ମହଙ୍ଗା ହେବ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ : ତେଲ-ସାବୁନ, ବିସ୍କୁଟ ଦର ବଢ଼ାଇବେ କମ୍ପାନୀ
ନୂଆଦିଲ୍ଲୀ,୯ା୮ : ବୋଝ ଉପରେ ନଳିତା ବିଡା। ଦେଶରେ ଖାଉଟିଙ୍କ ଉପରେ ପୁଣି ଏକ ମହଙ୍ଗା ମାଡ଼ ହେବାକୁ ଯାଉଛି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ଖୁବ୍ ଶୀଘ୍ର ବଢ଼ିବାକୁ ଯାଉଛି। ବିସ୍କୁଟ, ସାବୁନଠାରୁ ଆରମ୍ଭ କରି ଖାଇବା ତେଲ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ରହିଛି। କାରଣ ଏଫ୍ଏମ୍ସିଜି ଉତ୍ପାଦନକାରୀ କମ୍ପାନୀଗୁଡିକ ବର୍ତ୍ତମାନ ଦର ବୃଦ୍ଧି ଘଟାଇବାକୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। କମ୍ପାନୀଗୁଡିକ ସେପ୍ଟେମ୍ବର ତ୍ରୈମାସିକରେ ସେମାନଙ୍କ ବଛାବଛା ଉତ୍ପାଦର ମୂଲ୍ୟ ବୃଦ୍ଧି ଲାଗି ଯୋଜନା କରୁଛନ୍ତି। କଞ୍ଚାମାଲ ବାବଦ ବ୍ୟୟ ବୃଦ୍ଧି, ଚିନି ଓ ପାମ ତେଲ ଭଳି ସାମଗ୍ରୀ ମହଙ୍ଗା ହେବା ଏବଂ ବୈଶ୍ୱିକ ଭୂ-ରାଜନୈତିକ ଅନିଶ୍ଚିତତା କାରଣରୁ କମ୍ପାନୀଗୁଡିକ ଏହି ଦର ବୃଦ୍ଧ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥÒବା କୁହାଯାଉଛି। ତେବେ ଏହି ସୂଚନା ବିଭିନ୍ନ ଏଫଏମସିଜି କମ୍ପାନୀଙ୍କ ଦ୍ୱାରା ଜାରି ବିତ୍ତିୟ ବୟାନ ଓ ବିଶ୍ଲେଷକଙ୍କ ସହ ଶୀର୍ଷ ଅଧିକାରୀଙ୍କ କଥାବାର୍ତ୍ତରୁ ଜଣାପଡିଛି। କମ୍ପାନୀଗୁଡିକର କହିବା କଥା ଯେ, ଜୁନ ତ୍ରୈମାସିକ ପୂର୍ବରୁ ମୂଲ୍ୟରେ ୨ରୁ ୫% ବୃଦ୍ଧି କରାଯାଇସାରିଛି। ଏବେ ମାର୍ଜିନ ରକ୍ଷା କରିବାକୁ ପ୍ୟାକ୍ ଓଜନ ହ୍ରାସ ଅଥବା ସିଧା ମୂଲ୍ୟ ବୃଦ୍ଧି ହିଁ ଏକମାତ୍ର ବିକଳ୍ପ। ଏହା ଛଡା ଅନିଶ୍ଚିତ ମୌସୁମୀ ଓ ଏଲନିନୋ ଭଳି ରିସ୍କ ମଧ୍ୟ କମ୍ପାନୀଙ୍କ ଚିନ୍ତା ବଢାଉଛି। ଏ ସମ୍ପର୍କରେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ମଧ୍ୟ ଏହାର ବିଭିନ୍ନ ଉତ୍ପାଦ ବର୍ଗରେ ମୂଲ୍ୟ ବୃଦ୍ଧି କରିବାକୁ ବିଚାର କରୁଛି। ଜୁନ୍ ତ୍ରୈମାସିକ ତୁଳନାରେ ସେପ୍ଟେମ୍ବର ତ୍ରୈମାସିକରେ ୨ରୁ ୫% ମୂଲ୍ୟ ବୃଦ୍ଧି କରିବା ନେଇ କମ୍ପାନୀ ଆକଳନ କରିଛି। ଅପରପକ୍ଷେ ଗୋଦରେଜ୍ ଉପଭୋକ୍ତା ଉତ୍ପାଦ ଲିମିଟେଡ୍ ଜୁନ୍ ତ୍ରୈମାସିକରେ ହାରାହାରି ୫% ମୂଲ୍ୟ ବୃଦ୍ଧି କରିଛି। କମ୍ପାନୀ କହିଛି ଯେ ଏହା ଚଳିତ ତ୍ରୈମାସିକରେ କୌଣସି ତୁରନ୍ତ ବଡ଼ ମୂଲ୍ୟ ବୃଦ୍ଧିକୁ ଏଡ଼ାଉଛି ଏବଂ ସାମଗ୍ରୀ ବଜାର ସ୍ଥିର ହେବା ପାଇଁ ଅପେକ୍ଷା କରୁଛି।
କମ୍ପାନୀର ସିଇଓ ସୁଧୀର ସୀତାପତି କହିଛନ୍ତି ଯେ ଗୋଦରେଜ୍ର ଅନେକ ଉତ୍ପାଦର ଉତ୍ପାଦନ ଖର୍ଚ୍ଚ ଅଶୋଧିତ ତେଲ ସହିତ ଜଡିତ। ଯଦି ଅଶୋଧିତ ତେଲର ମୂଲ୍ୟ ଏହି ସୀମାରେ ରହେ, ତେବେ ଆମକୁ କୌଣସି ବଡ଼ ମୂଲ୍ୟ ବୃଦ୍ଧିର ଆବଶ୍ୟକତା ପଡ଼ିବ ନାହିଁ। ଡାବର ଇଣ୍ଡିଆର ଗ୍ଲୋବାଲ୍ ସିଇଓ ମୋହିତ ମାଲହୋତ୍ରା କହିଛନ୍ତି ଯେ ଆଗାମୀ ଦିନରେ କଞ୍ଚାମାଲ ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। କମ୍ପାନୀଗୁଡ଼ିକ ପାଖରେ ଏହି ଖର୍ଚ୍ଚକୁ ଗ୍ରାହକଙ୍କ ଉପରେ ଲଦିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ତେବେ ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡର ଏମ୍ଡି ସୁନିଲ ଡି’ସୁଜା କହିଛନ୍ତି ଯେ ଖର୍ଚ୍ଚ ପ୍ରଭାବ ଗତିଶୀଳ। ଆବଶ୍ୟକ ହେଲେ କମ୍ପାନୀ ମୂଲ୍ୟକୁ ସଜାଡ଼ିବ। ମୂଲ୍ୟ ବୃଦ୍ଧି ସତ୍ତ୍ୱେ, ଏଫଏମସିଜି କ୍ଷେତ୍ର ନିଶ୍ଚିତ ଯେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟରେ ବ୍ୟବହାର ଦୃଢ଼ ରହିବ।
