ଦୁର୍ଗାପୂଜାରେ ବର୍ଷା ଭୟ! ୧୩ ତାରିଖ ବେଳକୁ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧିପାରେ ଲଘୁଚାପ । ୧୩ ତାରିଖ ବେଳକୁ ଲଘୁଚାପ ସମ୍ଭାବନା । ଓଡ଼ିଶା ଉପରେ କେତେ ରହିବ ପ୍ରଭାବ, ତା ଉପରେ ନଜର । ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ବା IMD ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ଥାଇଲାଣ୍ଡ ଉପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ମଧ୍ୟରେ ଆସନ୍ତା ୧୧ ବେଳକୁ ଆଣ୍ଡାମାନ ସାଗର ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଉଭୟ ଘୂର୍ଣ୍ଣିବଳୟ ମିଶିବା ପରେ ୧୩ ଅକ୍ଟୋବର ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଅନୁକୂଳ ପରିସ୍ଥିତି ରହିଛି । ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ । ତେବେ ପରବର୍ତ୍ତୀ ସମୟରେ ଏହା ଅବପାତ କିମ୍ବା ଗଭୀର ଅବପାତର ରୂପ ନେବ କି ନାହିଁ, ସେନେଇ ଏବେଠାରୁ ନିଶ୍ଚିତ ଭାବେ କହିହେବ ନାହିଁ ।

ପାଣିପାଗର ପୂର୍ବାନୁମାନ ପାଇଁ ବ୍ୟବହୃତ ୟୁରୋପୀୟ ECMWF ଏବଂ ଆମେରିକୀୟ GFS ମଡେଲରେ ମଧ୍ୟ ବଙ୍ଗୋପସାଗରରେ ଏକ ପାଣିପାଗ ପ୍ରଣାଳୀ ସୃଷ୍ଟି ହେବାର ସଙ୍କେତ ମିଳୁଛି । କିନ୍ତୁ ଏହାର ଗତିପଥ ଏବଂ ତୀବ୍ରତାକୁ ନେଇ ମଡେଲଗୁଡ଼ିକର ଆକଳନରେ ଭିନ୍ନତା ରହିଛି । କେତେକ ମଡେଲ ଆକଳନରେ ଏହି ପାଣିପାଗ ପ୍ରଣାଳୀ ଆନ୍ଧ୍ର ଓ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ଦେଖାଯାଉଛି । ଅନ୍ୟ କେତେକ ଆକଳନରେ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳ ଆଡ଼କୁ ମୁହାଁଇପାରେ ବୋଲି ସଙ୍କେତ ମିଳୁଛି । ତେବେ ଏଗୁଡ଼ିକ କେବଳ ପ୍ରାରମ୍ଭିକ ମଡେଲ ଆକଳନ । IMD ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସ୍ଥଳଭାଗ ଅତିକ୍ରମ କରିବାର ପୂର୍ବାନୁମାନ ଦିଆଯାଇନାହିଁ। ଅନ୍ୟପଟେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ୱେଦର ମଧ୍ୟ ମୌସୁମୀ ପରିବର୍ତ୍ତନ ଉପରେ ନଜର ରଖିଛି । ସ୍କାଏମେଟ୍ ର ଆକଳନ ଅନୁଯାୟୀ, ଆସନ୍ତା ୧୫ ତାରିଖ ବେଳକୁ ଦେଶରୁ ଦକ୍ଷିଣପଶ୍ଚିମ ମୌସୁମୀ ସମ୍ପୂର୍ଣ୍ଣ ବିଦାୟ ନେଇପାରେ।

ସାଧାରଣତଃ ୨୦ ଅକ୍ଟୋବର ବେଳକୁ ଉତ୍ତରପୂର୍ବ ମୌସୁମୀ ଆରମ୍ଭ ହୋଇଥାଏ । ତେବେ ୧୩ ଅକ୍ଟୋବରର ସମ୍ଭାବ୍ୟ ଲଘୁଚାପର ନିର୍ଦ୍ଦିଷ୍ଟ ଗତିପଥ କିମ୍ବା ତୀବ୍ରତା ସମ୍ପର୍କରେ ସ୍କାଏମେଟ୍ ପକ୍ଷରୁ ସ୍ପଷ୍ଟ ଆକଳନ ଦିଆଯାଇନାହିଁ । ଏବେ ସବୁଠାରୁ ବଡ଼ ପ୍ରଶ୍ନ, ସମ୍ଭାବ୍ୟ ଲଘୁଚାପର ଓଡ଼ିଶା ଉପରେ କେତେ ପ୍ରଭାବ ପଡ଼ିବ? ଆଗକୁ ଦୁର୍ଗାପୂଜା ଥିବାରୁ ବର୍ଷା ସମ୍ଭାବନାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ଲଘୁଚାପ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ଆଡ଼କୁ ଗତି କରେ, ତେବେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ। ଅନ୍ୟପଟେ ଏହା ଦକ୍ଷିଣ ଦିଗକୁ ଗତି କଲେ ଓଡ଼ିଶା ଉପରେ ପ୍ରଭାବ କମ୍ ରହିପାରେ । ତେବେ ଏପର୍ଯ୍ୟନ୍ତ ଓଡ଼ିଶା ପାଇଁ ଏହି ସମ୍ଭାବ୍ୟ ଲଘୁଚାପ ସମ୍ପର୍କିତ କୌଣସି ନିର୍ଦ୍ଦିଷ୍ଟ ପ୍ରବଳ ବର୍ଷା ସତର୍କତା କିମ୍ବା ବାତ୍ୟା ପୂର୍ବାନୁମାନ ଜାରି ହୋଇନାହିଁ । ଆସନ୍ତା ୧୧ରୁ ୧୩ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ଓ ଲଘୁଚାପର ସ୍ଥିତି ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଏହା ପରେ ଲଘୁଚାପର ଗତିପଥ, ତୀବ୍ରତା ଏବଂ ଓଡ଼ିଶା ଉପରେ ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଅଧିକ ନିର୍ଭରଯୋଗ୍ୟ ପୂର୍ବାନୁମାନ ମିଳିପାରିବ ।

Spread the love

Leave a Reply

Your email address will not be published. Required fields are marked *