ୍ୟାକାରୀ । ପୋକ୍ସୋ ମାମଲାରେ ପ୍ରେମିକ ଗିରଫ । ନିଜ ଜନ୍ମକଲା ୧୦ ମାସର ପୁଅକୁ କୂଅକୁ ଫିଙ୍ଗି ମାରିଥିଲା ମାଆ । ଶିଶୁପୁତ୍ର ହତ୍ୟା ଘଟଣାରେ ନୂଆ ମୋଡ଼ । ଅଭିଯୋଗକାରିଣୀ ମାଆ ସାଜିଲା ମୁଖ୍ୟ ଅଭିଯୁକ୍ତ ।

ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳରେ ୧୦ ମାସର ଶିଶୁପୁତ୍ରକୁ କୂଅରେ ପକାଇ ହତ୍ୟା କରାଯିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ଶିଶୁପୁତ୍ରର ଜନ୍ମଦାତ୍ରୀ ମାଆ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି । ସଂପୃକ୍ତ ଯୁବକ ଲୋକେଶ୍ୱର ପ୍ରଧାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଗତ ୧୯ ତାରିଖ ଦିନ ଯୁଯୁମୁରା ଥାନା ଅଞ୍ଚଳରେ ଜଣେ ୧୦ ମାସର ଶିଶୁପୁତ୍ରକୁ କେହି କୂଅରେ ପକାଇ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା।

ଏ ସଂକ୍ରାନ୍ତରେ ଶିଶୁପୁତ୍ରର ମାଆ ଯୁଯୁମୁରା ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରାଯାଇଥିଲା। ଏସ୍ ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍ ଡିପିଓ ରେଢ଼ାଖୋଲଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ୨୦୨୪-୨୫ ମସିହାରେ ଅଭିଯୁକ୍ତ ଜଣକ ନାବାଳିକା ଥିବା ବେଳେ ଲୋକେଶ୍ୱର ପ୍ରଧାନ ନାମକ ଯୁବକଙ୍କ ସହିତ ତାଙ୍କର ପରିଚୟ ଓ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ବିବାହର ପ୍ରତିଶ୍ରୁତି ଦେଇ ଯୁବକଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ, ଫଳରେ ସେ ଗର୍ଭବତୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଯୁବକଜଣକ ବିବାହ କରିବାକୁ ମନା କରିଦେଇଥିଲେ । ଜାନୁଆରୀ ୨୦୨୬ରେ ଯୁବତୀ ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପିଲାଟିକୁ ଗ୍ରହଣ କରିବା ପାଇଁ ଯୁବକ ମନା କରିଦେଇଥିଲା ।

ସାମାଜିକ କଳଙ୍କ ଏବଂ ମାନସିକ ଆଘାତ ଯୋଗୁଁ ଯୁବତୀ ଜଣକ ଚରମ ନିଷ୍ପତ୍ତି ନେଇଥିଲେ। ଗତ ୧୮ ତାରିଖ ବିଳମ୍ବିତ ରାତିରେ ସେ ନିଜ ୧୦ ମାସର ଶିଶୁପୁତ୍ରକୁ ଘର ପାଖରେ ଥିବା ଏକ କୂଅରେ ପକାଇ ଦେଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *